Friends of Pakistan group reception
ନୂଆଦିଲ୍ଲୀ,୧୫।୯: ନୋବେଲ ଶାନ୍ତି ପୁରସ୍କାର ବିଜେତା ଏବଂ ପାକିସ୍ତାନରେ ଶିକ୍ଷା ଅଧିକାର ପାଇଁ କାମ କରୁଥିବା ୨୨ବର୍ଷୀୟା ମଲାଲା ୟୁସୁଫ୍ଜାଇ ଜମ୍ମୁ-କଶ୍ମୀରକୁ ନେଇ ଏକ ଟୁଇଟ୍ କରିଛନ୍ତି। ଏଥିରେ ସେ କହିଛନ୍ତି, କଶ୍ମୀର ଏବେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଛି। ଛାତ୍ରୀଛାତ୍ରମାନେ ୪୦ ଦିନ ହେଲା ସ୍କୁଲ ଯାଇପାରୁନାହନ୍ତି। ସେମାନେ ନିଜର ମତ ସମସ୍ତଙ୍କ ସାମ୍ନାରେ ରଖିପାରୁନାହାନ୍ତି। ମୁଁ କଶ୍ମୀରରେ ରହୁଥିବା ଝିଅଙ୍କ ସହ ସିଧାସଳଖ କଥା ହେବାକୁ ଚାହୁଁଛି ବୋଲି ସେ କହିଛନ୍ତି। ମଲାଲାଙ୍କ ଏହି ଟୁଇଟର ଜବାବ୍ ଦେଇ ଭାଜପା ଏମ୍ପି ଶୋଭା କରନ୍ଦ୍ଲାଜେ କହିଛନ୍ତି, ମଲାଲା ପ୍ରଥମେ ନିଜ ଦେଶରେ ଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବତୀଙ୍କ ସହ କଥାବାର୍ତ୍ତା କରନ୍ତୁ। ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବତୀଙ୍କୁ ଯେଉଁଭଳି ଜୋରଜବରଦସ୍ତି ଧର୍ମାନ୍ତରଣ କରାଯାଇ ନିର୍ଯାତନା ଦିଆଯାଉଛି ମଲାଲା ତା’ର ସମାଧାନ କରନ୍ତୁ। କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ଏବେ ତାହା ବିକାଶ ଆଡକୁ ଗତି କରୁଛି ବୋଲି ଶୋଭା ମତ ଦେଇଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଚ୍ଛେଦ ପରେ ସେଠାରେ ସାଧାରଣ ଜୀବନଯାପନ ପ୍ରଭାବିତ ହୋଇଛି। ଏବେ ବି କେତେକ ସ୍ଥାନରେ ସ୍କୁଲ, କଲେଜ୍ ଏବଂ ଦୋକାନ ଖୋଲିନି। ଇଣ୍ଟରନେଟ୍ ସେବା ମଧ୍ୟ ବ୍ୟାଘାତ ଘଟିଛି।