ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ ନୂଆ ମୋଟରଯାନ ନିୟମ: ମମତା

କୋଲକାତା,୧୧।୯: ସମଗ୍ର ଦେଶରେ ସେପ୍ଟେମ୍ବର ୧ରୁ ନୂଆ ମୋଟରଯାନ ନିୟମ ଲାଗୁ ହୋଇଛି। ନୂତନ ନିୟମ ଅନୁସାରେ ଟ୍ରାଫିକ ନିୟମ ଉଲଂଘନ ଓ ଜରୁରୀ କାଗଜପତ୍ର ପାଇଁ ଲୋକଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ୁଛି। ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟରେ ନୂଆ ମୋଟର ଯାନ ନିୟମ ଲାଗୁ କରିବେ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି, ଯେ କେନ୍ଦ୍ର ସରକାରଙ୍କ ଏହି ନିୟମ ଲୋକଙ୍କ ଉପରେ ବୋଝ ହୋଇପଡ଼ିଛି। ଏହି ନିୟମକୁ ଆମେ ସଂସଦରେ ମଧ୍ୟ ବିରୋଧ କରିଥିଲୁ। ଏହା ଲାଗୁ ହେବା ପରେ ଲୋକଙ୍କ ଉପରେ ଟଙ୍କାର ବୋଝ ବଢ଼ିଯିବ। ତେଣୁ ଏହାକୁ ପଶ୍ଚିମବଙ୍ଗରେ ଲାଗୁ କରାଇବାକୁ ଦିଆଯିବ ନାହିଁ ବୋଲି ମମତା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଟ୍ରାଫିକ ନିୟମ ପାଳନ କରି ଗାଡ଼ି ଚଳାଇବା ସହ ନିଜର ଜୀବନ ବଞ୍ଚାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଲୋକଙ୍କୁ ନିବେଦନ କରିଛନ୍ତି। ଏଥିରେ କିଛି ମାତ୍ରାରେ ଦୁର୍ଘଟଣା ଉପରେ ରୋକୋ ଲଗାଯାଇପାରିବ। ତେବେ ଏହାରି ଭିତରେ ଗୁଜରାଟ ସରକାର ନୂଆ ନିୟମରେ ପରିବର୍ତ୍ତନ ଆଣିଛନ୍ତି। ନିଜ ରାଜ୍ୟରେ ଜରିମାନା ହ୍ରାସ କରିଥିବା ବେଳେ ଆଉ କେତେକ ରାଜ୍ୟ ଏହା ଉପରେ ବିଚାର କରୁଥିବା ଜଣାପଡ଼ିଛି।