SYDNEY, AUSTRALIA - NOVEMBER 03: Ground staff cover the pitch during a rain delay during game one of the International Twenty20 series between Australia and Pakistan at Sydney Cricket Ground on November 03, 2019 in Sydney, Australia. (Photo by Jason McCawley/Getty Images)
ସିଡ୍ନୀ,୩।୧୧(ଏଏଫ୍ପି)- ବର୍ଷା ଯୋଗୁ ପାକିସ୍ତାନ ଏକ ନିଶ୍ଚିତ ପରାଜୟରୁ ରକ୍ଷା ପାଇଛି। ସ୍ଥାନୀୟ ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ରବିବାର ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍ ଲଗାତର ବର୍ଷା କାରଣରୁ ବିନା ଫଳାଫଳରେ ଶେଷ ହୋଇଛି। ୩ ମ୍ୟାଚ୍ ବିଶିଷ୍ଟ ସିରିଜର ଏହି ମୁକାବିଲାରେ ଅବଶ୍ୟ ଅଷ୍ଟ୍ରେଲିଆ ସୁବିଧାଜନକ ସ୍ଥିତିରେ ଥିଲା। ବିଜୟ ହାସଲରୁ ବଞ୍ଚିତ ହୋଇଥିବାରୁ ଅଷ୍ଟ୍ରେଲିଆ ନିରାଶ ହୋଇଛି। ମଙ୍ଗଳବାର କାନବେରାରେ ଦ୍ୱିତୀୟ ଓ ଶୁକ୍ରବାର ପର୍ଥରେ ତୃତୀୟ ଟି୨୦ ମ୍ୟାଚ୍ ଖେଳାଯିବ।
ବର୍ଷା ଯୋଗୁ ମ୍ୟାଚ୍କୁ ୧୫ ଓଭରକୁ କମାଇ ଦିଆଯାଇଥିଲା। ଅଷ୍ଟ୍ରେଲିଆ ଟସ୍ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୫ ଉଇକେଟ ହରାଇ ୧୦୭ ରନ ସଂଗ୍ରହ କରିଥିଲା। ତେବେ ଡକ୍ଓ୍ବର୍ଥ ଲୁଇସ- ଷ୍ଟେର୍ନ ନିୟମରେ ଅଷ୍ଟ୍ରେଲିଆ ସମ୍ମୁଖରେ ୧୫ ଓଭରରେ ୧୧୯ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଜବାବରେ ବ୍ୟାଟିଂ ଆରମ୍ଭ କରି ଅଷ୍ଟ୍ରେଲିଆ ୩.୧ ଓଭରରେ ବିନା କ୍ଷତିରେ ୪୧ ରନ ସଂଗ୍ରହ କରିଥିଲା ଓ ଏତିକି ବେଳେ ବର୍ଷା ହୋଇଥିଲା ଓ ଆଉ ଖେଳ ସମ୍ଭବ ହୋଇପାରି ନ ଥିଲା। ଫଳରେ ମ୍ୟାଚ୍କୁ ବାତିଲ କରିବାକୁ ପଡିଥିଲା। ଓପନର ଡେଭିଡ ଓ୍ବାର୍ନର ୪ ବଲରୁ ୨ ଓ ଅଧିନାୟକ ଆରୋନ ଫିଞ୍ଚ୍ ୫ ଚୌକା ଓ ୨ ଛକା ସହ ୧୬ ବଲରୁ ଦ୍ରୁତ ୩୭ ରନ କରି ଅପରାଜିତ ରହିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ତରଫରୁ ଅଧିନାୟକ ତଥା ଓପନର ବାବର ଆଜମ ୩୮ ବଲରୁ ୫ ଚୌକା ଓ ୨ ଛକା ସହ ଅପରାଜିତ ୫୯ ରନ ସଂଗ୍ରହ କରିଥିଲେ। ସେହିପରି ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ୩୧, ଆସିଫ ଅଲି ୧୧ ରନ କରି ଆଉଟ ହୋଇଥିବାବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ମିଚେଲ ଷ୍ଟାର୍କ ଓ କେନ୍ ରିଚାର୍ଡସନ ୨ଟି ଲେଖାଏ, ଆଷ୍ଟନ ଅଗର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ମ୍ୟାଚ୍ ବାତିଲ ହେବା କାରଣରୁ ଫିଞ୍ଚ୍ ନୈରାଶ୍ୟ ଜାହିର କରିଛନ୍ତି। ଆମେ ଭଲ ଖେଳିଥିଲେ ମଧ୍ୟ ବର୍ଷା ଯୋଗୁ ବିଜୟ ହାତଛଡ଼ା କରିଛୁ ବୋଲି ସେ କହିଛନ୍ତି। ଆଉ ୧୧ଟି ବଲ ବୋଲିଂ କରାଯାଇଥିଲେ, ଫଳାଫଳ ମିଳିପାରିଥାନ୍ତା। କିନ୍ତୁ ୨୦ ମିନିଟର ଇନିଂସ ବ୍ରେକ୍ ଦାଉ ସାଧିଥିଲା। ଉଲ୍ଲେଖଥାଉ କି, ଏହା ପୂର୍ବରୁ ଖେଳାଯାଇଥିବା ଟି୨୦ ସିରିଜରେ ଅଷ୍ଟ୍ରେଲିଆ ୩-୦ରେ ଶ୍ରୀଲଙ୍କାକୁ ହରାଇ କ୍ଲିନ୍ ସୁଇପ କରିଥିଲା। ସେହିପରି ଟି୨୦ର ଏକ ନମ୍ବର ଦଳ ପାକିସ୍ତାନ ଘରୋଇ ପରିବେଶରେ ଶ୍ରୀଲଙ୍କାଠାରୁ ୩-୦ରେ ପରାସ୍ତ ହୋଇ ହ୍ବାଇଟ୍ଓ୍ବାସ୍ର ସମ୍ମୁଖୀନ ହୋଇଥିଲା।
ସଂକ୍ଷପ୍ତ ସ୍କୋର:
ପାକିସ୍ତାନ ୧୫ ଓଭରରେ ୧୦୭/୫
(ବାବର- ୫୯*, ରିଜଓ୍ବାନ- ୩୧, ଷ୍ଟାର୍କ- ୨/୨୨, ରିଚାର୍ଡସନ- ୨/୧୬, ଅଗର- ୧/୨୩ )।
ଅଷ୍ଟ୍ରେଲିଆ ୩.୧ ଓଭରରେ ୪୧/୦
(ଫିଞ୍ଚ୍- ୩୭*, ଓ୍ବାର୍ନର- ୨*)।