ପିଆଜ-ରସୁଣ ଉପରେ ଲୁଟେରାଙ୍କ ଆଖି: ଟ୍ରକ୍‌ ଚାଳକଙ୍କୁ ବନ୍ଧକ ରଖି ଲୁଟିନେଲେ ୫୧ କ୍ୱିଣ୍ଟାଲ ପିଆଜ

କୈମୁର୍‌,୨୮।୧୨: ଦେଶରେ ପିଆଜ ରସୁଣ ଦାମ୍‌ ବଢ଼ିଚାଲିଥିବାବେଳେ କେତେକ ଅଞ୍ଚଳରେ ପିଆଜ-ରସୁଣ ଲୁଟ୍‌ ଘଟଣାମାନ ଘଟୁଛି। ବିହାରର କୈମୁର ଜିଲାର ମୋହନିଆ ଥାନା ଅଞ୍ଚଳରେ କିଛି ଲୁଟେରା ଏକ ଟ୍ରକ୍‌କୁ ଅଟକାଇ ୫୧ କ୍ୱିଣ୍ଟାଲ୍‌ ପିଆଜ ଲୁଟ୍‌ କରିଛନ୍ତି। ୬ରୁ ଅଧିକ ଲୁଟେରା ବିଭିନ୍ନ ମାରଣାସ୍ତ୍ର ଧରି ଟ୍ରକ୍‌ରୁ ୧୦୨ ବସ୍ତା ପିଆଜ ଲୁଟ୍‌ କରିଥିବା ଚାଳକ ଦେଶରାଜ୍‌ ପୋଲିସକୁ କହିଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଡିସେମ୍ବର ପ୍ରଥମ ସପ୍ତାହରେ କୁଦରରା ଥାନା ଅଞ୍ଚଳରେ ଲୁଟେରା ୧୯୨୦ କିଲୋଗ୍ରାମ୍‌ ରସୁଣ ଲୁଟ୍‌ କରିଥିଲେ।