Doha: India's Dutee Chand competes in the women's 100-meters semifinal race at the Asian Athletics Championships in Doha, Qatar, Monday, April 22, 2019. AP/PTI(AP4_22_2019_000187B)
ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍ ଓଡ଼ିଶାର ଦୂତୀ ଚାନ୍ଦ ଦୋହାଠାରେ ଚାଲିଥିବା ୨୩ତମ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍ରେ କ୍ରମାଗତ ଦ୍ୱିତୀୟଥର ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। ରବିବାର ପ୍ରଥମ ଦିବସରେ ଅନୁଷ୍ଠିତ ମହିଳା ୧୦୦ ମିଟର ହିଟ୍ରେ ୧୧.୨୮ ସେକେଣ୍ଡ ସମୟ ନେଇ ନିଜ ନାମରେ ଥିବା ଜାତୀୟ ରେକର୍ଡରେ ଉନ୍ନତି ଆଣିଥିବା ଦୂତୀ ସୋମବାର ସେମିଫାଇନାଲରେ ୧୧.୨୬ ସେକେଣ୍ଡ ସମୟ ନେଇ ଏହାକୁ ଦ୍ୱିତୀୟଥର ଭାଙ୍ଗିଛନ୍ତି।
ଫାଇନାଲରେ ପଞ୍ଚମ
ଫାଇନାଲରେ କିନ୍ତୁ ଏହି ପ୍ରଦର୍ଶନକୁ ଦୋହରାଇ ପାରିନାହାନ୍ତି ଦୂତୀ। ସେ ୧୧.୪୪ ସେକେଣ୍ଡ ସମୟ ନେଇ ୫ମ ସ୍ଥାନରେ ସନ୍ତୁଷ୍ଟ ରହିଛନ୍ତି। କାଜାଖସ୍ତାନର ଓଲ୍ଗା ସାଫ୍ରାନୋଭା ୧୧.୧୭ ସେକେଣ୍ଡ ସହ ସ୍ବର୍ଣ୍ଣ, ଚାଇନାର ଲିଆଙ୍ଗ ଜିଆଓଜିଙ୍ଗ ୧୧.୨୮ ସେକେଣ୍ଡ ସହ ରୌପ୍ୟ ଏବଂ ସେହି ଦେଶର ଓ୍ବେଇ ୟଙ୍ଗଲି ୧୧.୩୭ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ପାଇଛନ୍ତି। ଉଜବେକିସ୍ତାନର ନିଗିନା ଶାରିପୋଭା ୧୧.୪୧ ସେକେଣ୍ଡ ସମୟ ସହ ଦୂତୀଙ୍କ ଉପରକୁ ୪ର୍ଥ ସ୍ଥାନରେ ରହି ରେସ୍ ଫିନିଶ୍ କରିଛନ୍ତି। ଫାଇନାଲରେ ଭାଗ୍ୟ ପରୀକ୍ଷା କରିଥିବା ଅନ୍ୟ ପ୍ରତିଯୋଗୀଙ୍କ ମଧ୍ୟରେ ବାହାରିନର ଇମାନ ଜାସିମ ୧୧.୫୫, କିର୍ଗିଜସ୍ତାନର ଆନା ବୁଲାନୋଭା ୧୧.୬୧ ଓ ଥାଇଲାଣ୍ଡର ସୁପଓ୍ବନ ଥିପଟ ୧୧.୬୪ ସେକେଣ୍ଡ ସମୟ ନେଇ ଯଥାକ୍ରମେ ୬ଷ୍ଠରୁ ୮ମ ସ୍ଥାନ ପାଇଛନ୍ତି।
୧୧.୨୪ ସେକେଣ୍ଡ ଯୋଗ୍ୟତା ପର୍ଯ୍ୟାୟ ଟାଇମିଂ ସ୍ପର୍ଶ କରିପାରି ନ ଥିବାରୁ ଦୂତୀ ଅଳ୍ପକେ ଆଗାମୀ ସେପ୍ଟେମ୍ବର-ଅକ୍ଟୋବରରେ ହେବାକୁଥିବା ବିଶ୍ୱ ଚାମ୍ପିୟନଶିପ୍ ଯୋଗ୍ୟତା ପାଇପାରି ନାହାନ୍ତି। ଯାଜପୁର ଚକା ଗୋପାଳପୁରର ଦୂତୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ୨୦୧୭ ଜୁନ୍ ୬ରୁ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ୨୨ତମ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍ର ମହିଳା ୧୦୦ ମିଟରରେ ବ୍ରୋଞ୍ଜ ପଦକ ପାଇଥିଲେ। ସେଠାରେ ଦୂତୀ ୧୧.୫୨ ସେକେଣ୍ଡ ସମୟ ନେଇଥିଲେ। ମାତ୍ର ଦୋହାରେ ୧୧.୪୪ ସେକେଣ୍ଡ ସମୟ ନେଇଥିଲେ ହେଁ ତାଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଛି।