ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କ ପରଲୋକ

ହାଇଦ୍ରାବାଦ,୨୮।୭: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କର ରବିବାର ପରଲୋକ ହୋଇଛି। ହାଇଦ୍ରାବାଦରେ ୭୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ନିମୋନିଆରେ ପୀଡିତ ଥିବା ରେଡ୍ଡୀଙ୍କୁ ଶନିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରେଡ୍ଡୀ ଲୋକ ସଭାକୁ ୫ ଥର ଓ ରାଜ୍ୟ ସଭାକୁ ୨ ଥର ମନୋନୀତ ହୋଇଥିଲେ। ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକ ପ୍ରକାଶ କରିଛନ୍ତି। ଏହାସହ କଂଗ୍ରେସ ଜଣେ ବରିଷ୍ଠ ନେତାଙ୍କୁ ହରାଇଲା ବୋଲି ତା’ର ଅଫିସିଆଲ ଟୁଇଟରରେ ପ୍ରକାଶ କରିଛି। ରେଡ୍ଡୀଙ୍କ ପରଲୋକରେ ପ୍ରାୟ ସବୁ ମହଲରୁ ଶୋକ ପ୍ରକାଶ କରାଯାଇଛି।