Categories: Home Leftଖେଳ

ପପୁଆ ନ୍ୟୁ ଗିନିକୁ ଟି୨୦ ବିଶ୍ୱକପ୍‌ ଯୋଗ୍ୟତା

ଦୁବାଇ,୨୮।୧୦- ଆଗାମୀ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ପୁରୁଷ ଟି୨୦ ବିଶ୍ୱକପ୍‌ ପାଇଁ ପପୁଆ ନ୍ୟୁ ଗିନି (ପିଏନ୍‌ଜି) ଯୋଗ୍ୟତା ଅର୍ଜନ କରିଛି। ରବିବାର ଖେଳାଯାଇଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ପିଏନ୍‌ଜି ୪୫ ରନ୍‌ରେ କେନିୟାକୁ ହରାଇ ଦେଇଛି। ଆଉ ଏକ ମ୍ୟାଚ୍‌ରେ ନେଦରଲାଣ୍ଡ ସ୍କଟଲାଣ୍ଡଠାରୁ ପରାସ୍ତ ହେବାରୁ ପିଏନ୍‌ଜି ଯେକୌଣସି ଫର୍ମାଟରେ ପ୍ରଥମ ଥର ପାଇଁ କ୍ରିକେଟ ବିଶ୍ୱକପ୍‌ ଖେଳିବା ନିଶ୍ଚିତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପିଏନ୍‌ଜି ଏକଦା ୪ ଓଭରରେ ୬ ଉଇକେଟ ହରାଇ ୧୯ ରନ୍‌ କରିଥିଲା। ନର୍ମାନ ଭାନୁଆ (୫୪)ଙ୍କ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ପିଏନ୍‌ଜି ଦଳ ୧୯.୩ ଓଭରରେ ୧୧୮ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। କେନିୟା ପାଇଁ ଇମାନୁଏଲ ବୁନ୍‌ଡି ସର୍ବାଧିକ ୪ ଉଇକେଟ ନେଇଥିଲେ। ସେହିଭଳି ଲୁକାସ ଓଲୁଚ ଓ କଲିନ୍ସ ଓବୁୟା ୨ ଲେଖାଏ ଉଇକେଟ ହାସଲ କରିଥିଲେ। ୧୧୯ ରନ୍‌ର ବିଜୟଲକ୍ଷ୍ୟ ନେଇ ଓହ୍ଲାଇଥିବା କେନିୟା ମାତ୍ର ୭୩ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। କେବଳ ଇର୍ଫାନ କାରିମ (୨୯), ଆମାନ ଗାନ୍ଧୀ (୧୪) ଓ କଲିନ୍ସ (୧୦)ଙ୍କ ବ୍ୟତୀତ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। ବିଜୟୀ ଦଳ ଲାଗି ନୋସିନା ପୋକାନା ୩, ନର୍ମାନ ଭାନୁଆ ୨ ଓ ଡାମିନ ରାବୁ ୨ କରି ଉଇକେଟ ପାଇଥିଲେ। ପିଏନ୍‌ଜି ମ୍ୟାଚ୍‌ ଜିତିବା ପରେ ଦଳର ପ୍ରତ୍ୟେକ ଖେଳାଳି ଷ୍ଟାଡିୟମ୍‌ରେ ଉପସ୍ଥିତ ରହି ନେଦରଲାଣ୍ଡ-ସ୍କଟଲାଣ୍ଡ ମ୍ୟାଚ୍‌ ଦେଖିଥିଲେ।