Categories: ଅନୁଗୋଳ

ପୁଣି ବିବାଦରେ ଜିଲା ମୁଖ୍ୟ ଚିକିତ୍ସାଳୟ: ୫୦ ହଜାର ମିଳିବ କହି ୫ଶହ ନେଇ ଦଲାଲ ପାର୍‌

ଅନୁଗୋଳ ଅଫିସ, ୧ା୮ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ଦଲାଲ ରାଜ। ବିଭିନ୍ନ ସମୟରେ ଏମାନେ ଚିକିତ୍ସା ପାଇଁ ଦୂର ଦୂରାନ୍ତରୁ ଆସୁଥିବା ଅଜ୍ଞ୍ୟ ଲୋକଙ୍କୁ ଟାର୍ଗେଟ୍‌ କରୁଛନ୍ତି। ବୁଧବାର ମଧ୍ୟ ଜଣେ ରୋଗୀଙ୍କ ସ୍ବାମୀଙ୍କଠାରୁ ୫ଶହ ଟଙ୍କା ଦଲାଲ ନେଇ ଫେରାର ହୋଇଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ଗତ ୨୯ ତାରିଖରେ ଦେବଗଡ଼ ଜିଲା ଝରାବେରିଣିର ମୋହନ ନାଏକ ତାଙ୍କ ସ୍ତ୍ରୀ ଆରତୀଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ୩ ମହଲାରେ ଆରତୀଙ୍କ ଚିକିତ୍ସା ହେଉଥିଲା। ଜ୍ୱର ସହ ଦେହରେ ରକ୍ତ କମିଯିବାରୁ ତାଙ୍କୁ ଗୋଟିଏ ରକ୍ତ ଦିଆଯାଇଥିଲା। ବୁଧବାର ଜଣେ ଦଲାଲ ତାଙ୍କ ନିକଟରେ ପହଞ୍ଚତ୍ ସମ୍ପର୍କୀୟ ପରିଚୟ ଦେଇଥିଲେ। ନିଜ ନାମ ଧୀରୁ ବୋଲି କହିବା ସହ ଦଲାଲ ଜଣକ ମେଡିକାଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ଟଙ୍କା ପ୍ରଦାନ କରୁଥିବାରୁ ପାଇଛ କି ନାହିଁ ପଚାରିଥିଲେ। ପରେ ଟଙ୍କା ଆଣିବ କହି ରୋଗୀଙ୍କ ସ୍ବାମୀ ମୋହନଙ୍କୁ ଡାକି ନେଇଯାଇଥିଲେ। ସାଙ୍ଗରେ ରୋଗୀଙ୍କ ପରୀକ୍ଷା ରିପୋର୍ଟ ଓ ୫ ଶହ ଟଙ୍କା ଧରି ଆସିବାକୁ ମୋହନଙ୍କୁ କହିଥିଲେ। ମୋହନ ଟଙ୍କା ଓ ରିପୋର୍ଟ ନେଇ ଯାଇଥିଲେ ହେଁ ଦୀର୍ଘ ସମୟ ଧରି ଫେରି ନ ଥିଲେ। ଫଳରେ ମୋହନଙ୍କ ଝିଅ ପ୍ରିୟଙ୍କା ବାପାଙ୍କୁ ଏ ଫାଟକରୁ ସେ ଫାଟକ ଖୋଜି ଖୋଜି ନୟାନ୍ତ ହୋଇପଡ଼ିଥିଲେ। ଶେଷରେ ବାପାଙ୍କୁ ନ ପାଇବାରୁ ସନ୍ଧ୍ୟାରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ। ସମସ୍ତ କଥା କହିବା ସହ ଲିଖିତ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ସିଡିଏମ୍‌ଓ ବେହେରା କହିଛନ୍ତି, ଅଭିଯୋଗ ହୋଇଛି। ଲୋକଙ୍କୁ ସଚେତନ କରାଯାଉଛି। ଲୋକମାନେ କିନ୍ତୁ ଦଲାଦଲଙ୍କ କଥାରେ ପଡ଼ି ଅର୍ଥ ହରାଉଛନ୍ତି। ଏ ନେଇ ଅନୁଗୋଳ ପୋଲିସ ନିକଟରେ ଅଭିଯୋଗ କରାଯିବ। ସିସିଟିଭି ଯାଞ୍ଚ କରି ପୋଲିସ ଦଲାଲଙ୍କୁ ଧରିବା ପାଇଁ ଚେଷ୍ଟା କରିବ। ଅନ୍ୟପକ୍ଷରେ ମେଡିକାଲକୁ ମୋହନ ରାତି ୮ଟାରେ ଫେରିଥିବା ଜଣାପଡ଼ିଛି।