MOUNT MAUNGANUI, NEW ZEALAND - NOVEMBER 23: BJ Watling of New Zealand celebrates his century during day three of the first Test match between New Zealand and England at Bay Oval on November 23, 2019 in Mount Maunganui, New Zealand. (Photo by Phil Walter/Getty Images)
ମାଉଣ୍ଟ ମାଉନଗାନୁଇ,୨୩।୧୧(ଏଏଫପି): ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଘରୋଇ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ଅଗ୍ରାଣୀ ହାସଲ କରିଛି। ଉଇକେଟକିପର ବ୍ୟାଟ୍ସମ୍ୟାନ ବିଜେ ଓ୍ବାଟଲିଂଙ୍କ ଅପରାଜିତ ଶତକ ଓ ଟେଲ ଏଣ୍ଡରଙ୍କ ଦମ୍ଦାର ବ୍ୟାଟିଂ ସହାୟତାରେ ନ୍ୟୁଜିଲାଣ୍ଡ ଇଂଲଣ୍ଡକୁ ନିରାଶ କରିଛି।
ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୧୨୪ ଓଭରରେ ୩୫୩ ରନ କରି ଅଲଆଉଟ ହୋଇଥିଲା। ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ ଆରମ୍ଭ କରି ଶନିବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୧୪୧ ଓଭରରେ ୬ ଉଇକେଟ ହରାଇ ୩୯୪ ରନ ସଂଗ୍ରହ କରିଛି। ଫଳରେ ନ୍ୟୁଜିଲାଣ୍ଡ ୪ ଉଇକେଟ ହାତରେ ରଖି ୪୧ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଓ୍ବାଟଲିଂ ୧୧୯ ରନର ଶତକୀୟ ପାଳି ଖେଳି ଓ ମିଚେଲ ସାଣ୍ଟନର ୩୧ ରନ କରି ଅପରାଜିତ ରହିଛନ୍ତି।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୪୪/୪ ରୁ ନ୍ୟୁଜିଲାଣ୍ଡ ଶନିବାର ଖେଳ ଆରମ୍ଭ କରିଥିଲା। ୩୪ ବର୍ଷୀୟ ଓଭରନାଇଟ ବ୍ୟାଟ୍ସମ୍ୟାନ ଓ୍ବାଟଲିଂ ୬ ରନରୁ ଖେଳ ଆରମ୍ଭ କରି ଶତକ ହାସଲ କରିଥିଲେ। ୨୯୮ଟି ବଲର ସମ୍ମୁଖୀନ ହୋଇ ଓ୍ବାଟଲିଂ ୧୫ଟି ଚୌକା ସହ ୧୧୯ ରନର ଶତକୀୟ ପାଳି ଖେଳି ଅପରାଜିତ ରହିଛନ୍ତି। ଏଥିସହିତ ସେ କ୍ୟାରିୟରର ଅଷ୍ଟମ ଟେଷ୍ଟ ଶତକ ଅର୍ଜନ କରିଛନ୍ତି। ସେହିପରି ୨୬ ରନରୁ ଖେଳ ଆରମ୍ଭ କରି ହେନେରୀ ନିକୋଲ୍ସ ୪୧ ରନ କରି ଜୋ ରୁଟ୍ଙ୍କ ଦ୍ୱାରା ଏଲ୍ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ତାଙ୍କ ପରେ କଲିନ ଡି ଗ୍ରାଣ୍ଡହୋମ ୬୫ ରନର ଅର୍ଦ୍ଧଶତକୀୟ ପାଳି ଖେଳି ବେନ୍ ଷ୍ଟୋକ୍ସଙ୍କ ବଲ୍ରେ ଡୋମ ସିବ୍ଲିଙ୍କୁ କ୍ୟାଚ୍ ଦେଇ ଆଉଟ ହୋଇଥିଲେ। ଷଷ୍ଠ ଉଇକେଟରେ ଗ୍ରାଣ୍ଡହୋମ ଓ ଓ୍ବାଟଲିଂ ୧୧୯ ରନର ଭାଗୀଦାରି ସ୍ଥାପନ କରିଥିଲେ। ଶୁକ୍ରବାର ଅଧିନାୟକ କେନ୍ ଓ୍ବିଲିୟମସନ ୫୧ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ରସ୍ ଟେଲର ୨୫, ଓପନର ଜିତ୍ ରାଭାଲ ୧୯ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ସାମ କୁରାନ ଓ ଷ୍ଟୋକ୍ସ ୨ଟି ଲେଖାଏ, ଜ୍ୟାକ ଲିଚ୍ ଓ ରୁଟ୍ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ପୂର୍ବରୁ ଇଂଲଣ୍ଡ ତରଫରୁ ପ୍ରଥମ ଇନିଂସରେ ଷ୍ଟୋକ୍ସ ସର୍ବାଧିକ ୯୧, ଜୋ ଡେନ୍ଲି ୭୪, ଓପନର ରୋରି ବନର୍ସ ୫୨, ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ୪୩ ରନ ସଂଗ୍ରହ କରିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଅଭିଜ୍ଞ ଦ୍ରୁତ ବୋଲର ଟିମ୍ ସୌଦି ସର୍ବାଧିକ ୪, ନିଲ ଓ୍ବାଗନର ୩, କଲିନ୍ ଡି ଗ୍ରାଣ୍ଡହୋମ ୨ ଓ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ପ୍ରଥମ ଇନିଂସ- ୧୨୪ ଓଭରରେ ୩୫୩ ଅଲଆଉଟ୍।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୧୪୧ ଓଭରରେ ୩୯୪/୬
(ଓ୍ବାଟଲିଂ- ୧୧୯*, ଗ୍ରାଣ୍ଡହୋମ-୬୫, ଓ୍ବିଲିୟମସନ- ୫୧, ନିକୋଲ୍ସ- ୪୧, ଟେଲର- ୨୫, ରାଭାଲ- ୧୯, ଷ୍ଟୋକ୍ସ- ୨/୩୭, କୁରାନ- ୨/୭୪, ରୁଟ୍- ୧/୩୧, ଲିଚ୍- ୧/୯୭ )।