ପେନ୍‌ସନ ସଂସ୍କାରକୁ ବିରୋଧ, ଫ୍ରାନ୍ସରେ ବିକ୍ଷୋଭ

ପ୍ୟାରିସ୍‌ ,୧୯।୧୨(ଏଏଫ୍‌ପି): ଫ୍ରାନ୍ସ ସରକାରଙ୍କ ପେନ୍‌ସନ ସଂସ୍କାର ଯୋଜନାକୁ ନେଇ ଅଚଳାବସ୍ଥା ଲାଗିରହିଥିବାବେଳେ ଏହାକୁ ବିରୋଧ କରି ମଙ୍ଗଳବାର ଲକ୍ଷାଧିକ ବିକ୍ଷୋଭକାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଦୁଇ ସପ୍ତାହ ହେଲା ପେନ୍‌ସନ ସଂସ୍କାରକୁ ନେଇ ବିରୋଧ ଜାରି ରହିଥିବାରୁ ପରିବହନ ବାଧାପ୍ରାପ୍ତ ହୋଇଛି। ଯୋଜନାର ସମ୍ପୂର୍ଣ୍ଣ ପରିବର୍ତ୍ତନ ଲାଗି ୟୁନିୟନଗୁଡ଼ିକ ଦାବି କରୁଥିବାବେଳେ ସରକାର ଏହାକୁ ଗ୍ରହଣ କରିବାକୁ ରାଜି ନୁହନ୍ତି। ପ୍ୟାରିସ୍‌ରେ ଆନ୍ଦୋଳନକାରୀଙ୍କୁ ଘଉଡାଇବାକୁ ଯାଇ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ୩୦ ଜଣଙ୍କୁ ଗିରଫ କରିଛି। କ୍ରିସ୍‌ମସ୍‌ ଛୁଟି ପୂର୍ବରୁ ରାଷ୍ଟ୍ରପତି ଏମାନ୍ବେଲ ମାକ୍‌ରଁ ଉପରେ ଚାପ ବଢ଼ିବାରେ ଲାଗିଛି। ୟୁନିୟନଗୁଡ଼ିକ ସହ ଆଲୋଚନା ପାଇଁ ସେ ଜଣେ ନୂଆ ପେନ୍‌ସନ ମୁଖ୍ୟଙ୍କୁ ନିଯୁକ୍ତ କରିଛନ୍ତି। ଏମ୍‌ପି ଲରେଣ୍ଟ ପେଟ୍ରାସ୍‌ଜେସ୍କି ଏନେଇ ୟୁନିୟନ ନେତାମାନଙ୍କ ସହ ଆଲୋଚନା କରିବେ।
ପେନ୍‌ସନ ସଂସ୍କାରକୁ ନେଇ ୫ ତାରିଖରୁ ବିବାଦ ଲାଗି ରହିଥିବାବେଳେ ମଙ୍ଗଳବାର ଏହା ଉଗ୍ରରୂପ ଧାରଣ କରିଥିଲା। ପରିବହନ କର୍ମଚାରୀଙ୍କ ସହ ଶିକ୍ଷକ, ହସ୍ପିଟାଲ ଓ ଅନ୍ୟ ସରକାରୀ କର୍ମଚାରୀମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ। ପ୍ୟାରିସ୍‌ ରାଲିରେ ୭୬ ହଜାର ବିକ୍ଷୋଭକାରୀ ସାମିଲ ହୋଇଥିବାବେଳେ ଦେଶର ବିଭିନ୍ନ ସ୍ଥାନରେ ଶତାଧିକ ବିକ୍ଷୋଭରେ ୬ ଲକ୍ଷରୁ ଅଧିକ ଯୋଗଦେଇଥିଲେ।