LEEDS, ENGLAND - JUNE 29: Shaheen Afidi of Pakistan celebrates the wicket of Gulbadin Naib of Afghanistan during the Group Stage match of the ICC Cricket World Cup 2019 between Pakistan and Afghanistan at Headingley on June 29, 2019 in Leeds, England. (Photo by Clive Mason/Getty Images)
ଲିଡ୍ସ,୩୦।୬(ପି.ଟି.)- ଆଇସିସି ବିଶ୍ୱକପ୍ର ଶନିବାର ଅନୁଷ୍ଠିତ ମ୍ୟାଚ୍ରେ ପାକିସ୍ତାନ ୨ଟି ବଲ ବାକି ରଖି ୩ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ ଟସ୍ ଜିତି ଆଫଗାନିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ହରାଇ ୨୨୭ ରନ କରିଥିଲା। ଜବାବରେ ପାକିସ୍ତାନ ବିପର୍ଯ୍ୟୟ ସତ୍ତ୍ୱେ ୪୯.୪ ଓଭରରେ ୭ ଉଇକେଟ ହରାଇ ୨୩୦ ରନ କରି ବିଜୟୀ ହୋଇଛି। ଏଥି ସହିତ ପାକିସ୍ତାନ ୮ଟି ମ୍ୟାଚ୍ ଖେଳି ୪ ବିଜୟ, ୩ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୯ ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନକୁ ଉଠି ତା’ର ସେମିଫାଇନାଲ ଆଶା ଉଜ୍ଜୀବିତ ରଖିଛି। ଅନ୍ୟପଟେ ଆଫଗାନିସ୍ତାନ ୮ଟି ମ୍ୟାଚ୍ ଖେଳି ସବୁଥିରେ ପରାସ୍ତ ହୋଇ ବିନା ପଏଣ୍ଟ ସହ ତାଲିକାର ଅନ୍ତିମ ତଥା ଦଶମ ସ୍ଥାନରେ ରହିଛି। ମୂଲ୍ୟବାନ ୨ ଉଇକେଟ ନେବା ସହ ଅପରାଜିତ ୪୯ ରନର ଇନିଂସ ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଇମାଦ ଓ୍ବାସିମ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।
୨୨୮ ରନର ଛୋଟିଆ ବିଜୟ ଲକ୍ଷ୍ୟର ପିଛା କରି ପାକିସ୍ତାନ ତାରକା ଓପନର ଫକର ଜମାନଙ୍କୁ ବିନା ସ୍କୋରରେ ହରାଇ ପ୍ରାରମ୍ଭିକ ଝଟ୍କା ଖାଇଥିଲା। ଦ୍ୱିତୀୟ ଉଇକେଟରେ ଇମାମ ଉଲ ହକ ଓ ବାବର ଆଜମ ୭୨ ରନ ସଂଗ୍ରହ କରିଥିଲେ। ଇମାମ ୩୬ ଓ ଆଜମ ୪୫ ରନକରି ମହମ୍ମଦ ନବୀଙ୍କ ଶିକାର ହୋଇଥିଲେ। ଏହାପରେ ଅଭିଜ୍ଞ ମହମ୍ମଦ ହାଫିଜ୍ ୧୯ ରନ କରିଥିବା ବେଳେ ମୁଜିବ ଉର ରହମାନଙ୍କ ଦ୍ୱାରା ଆଉଟ ହୋଇଥିଲେ। ଇନ୍ଫର୍ମ ହାରିସ ସୋହେଲ ୨୭ ରନ କରି କ୍ରିଜ୍ରେ ଜମି ଆସୁଥିବା ବେଳେ ରସିଦ ଖାଁଙ୍କ ଦ୍ୱାରା ଏଲ୍ବିଡବ୍ଲ୍ୟୁ ହୋଇଥିଲେ। ଅଧିନାୟକ ସର୍ଫରାଜ ଅହମ୍ମଦ ୧୮ ରନ କରି ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ୍ ହୋଇଥିଲେ। ଏହାପରେ ୧୧ ରନ କରିଥିବା ବେଳେ ଶଦାବ ଖାଁ ମଧ୍ୟ ରନ୍ ଆଉଟ ହୋଇଥିଲେ। ସପ୍ତମ ଉଇକେଟରେ ଇମାଦ ଓ୍ବାସିମ ଓ ଶଦାବ ୫୦ ରନକରି ସ୍ଥିତି ସମ୍ଭାଳିଥିଲେ। ଇମାଦ ୫୪ ବଲରୁ ୫ ଚୌକା ସହ ୪୯ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ସେହିପରି ୯ ବଲରୁ ୧ ଚୌକା ଓ ୧ ଛକା ସହ ଓ୍ବାହାବ ରିୟାଜ ୧୫ ରନ କରି ଅପରାଜିତ ରହିଥିଲେ। ସପ୍ତମ ଉଇକେଟରେ ଓ୍ବାସିମ ଓ ରିୟାଜ ୧୮ ବଲରୁ ଦ୍ରୁତ ୨୪ ରନ କରି ଦଳକୁ ସଂଘର୍ଷପୂର୍ଣ୍ଣ ବିଜୟ ପ୍ରଦାନ କରିଥିଲେ। ବୋଲିଂରେ ଆଫଗାନିସ୍ତାନ ତରଫରୁ ରହମାନ ଓ ନବୀ ୨ଟି ଲେଖାଏ, ରସିଦ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଅଧିନାୟକ ଗୁଲବଦିନ ନାଇବଙ୍କୁ ସଅଳ ହରାଇଥିଲା। ନାଇବ ୧୫ ରନ କରି ଆଫ୍ରିଦୀଙ୍କ ଦ୍ୱାରା ଆଉଟ ହୋଇଥିଲେ। ଅନ୍ୟତମ ଓପନର ରହମତ ଶାହ ୩୫ ରନ କରି ସ୍ପିନର ଇମାଦ ଓ୍ବାସିମଙ୍କ ଶିକାର ହୋଇଥିଲେ। ୫୭ ରନରେ ୩ ଉଇକେଟ ହରାଇ ଆଫଗାନିସ୍ତାନ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଅସଘର ଆଫଗାନ ଓ ନାଜିବୁଲ୍ଲା ଜଡ୍ରାନ ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ଆଫଗାନ ୩୫ଟି ବଲର ସମ୍ମୁଖୀନ ହୋଇ ୩ ଚୌକା ଓ ୨ ଛକା ସହ ୪୨ ରନ କରି ଆଉଟ ହୋଇଥିଲେ। ସେହିପରି ନାଜିବୁଲ୍ଲା ୫୪ଟି ବଲର ସମ୍ମୁଖୀନ ହୋଇ ୪୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଇକେଟକିପର ବ୍ୟାଟ୍ସମ୍ୟାନ ଇକ୍ରାମ ଅଲିଖିଲ ୨୪, ମହମ୍ମଦ ନବି ୧୬ ରନ କରି ଆଉଟ ହୋଇଥିଲେ। ସମିଉଲ୍ଲା ସେନଓ୍ବାରି ୧୯ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ଆଫ୍ରିଦୀ ସର୍ବାଧିକ ୪, ଇମାଦ ଓ୍ବାସିମ ଓ ଓ୍ବାହାବ ରିୟାଜ ଦୁଇଟି ଲେଖାଏ, ଶଦାବ ଖାଁ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଆଫଗାନିସ୍ତାନ ୫୦ ଓଭରରେ ୨୨୭/୯ (ଅସଘର- ୪୨, ନାଜିବୁଲ୍ଲା- ୪୨, ରହମତ- ୩୫, ଅଲିଖିଲ- ୨୪, ଆଫ୍ରିଦୀ- ୪/୪୭, ଓ୍ବାସିମ- ୨/୪୮, ରିୟାଜ- ୨/୨୯)।
ପାକିସ୍ତାନ ୪୯.୪ ଓଭରରେ ୨୩୦/୭ (ବାବର- ୪୫, ଇମାଦ- ୪୯*, ଇମାମ- ୩୬, ସୋହେଲ- ୨୭, ରିୟାଜ- ୧୫*, ରହମାନ- ୨/୩୪, ନବୀ- ୨/୨୩ )।