Categories: Home Leftଖେଳ

ପାକିସ୍ତାନ ଦଳର ନେତୃତ୍ୱରେ ପରିବର୍ତ୍ତନ ଦରକାର: ଆର୍ଥର

କରାଚୀ,୫।୮(ପି.ଟି.)- ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ପଦରୁ ସର୍ଫରାଜ ଅହମ୍ମଦଙ୍କୁ ହଟାଇବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟ କୋଚ୍‌ ମିକି ଆର୍ଥର। ଏଥିସହିତ ପିସିବି କ୍ରିକେଟ କମିଟିକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। ତାଙ୍କୁ ଆଉ ୨ ବର୍ଷ କୋଚ୍‌ ପଦରେ ରହିବାକୁ ଦିଆଗଲେ, ଦଳକୁ ଉଲ୍ଲେଖନୀୟ ସଫଳତା ଆଣି ଦେଇପାରିବେ ବୋଲି ଯୁକ୍ତି ବାଢ଼ିଛନ୍ତି ଆର୍ଥର। ଉକ୍ତ କମିଟି ଗତ ବିଶ୍ୱକପ୍‌ ସମେତ ଦଳର ୩ ବର୍ଷର ପ୍ରଦର୍ଶନକୁ ରିଭ୍ୟୁ କରିଛି। ଆର୍ଥରଙ୍କ ପ୍ରସ୍ତାବ ଅନୁଯାୟୀ, ସର୍ଫରାଜଙ୍କୁ ଅଧିନାୟକ ପଦରୁ ହଟାଯିବା ଦରକାର। ତାଙ୍କ ସ୍ଥାନରେ ଶଦାବ ଖାନଙ୍କୁ ଦିନିକିଆ ଓ ଟି୨୦ ଦଳର ନେତୃତ୍ୱ ଦିଆଯାଉ। ଆଉ ବାବର ଆଜାମଙ୍କୁ କ୍ରିକେଟର ଲମ୍ବା ଫର୍ମାଟର ଦାୟିତ୍ୱ ଦିଆଯିବା ଉଚିତ। ସମସ୍ତ ସୁପାରିସକୁ ପିସିବି ମୁଖ୍ୟ ଇସାନ ମାନିଙ୍କ ନିକଟକୁ ପଠାଇବା ପୂର୍ବରୁ ବୁଧବାର ପିସିବି ମ୍ୟାନେଜିଂ ଡିରେକ୍ଟର ଓ୍ବାସିମ ଖାନଙ୍କ ନେତୃତ୍ୱରେ କ୍ରିକେଟ କମିଟି ଆଉ ଏକ ବୈଠକ କରିବେ। ଆର୍ଥର ୨୦୧୬ ମଝିରୁ ପାକିସ୍ତାନ ଦଳର କୋଚ୍‌ ଭାବେ ନିଯୁକ୍ତ ହୋଇଥିଲେ। ଦୁଇ ବର୍ଷ ପୂର୍ବେ ତାଙ୍କ ନେତୃତ୍ୱରେ ଦଳ ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିଥିଲା। ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷ ସ୍ଥାନ ହାସଲ କରିଥିଲା। ତାଙ୍କ କାର୍ଯ୍ୟକାଳ ଚଳିତ ମାସ ୧୫ ତାରିଖରେ ଶେଷ ହେବାକୁ ଯାଉଛି।

Share