PERTH, AUSTRALIA - DECEMBER 13: Travis Head of Australia congratulates team mate Mitchell Starc of Australia after dismissing Kane Williamson of New Zealand during day two of the First Test match between Australia and New Zealand at Optus Stadium on December 13, 2019 in Perth, Australia. (Photo by Cameron Spencer/Getty Images)
ପର୍ଥ, ୧୪।୧୨-
ସ୍ଥାନୀୟ ପର୍ଥ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ମଜଭୁତ ସ୍ଥିତିରେ ରହିଛି। ମାର୍ନୁସ ଲାବୁସେନଙ୍କ ଶତକପରେ ଶେଷଭାଗ ବ୍ୟାଟ୍ସମ୍ୟାନଙ୍କ ଉପଯୋଗୀ ଅବଦାନ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୧୬ ରନ କରିଛି। ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଦଳ ୧୦୯ ରନରେ ନ୍ୟୁଜିଲାଣ୍ଡର ୫ ଉଇକେଟ ଅକ୍ତିଆର କରି ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିବାରେ ସକ୍ଷମ ହୋଇଛି। ନ୍ୟୁଜିଲାଣ୍ଡ ହାତରେ ଆଉ ୫ ଉଇକେଟ ଥିବାବେଳେ ଅଷ୍ଟ୍ରେଲିଆ ଆହୁରି ୩୦୭ ରନରେ ଅଗ୍ରଣୀ ରହିଛି।
ପ୍ରଥମ ଦିବସର ଅସମାପ୍ତ ସ୍କୋର ୨୪୮/୪ରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ଦିବସରେ ମଧ୍ୟ ଆକର୍ଷଣୀୟ ବ୍ୟାଟିଂ କରିଥିଲା। ୫ମ ଉଇକେଟରେ ୭୬ ରନ ଯୋଗ ହେବାପରେ ଲାବୁସେନ ବ୍ୟକ୍ତିଗତ ୧୪୩ ରନ କରି ଆଉଟ ହୋଇଥିଲେ। ସେ ୨୪୦ଟି ବଲ୍ର ସମ୍ମୁଖୀନ ହୋଇ ନିଜ ଇନିଂସ ମଧ୍ୟରେ ୧୮ ଚୌକା ଓ ୧ ଛକା ମାରିଥିଲେ। ତାଙ୍କ ପାର୍ଟନର ଟ୍ରାଭିସ ହେଡ୍ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୯୭ଟି ବଲ୍ ଖେଳି ୧୦ ଚୌକା ସହ ୫୬ ରନ କରିଥିଲେ। ଏହି ଯୋଡ଼ି ଭାଙ୍ଗିବାପରେ ମଧ୍ୟ ନ୍ୟୁଜିଲାଣ୍ଡ ବୋଲରଙ୍କୁ ବିଶେଷ ସଫଳତା ମିଳି ନ ଥିଲା। ଅଧିନାୟକ ଟିମ୍ ପେନ୍ ୩୯(୧୦୫ ବଲ, ୨ ଚୌକା), ପ୍ୟାଟ୍ କୁମିନ୍ସ ୨୦(୮୫ ବଲ, ୨ ଚୌକା) ଓ ମିଚେଲ ଷ୍ଟାର୍କ ୩୦(୪୧ ବଲ, ୩ ଚୌକା, ୧ ଛକା) ରନ କରି ଅଷ୍ଟ୍ରେଲିଆ ସ୍କୋରକୁ ୪୦୦ ଅତିକ୍ରମ କରାଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସୌଦୀ ଓ ନେଲ ଓ୍ବାଗନର ୪ଟି ଲେଖାଏ ଏବଂ କଲିନ ଡି’ ଗ୍ରାଣ୍ଡହୋମ ଓ ଜୀତ୍ ରାଭାଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ପ୍ରଥମ ଇନିଂସ ଆରମ୍ଭରୁ ହିଁ ନ୍ୟୁଜିଲାଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପ୍ରଥମ ଓଭରରେ ଟମ୍ ଲାଥାମ ଖାତା ଖୋଲିବା ପୂର୍ବରୁ ଏବଂ ଦ୍ୱିତୀୟ ଓଭରରେ ଜୀତ ରାଭାଲ ମାତ୍ର ୧ ରନ କରି ଆଉଟ ହୋଇଥିଲେ। ଫଳରେ ୧ ରନରେ ୨ ଓପନରଙ୍କୁ ହରାଇ ନ୍ୟୁଜିଲାଣ୍ଡ ବିପଦରେ ପଡ଼ିଥିଲା। ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଅଧିନାୟକ କେନ୍ ଓ୍ବିଲିୟମସନ ଓ ରସ୍ ଟେଲର ସତର୍କତାର ସହିତ ଖେଳି ଦଳକୁ ବିପଦରୁ ବାହାର କରିଥିଲେ। ତେବେ ତୃତୀୟ ଉଇକେଟ ଯୋଡ଼ିରେ ୭୬ ରନ ଯୋଗ ହେବାପରେ ଓ୍ବିଲିୟମସନଙ୍କୁ ଆଉଟ କରି ପୁଣି ନ୍ୟୁଜିଲାଣ୍ଡକୁ ବ୍ୟାକ୍ଫୁଟକୁ ଠେଲି ଦେଇଥିଲେ ଷ୍ଟାର୍କ। ୭୦ଟି ବଲ୍ର ସମ୍ମୁଖୀନ ହୋଇଥିବା ଓ୍ବିଲିୟମସନ ୭ ଚୌକା ସହାୟତାରେ ୩୪ ରନ କରିଥିବାବେଳେ ଦ୍ୱିତୀୟ ସ୍ଲିପ୍ରେ ଷ୍ଟିଭ୍ ସ୍ମିଥଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ପରେ ହେନରି ନିକୋଲାସ(୭) ଓ ନେଲ୍ ଓ୍ବାଗନର(୦)ଙ୍କୁ ଆଉଟ କରି ନ୍ୟୁଜିଲାଣ୍ଡ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ ଷ୍ଟାର୍କ। ଦ୍ୱିତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ ଟେଲର ୬୬(୮୬ ବଲ, ୮ ଚୌକା) ଓ ବି.ଜେ. ଓ୍ବାଟଲିଙ୍ଗ୍ କୌଣସି ରନ ନ କରି ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆର ଷ୍ଟାର୍କ ୩୧ ରନରେ ୪ଟି ଏବଂ ଜୋଶ୍ ହାଜଲେଉଡ୍ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୪୧୬/ଅଲଆଉଟ (ଲାବୁସେନ-୧୪୩, ହେଡ୍-୫୬, ସ୍ମିଥ-୪୩, ଓ୍ବାର୍ନର-୪୩, ପେନ୍-୩୯, ଷ୍ଟାର୍କ-୩୦, ଓ୍ବାଗନର-୪/୯୨, ସୌଦୀ-୪/୯୩, ଗ୍ରାଣ୍ଡହୋମ-୧/୩୭, ଜୀତ ରାଭାଲ-୧/୩୩)। ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ: ୧୦୯/୫(ଟେଲର-୬୬*, ଓ୍ବିଲିୟମସନ-୩୪, ଷ୍ଟାର୍କ-୪/୩୧, ହାଜଲେଉଡ-୧/୦)।