Sri Lanka's Lahiru Kumara (C) celebrates after taking the wicket of Pakistan's Yasir Shah (unseen) as teammate Niroshan Dickwella (L) looks on during the first day of the second Test cricket match between Pakistan and Sri Lanka at the National Cricket Stadium in Karachi on December 19, 2019. (Photo by Asif HASSAN / AFP) (Photo by ASIF HASSAN/AFP via Getty Images)
କରାଚି, ୨୦।୧୨ (ଏଏଫ୍ପି)- ଭ୍ରମଣକାରୀ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜର ଅନ୍ତିମ ତଥା ୨ୟ ମ୍ୟାଚ୍ ଗୁରୁବାରଠାରୁ ଏଠାରେ ଆରମ୍ଭ ହୋଇଛି। ସ୍ଥାନୀୟ ନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଘରୋଇ ପାକିସ୍ତାନ ୧୯୧ ରନରେ ଅଲ୍ଆଉଟ୍ ହୋଇଯାଇଛି। ଜବାବରେ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଶ୍ରୀଲଙ୍କା ୩ ଉଇକେଟ୍ ହରାଇ ୬୪ ରନ୍ ସଂଗ୍ରହ କରିଛି। ଫଳରେ ପ୍ରଥମ ଦିନରେ ବୋଲରମାନେ ମୋଟ୍ ୧୩ ଉଇକେଟ୍ ଅକ୍ତିଆର କରି ପ୍ରଧାନ୍ୟ ବିସ୍ତାର କରିଛନ୍ତି। ଦୀର୍ଘ ଏକ ଦଶନ୍ଧି ପରେ ପାକିସ୍ତାନ ମାଟିକୁ ଟେଷ୍ଟ କ୍ରିକେଟ୍ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ସିରିଜର ପ୍ରଥମ ମ୍ୟାଚ୍ ଡ୍ର’ ରହିଥିଲା। ତେଣୁ ଉଭୟ ଦଳ ଏହି ମ୍ୟାଚ୍ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛନ୍ତି।
ଅଧିନାୟକ ଆଝାର ଅଲୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳ ପ୍ରାରମ୍ଭରୁ ଓପନର୍ ଶାନ୍ ମାସୁଦ (୫) ଓ ଆଝାର (୦)ଙ୍କ ଉଇକେଟ୍ ହରାଇଥିଲା। ବିଶ୍ୱ ଫର୍ନାଣ୍ଡୋ ୭ମ ଓଭରର ପ୍ରଥମ ଓ ୩ ବଲରେ ଏହି ଦୁଇ ଉଇକେଟ୍ ନେଇ ଶ୍ରୀଲଙ୍କାକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ଏହାପରେ ଆବିଦ୍ ଅଲୀ (୩୮), ବାବର ଆଜାମ (୬୦) ଓ ଆସଦ୍ ସଫିକ (୬୩) କିଛି ସମୟ ସଂଘର୍ଷ କରି ଦଳୀୟ ସ୍କୋରକୁ ଦେଢ଼ଶହ ଅତିକ୍ରମ କରାଇଥିଲେ। କିନ୍ତୁ ମଧ୍ୟ ଓ ନିମ୍ନକ୍ରମ ବ୍ୟାଟିଂ ବିଫଳତା ଯୋଗୁ ପାକିସ୍ତାନ ୧୯୧ ରନରେ ସୀମିତ ରହିଥିଲା। ଏକଦା ୪ ଉଇକେଟ୍ରେ ୧୬୭ ରନ କରିଥିବା ଘରୋଇ ଦଳ ୨୪ ରନରେ ଶେଷ ୬ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ଦଳ ପକ୍ଷରୁ ୮ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ଶ୍ରୀଲଙ୍କାର ଲାହିରୁ କୁମାରା (୪), ବାମହାତୀ ସ୍ପିନର ଲସିଥ୍ ଏମ୍ବୁଲଡେନିୟା (୪) ଓ ଫର୍ନାଣ୍ଡୋ (୨) ମିଳିତ ଭାବେ ଉଇକେଟ୍ ବାଣ୍ଟି ନେଇଥିଲେ। ଜବାବରେ ଶ୍ରୀଲଙ୍କା ୧୯ ଓଭରରେ ୩ ଉଇକେଟ୍ ହରାଇ ୬୪ ରନ କରିଛି। ଓଶାଡା ଫର୍ନାଣ୍ଡୋ ୪, ଅଧିନାୟକ ଦିମୁଥ କରୁଣାରତ୍ନେ ୨୫ ଓ କୁଶଲ ମେଣ୍ଡିସ ୧୩ ରନ କରି ଆଉଟ୍ ହୋଇଛନ୍ତି। ଭେଟେରାନ ଆଞ୍ଜେଲୋ ମାଥ୍ୟୁସ ୮ ଓ ଏମ୍ବୁଲଡେନିୟା ୩ ରନରେ ଅପରାଜିତ ରହିଛନ୍ତି।