ପ୍ରତ୍ୟର୍ପଣ ପରେ ଆତଙ୍କବାଦୀ ରାଣାଙ୍କ ପ୍ରଥମ ଫଟୋ ଆସିଲା ସାମ୍ନାକୁ, NIA କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ,୧୦।୪: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣାକୁ ଗୁରୁବାର (୧୦ ଏପ୍ରିଲ, ୨୦୨୫) ଭାରତ ଅଣାଯାଇଛି। ଏନଆଇଏ ଟିମ ଏକ ସ୍ବତନ୍ତ୍ର ବିମାନ ଯୋଗେ ତହୱୁରଙ୍କୁ ଆମେରିକାରୁ ଦିଲ୍ଲୀ ଆଣିଥିଲା। ଏହି ସମୟରେ, NIA ତାଙ୍କୁ ଗିରଫ କରିବା ସମୟରେ ତହୱୁର ରାଣାଙ୍କ ଏକ ଫଟୋ ସାମ୍ନାକୁ ଆସିଛି। ଜାତୀୟ ତଦନ୍ତକାରୀ ସଂସ୍ଥା (NIA) କହିଛି ଯେ ପାକିସ୍ତାନୀ ବଂଶୋଦ୍ଭବ ୬୪ ବର୍ଷୀୟ କାନାଡିଆନ ନାଗରିକ ରାଣାଙ୍କୁ ଗୁରୁବାର ସାରେ ଏକ ସୱତନ୍ତ୍ର ବିମାନରେ ଦିଲ୍ଲୀ ଅଣାଯାଇଥିଲା, ଏହା ଦ୍ୱାରା ତାଙ୍କୁ କେବେ ଏବଂ କିପରି ପ୍ରତ୍ୟର୍ପଣ କରାଯିବ ସେ ବିଷୟରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି।

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଅଭିଯୁକ୍ତ ତହୱୁର ରାଣାଙ୍କୁ ଆମେରିକାରୁ ପ୍ରତ୍ୟର୍ପଣ କରାଯିବା ପରେ ପଟିଆଲା ହାଉସ କୋର୍ଟରେ ହାଜର କରାଯିବ। CISF ବ୍ୟତୀତ, କୋର୍ଟ ବାହାରେ ଅନ୍ୟାନ୍ୟ ଅର୍ଦ୍ଧସାମରିକ ବାହିନୀର କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି ଏବଂ କୌଣସି ଅପ୍ରୀତିକର ଘଟଣା ଏଡାଇବା ପାଇଁ ପରିଦର୍ଶକମାନଙ୍କୁ କଡ଼ା ଯାଞ୍ଚ କରାଯାଉଛି।
ତିହାର ଜେଲ ଅଧିକାରୀମାନେ କହିଛନ୍ତି ଯେ ରାଣାଙ୍କୁ ଏକ ହାଇ ସିକ୍ୟୁରିଟି ଜେଲ ୱାର୍ଡରେ ରଖିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ଏବଂ ସେମାନେ କୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି। ତହୱୁର ରାଣାଙ୍କ ଉପରେ ଡେଭିଡ କୋଲମ୍ୟାନ ହେଡଲି, ଲସ୍କର-ଏ-ତୈବା (LeT), ହରକତ-ଉଲ-ଜିହାଦି ଇସଲାମି (HUJI) ଏବଂ ଅନ୍ୟାନ୍ୟ ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ମିଶି ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚନା କରିବାର ଅଭିଯୋଗ ଅଛି।
ପାକିସ୍ତାନ ଗୁରୁବାର କହିଛି ଯେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହୱୁର ରାଣା ସହିତ ଏହାର କୌଣସି ସମ୍ପର୍କ ନାହିଁ। ପାକିସ୍ତାନ କହିଛି ଯେ ତହୱୁର ରାଣା ଜଣେ କାନାଡିଆନ ନାଗରିକ ଏବଂ ପ୍ରାୟ ଦୁଇ ଦଶନ୍ଧି ଧରି ତାଙ୍କର ପାକିସ୍ତାନୀ କାଗଜପତ୍ରକୁ ଅପଡେଟ କରିନାହାଁନ୍ତି।