ପରିବେଶର ରକ୍ଷକ ଶାଗୁଣା

ପ୍ରତିବର୍ଷ ସେପ୍ଟେମ୍ବର ପ୍ରଥମ ଶନିବାରକୁ ‘ଅନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ’ ଭାବରେ ପାଳନ କରାଯାଇ ଆସୁଛି। ୨୦୦୬ ମସିହାରେ ଦକ୍ଷିଣ ଆଫ୍ରିକାର ଏନ୍‌ଡେଞ୍ଜର୍ଡ ଓ୍ବାଇଲ୍ଡ ଲାଇଫ୍‌ ଟ୍ରଷ୍ଟ ଓ ଇଂଲଣ୍ଡର ହକ୍‌ କଞ୍ଜରଭାନ୍ସି ଟ୍ରଷ୍ଟ ମିଳିତଭାବେ ଶାଗୁଣାଙ୍କ ସଂରକ୍ଷଣ ସକାଶେ ଅନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ ଆରମ୍ଭ କରିଥିଲେ। ତେବେ ପ୍ରଥମ ଅନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ ୨୦୦୯ ସେପ୍ଟେମ୍ବର ପ୍ରଥମ ଶନିବାର ପାଳନ କରାଯାଇଥିଲା। ପରିବେଶକୁ ପରିଷ୍କାର ରଖିବାରେ ଶାଗୁଣାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କାରଣ ମରିଯାଇଥିବା ଜୀବଜନ୍ତୁ ପଚି ଶଢ଼ି ପରିବେଶକୁ ପ୍ରଦୂଷଣ କରିବା ପୂର୍ବରୁ ଏମାନେ ସେଗୁଡ଼ିକୁ ଖାଇଦିଅନ୍ତି। ପ୍ରତିକୂଳ ସ୍ଥିତିକୁ ଭ୍ରୂକ୍ଷେପ ନ କରି ଏମାନେ ନିଜ କାମରେ ଲାଗିଥାଆନ୍ତି। କିନ୍ତୁ ପରିତାପର ବିଷୟ, ପରିବେଶ ସଫେଇରେ ବିଶେଷ ଭୂମିକା ନିଭାଉଥିବା ଏହି ପକ୍ଷୀଙ୍କ ବଂଶ ଧୀରେ ଧୀରେ ଲୋପ ପାଇଯିବାକୁ ବସିଛି। ଏହାକୁ ନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କଲେଣି। ତେଣୁ ଏହି ଦିବସ ଅବସରରେ ପରିସଂସ୍ଥା ସୁରକ୍ଷାକାରୀ ଶାଗୁଣାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ଏବଂ ବିପଦଗ୍ରସ୍ତ ଉକ୍ତ ପ୍ରଜାତିଙ୍କ ସଂରକ୍ଷଣ ପ୍ରୟାସକୁ ପ୍ରୋତ୍ସାହିତ କରାଯାଇଥାଏ।