Categories: ଅନୁଗୋଳ

ପୁନରାବୃତ୍ତି ହେବନି କହିଲେ ସିଡିଏମ୍‌ଓ

ଅନୁଗୋଳ ଅଫିସ, ୧୫।୧୨

ଅନେକ ସମୟରେ ସନ୍ଦିଗ୍ଧ ଅବସ୍ଥାରେ ଆହତ କିମ୍ବା ଗୁରୁତର ହୋଇ ବ୍ୟକ୍ତି ମେଡିକାଲକୁ ଆସୁଥିଲେ ହେଁ ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ତୁରନ୍ତ ପୋଲିସକୁ ସୂଚନା ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ଏ ନେଇ ପୂର୍ବରୁ ନଜିର ମଧ୍ୟ ରହିଛି। ଗତ ଦୋଳ ପୂର୍ଣ୍ଣିମା ମେଲଣ ସମୟରେ କୁଶାସିଂହା ଅଞ୍ଚଳର ଜଣେ ଯୁବକଙ୍କ ଗୋଡ଼ରେ ଗୁଳି ବାଜିଥିଲା। କିନ୍ତୁ ସମ୍ପୃକ୍ତ ଯୁବକ ଜଣକ ଗୋଡ଼ି ବାଜିଥିବା ଡାକ୍ତରଙ୍କୁ କହିଥିଲେ। ହେଲେ ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଏକାକୁ ସନ୍ଦେହ କଲେନି କି ପୋଲିସକୁ ସୂଚନା ମଧ୍ୟ ଦେଲେନି। ବରଂ ପ୍ରାଥମିକ ଚିକିତ୍ସା ପରେ କଟକ ପଠାଇଦେଲେ। ସେଠାକାର ଡାକ୍ତର ସନ୍ଦେହ କରି ଚିକିତ୍ସା ନ କରିବାରୁ ଅନୁଗୋଳ ଥାନାରେ ମାମଲା ରୁଜୁ ପରେ ଯୁବକଙ୍କ ଅପରେଶନ ହୋଇଥିଲା। ଯୁବକ ଜଣଙ୍କ ପାଖରେ ରଖିଥିବା ବନ୍ଧୁକରୁ ଗୁଳି ଫୁଟି ଗୋଡ଼ରେ ବାଜିଥିବା ପୋଲିସ ତଦନ୍ତରୁ ଜାଣିବା ପରେ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସେଥିରୁ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ କିଛି ଶିକ୍ଷା କରି ନ ଥିବା ଡିନାମାଇଟ୍‌ ଫୁଟି ଆହତ ଘଟଣାରୁ ଜଣାପଡ଼ୁଛି ବୋଲି ସହରବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅମରେନ୍ଦ୍ରନାଥ ମହାନ୍ତି କହିଛନ୍ତି, ଏଥର ଏପରି ଘଟଣା ଭିଆଇ ମେଡିକାଲକୁ ଆସୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସକୁ ଅବଗତ କରାଯିବ। ଆଉ ପୂର୍ବ ଭୁଲର ପୁନରାବୃତ୍ତି ହେବ ନାହିଁ। ଗୁରୁତର ସନ୍ଦିଗ୍ଧଙ୍କ ଚିକିତ୍ସା ପୂର୍ବରୁ ପୋଲିସକୁ ଜଣାଇ ଦିଆଯିବ ବୋଲି ସିଡିଏମ୍‌ଓ ପ୍ରକାଶ କରିଛନ୍ତି।