ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୪ ଗିରଫ

ଧର୍ମଶାଳା/କାଏମା,୧୬।୪(ବଟକୃଷ୍ଣ ପରିଡ଼ା/ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ ଘଟଣାରେ ପୋଲିସ ମଙ୍ଗଳବାର ୪ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକମାନେ ହେଲେ ବିଜେଡି ସମର୍ଥକ ଧର୍ମଶାଳା ଥାନା କୁମାରୀ ଗ୍ରାମର ମନୋଜ ଦାସ ଏବଂ ଭାଜପା ସମର୍ଥକ ଆରୁହା ଗ୍ରାମର ସୁଶାନ୍ତ ସାମଲ,ସୁରେଶ ସାମଲ ଓ ରାଜେନ୍ଦ୍ର ବାରିକ ବୋଲି ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ କହିଛନ୍ତି। ଧର୍ମଶାଳା ପୋଲିସ ଉଭୟ ପକ୍ଷରୁ ହୋଇଥିବା ୨ଟି ମାମଲା(ନଂ.୨୧୬/୨୫ ଓ ୨୧୮/୨୫)କୁ ଭିତ୍ତିକରି ୪ଜଣଙ୍କୁ ମଙ୍ଗଳବାର ଚଣ୍ଡିଖୋଲ କୋର୍ଟ ଚାଲାଣ କରିିଥିଲା। ସେଠାରେ ମନୋଜଙ୍କୁ ଜାମିନ ମିଳିଛି। ଅନ୍ୟ ୩ଜଣଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ରଗଡ଼ି ଜେଲକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ୧୩ ତାରିଖ ଅପରାହ୍ନରେ ଧର୍ମଶାଳା ପୂର୍ବତନ ବିଧାୟକ ବଳବନ୍ତରାୟ ଆରୁହା ପଞ୍ଚାୟତରେ ଅନୁଷ୍ଠିତ ହେଉଥିବା ହିଙ୍ଗୁଳା ଯଜ୍ଞରେ ଯୋଗଦେବାକୁ ଯାଉଥିଲେ। ଏହି ସମୟରେ ସେଠାରେ ତାଙ୍କ ଗାଡ଼ି ଉପରକୁ କେତେଜଣ ଯୁବକ ଆକ୍ରମଣ କରିଥିଲେ। ସେଠାରେ ତାଙ୍କ ସମର୍ଥକ ଓ ଆକ୍ରମଣକାରୀଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଜେନାପୁର ଥାନା ଅଧିକାରିଣୀ ନିରୁପମା ଜେନା ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହିତ ବିଧାୟକ ବଳବନ୍ତରାୟଙ୍କୁ ଉଦ୍ଧାର କରିଥିଲେ। ଏହି ଆକ୍ରମଣ ଘଟଣାରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସମର୍ଥକମାନେ ଦାୟୀ ବୋଲି ପୂର୍ବତନ ବିଧାୟକ କହିଥିଲେ। ହେଲେ ସୋମବାର ଭାଜପା ମଣ୍ଡଳ ସଭାପତି ଏକ ଖବରଦାତା ସମ୍ମିଳନୀରେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ।