Breaking into a car with hammer and srewdriver
ପରଜଙ୍ଗ, ୫।୮(ଡି.ଏନ୍.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ଲୁଟେରା ଆତଙ୍କ ଦେଖାଦେଇଛି। ଡିହଡୋଳ ଗ୍ରାମ ନିକଟ ୫୩ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ରଖାଯାଇଥିବା ୫ଟି ଗାଡ଼ିରୁ ଶନିବାର ରାତିରେ ଦୁର୍ବୃତ୍ତମାନେ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଯାଇଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।
ଅଞ୍ଚଳର ଗାଡ଼ି ମାଲିକମାନେ ସବୁଦିନ ପରି ୫୩ନଂ. ଜାତୀୟ ରାଜପଥ କଡ଼ରେ ଗାଡ଼ିଗୁଡ଼ିକ ରଖିଥିଲେ। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଯୋଜନାବଦ୍ଧ ଚୋରି କରିଛନ୍ତି। ଡିହଡୋଳ ଗ୍ରାମର ସଞ୍ଜୟ ଭୂତିଆଙ୍କ ବୋଲେରୋର ଗୋଟିଏ ଚକା, ନଗେନ୍ଦ୍ର ଭୂତିଆଙ୍କ ଇଣ୍ଡିଗୋ ଗାଡ଼ିର ୨ଟି ଚକା, ପିଣ୍ଟୁ ଭୂତିଆଙ୍କ ବୋଲେରୋର ନୂଆ ଷ୍ଟେପିନ୍, ବିଷ୍ଣୁ ସାହୁଙ୍କ ୪୦୭ ଗାଡିରୁ ୮୦ ଲିଟରରୁ ଊର୍ଦ୍ଧ୍ୱ ଡିଜେଲ, ଅମୃତାନନ୍ଦ ଦଳବେହେରାଙ୍କ ଟିପ୍ପରରୁ ନୂଆ ବ୍ୟାଟେରି ସହିତ ଡିଜେଲ ଚୋରି ହୋଇଥିବା ଅଭିଯୋଗ ହୋଇଛି। କିଛିଦିନ ପୂର୍ବରୁ ସମାନ ଢଙ୍ଗରେ ବିନୋଦ ସାହୁଙ୍କ ଟିପ୍ପରରୁ ମଧ୍ୟ ଡିଜେଲ ଚୋରି ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଚୋରି ହୋଇଥିବା ସ୍ଥାନଠାରୁ ଥାନାର ଦୂରତା ମାତ୍ର ଏକ କିମି। ଘଟଣାସ୍ଥଳ ନିକଟରେ ଷ୍ଟେଟ ବ୍ୟାଙ୍କ ଶାଖା ରହିଛି। ଅଞ୍ଚଳରେ ଚୋରି ବଢୁଥିବାରୁ ପୋଲିସ ପକ୍ଷରୁ ୨ଜଣ ହୋମଗାର୍ଡ ମୁତୟନ କରାଯାଇଥିଲା। ଏହାସତ୍ତ୍ୱେ ଦୁର୍ବୃତ୍ତମାନେ ଘଣ୍ଟା ଘଣ୍ଟା ଧରି ଚୋରି କରିବା ଏବଂ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ଏକଥା ଜାଣି ନ ପାରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ ଗାଡ଼ି ମାଲିକମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଏ ନେଇ ଥାନାଧିକାରୀ ଆନନ୍ଦ ଡୁଙ୍ଗ୍ଡୁଙ୍ଗ୍ କୁହନ୍ତି, ଘଟଣାର ତଦନ୍ତ ଚାଲିଛି। ଖୁବଶୀଘ୍ର ଅଭିଯୁକ୍ତ ଧରାପଡ଼ିବେ। ଏଥିସହ ରାତ୍ରିକାଳୀନ ପାଟ୍ରୋଲିଂରେ ନିୟୋଜିତ ହୋମଗାର୍ଡଙ୍କୁ ତାଗିଦ୍ କରାଯିବାସହ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ସୂଚନା ଦେଇଛନ୍ତି।