Categories: Home Leftଖେଳ

ପୂର୍ବତନ କ୍ରିକେଟରଙ୍କ ପାଇଁ ଆଇସିଏର ୩୯ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ

ନୂଆଦିଲ୍ଲୀ,୨।୫(ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ସାରା ଦେଶରେ ଚାଲିଥିବା ଲକ୍‌ଡାଉନ୍‌ କାରଣରୁ ଅର୍ଥାଭାବ ଦେଇ ଗତି କରୁଥିବା ୩୦ ଜଣ ଖେଳାଳିଙ୍କୁ ସାହାଯ୍ୟ କରିବା ପାଇଁ ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନ (ଆଇସିଏ) ୩୯ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରିଛି। ଆଇସିଏର ଏହି ମହତ୍‌ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଏବେ ଆଗେଇ ଆସିଛନ୍ତି ଦୁଇ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ଓ କପିଳ ଦେବ। ଏହି ପୂର୍ବତନ କ୍ରିକେଟରମାନଙ୍କୁ ସାହାଯ୍ୟ କରିବା ପାଇଁ ଅର୍ଥ ସଂଗ୍ରହ କରାଯାଉଛି ବୋଲି କୁହାଯାଇଛି। ଗାଭାସ୍କର, କପିଳ ଦେବଙ୍କ ସମେତ ଗୌତମ ଗମ୍ଭୀର ଓ ଗୁଣ୍ଡାପ୍ପା ବିଶ୍ୱନାଥ ମଧ୍ୟ ଏହି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଗୁଜରାଟରୁ ଏକ କର୍ପୋରେଟ ମଧ୍ୟ ଏଥିରେ ଯୋଗ ଦେବାକୁ ପ୍ରସ୍ତାବ ଦେଇଛି ବୋଲି ଆଇସିଏ ଅଧ୍ୟକ୍ଷ ଅଶୋକ ମାଲହୋତ୍ରା କହିଛନ୍ତି।
ଗାଭାସ୍କର, କପିଳ ଓ ଗମ୍ଭୀର ଅର୍ଥଦାନ କରିଛନ୍ତି। ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ ମଧ୍ୟ ଆର୍ଥତ୍କ ସାହାଯ୍ୟ କରିବାକୁ ଗତ ସପ୍ତାହରେ ପ୍ରସ୍ତାବ ଦେଇଛନ୍ତି। ମେ ୧୫ ତାରିଖର ପର୍ଯ୍ୟନ୍ତ ଆଇସିଏ ଅର୍ଥ ଦାନ ଗ୍ରହଣ କରିବ। ଏହାପରେ ପ୍ରତ୍ୟେକ ଜୋନ (ନର୍ଥ, ଇଷ୍ଟ, ଓ୍ବେଷ୍ଟ, ସାଉଥ ଓ ସେଣ୍ଟ୍ରାଲ)ରୁ ୫-୬ କ୍ରିକେଟରଙ୍କୁ ସାହାଯ୍ୟ ନିମନ୍ତେ ଚୟନ କରିବ। ଯେଉଁ କ୍ରିକେଟରମାନେ ଚାକିରି କରିନାହାନ୍ତି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କିମ୍ବା ସେମାନଙ୍କ ରାଜ୍ୟ ଆସୋସିଏଶନଠାରୁ ପେନ୍‌ସନ ପାଉନାହାନ୍ତି, ସେମାନଙ୍କୁ ସାହଯ୍ୟ କରାଯିବ ବୋଲି ମାଲହୋତ୍ରା କହିଛନ୍ତି। ଆଇସିଏ ପ୍ରଥମେ ଏହି କାର୍ଯ୍ୟ ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛି। ଗତବର୍ଷ ଆଇସିଏ କାର୍ଯ୍ୟକ୍ଷମ ହୋଇଥିଲା। ଆଇସିଏରେ ଏପର୍ଯ୍ୟନ୍ତ ୧୭୫୦ଜଣ କ୍ରିକେଟର ପଞ୍ଜୀକୃତ କରାଇଛନ୍ତି। ବିସିସିଆଇ ମଧ୍ୟ ଗତ ଫେବୃୟାରୀରେ ଆଇସିଏକୁ କାର୍ଯ୍ୟକ୍ଷମ କରିବାକୁ ୨ କୋଟି ଟଙ୍କାର ପ୍ରାରମ୍ଭିକ ଅନୁଦାନ ପ୍ରଦାନ କରିଛି।