ପଞ୍ଚମ ଓ୍ବିମ୍ବେଲଡନ୍‌ ଟାଇଟଲ୍‌ ଲକ୍ଷ୍ୟରେ ଜୋକୋଭିଚ୍‌

ଲଣ୍ଡନ, ୩୦।୬(ଏଏଫ୍‌ପି)- ଚଳିତ ବର୍ଷର ୩ୟ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଓ୍ବିମ୍ବେଲଡନ ସୋମବାରଠାରୁ ସ୍ଥାନୀୟ ଅଲ୍‌ ଇଂଲଣ୍ଡ ଲନ୍‌ ଟେନିସ କ୍ଲବଠାରେ ଆରମ୍ଭ ହେବାକୁ ଯାଉଛି। ଏହି ସମ୍ମାନଜନକ ପ୍ରତିଯୋଗିତାର ଏହା ହେବ ୧୩୩ତମ ସଂସ୍କରଣ। ସର୍ବିୟା ଟେନିସ ତାରକା ନୋଭାକ ଜୋକୋଭିଚ୍‌ ପୁରୁଷ ବିଭାଗର ଡିଫେଣ୍ଡିଂ ଚାମ୍ପିୟନ ରହିଥିବାବେଳେ ମହିଳାରେ ଆଞ୍ଜେଲିନା କେର୍ବର ମହିଳା ବିଭାଗରେ ଟାଇଟଲ୍‌ ଜିତିଥିଲେ। ପୁରୁଷ ବିଭାଗରେ ଏକ ନମ୍ବର ସିଡ୍‌ ମାନ୍ୟତା ପାଇଥିବା ଜୋକୋଭିଚ୍‌ ଏଠାରେ ନିଜର ୫ମ ଟାଇଟଲ ହାସଲ ପାଇଁ କୋଟ୍‌କୁ ଓହ୍ଲାଇବେ। ପ୍ରଥମ ରାଉଣ୍ଡ ମୁକାବିଲାରେ ଜୋକୋଭିଚ୍‌ ସୋମବାର ଜର୍ମାନୀର ଫିଲିପ୍‌ କୋହଶ୍ଚରବରଙ୍କୁ ଭେଟିବେ। ସେହିଭଳି ୨ୟ ସିଡ୍‌ ମାନ୍ୟତା ପାଇଥିବା ସୁଇଜରଲାଣ୍ଡର ରୋଜର ଫେଡରର ଚଳିତ ବର୍ଷ ଯଦି ଚାମ୍ପିୟନ ହୁଅନ୍ତି ତେବେ ଏହା ତାଙ୍କର କ୍ୟାରିୟରର ୨୧ତମ ତଥା ୯ମ ଓ୍ବିମ୍ବେଲଡନ ଟ୍ରଫି ହେବ। ସେହିଭଳି ୩୮ ବର୍ଷୀୟ ଫେଡରର ବୟୋଜ୍ୟେଷ୍ଠ ଖେଳାଳିଭାବେ ଗ୍ରାଣ୍ଡସ୍ଲାମ ଟ୍ରଫି ଜିତିବାର ସୁଯୋଗ ମଧ୍ୟ ରହିଛି। ସ୍ପାନିଶ ତାରକା ରାଫାଲ ନାଡାଲ ମଧ୍ୟ ଟାଇଟଲ୍‌ ଦୌଡ଼ରେ ରହିଛନ୍ତି। ଅପରପକ୍ଷରେ ମହିଳା ସିଙ୍ଗଲ୍ସରେ ନୂତନ ଭାବେ ବିଶ୍ୱର ଏକ ନମ୍ବର ସ୍ଥାନ ହାସଲ କରିଥିବା ଅଷ୍ଟ୍ରେଲିଆର ଆସ୍‌ଲେ ବାର୍ଟି, ନାଓମି ଓସାକା, ଭେଟେରାନ ଆମେରିକୀୟ ଖେଳାଳି ସେରେନା ଓ୍ବିଲିୟମ୍ସ ପ୍ରମୁଖ ଟାଇଟଲ୍‌ ଦାବିଦାର ରହିଛନ୍ତି। ୩୭ ବର୍ଷୀୟ ସେରେନା ୭ଥର ଏହି ସମ୍ମାନଜନକ ଟ୍ରଫି ଜିତିବାରେ ସଫଳ ହୋଇଛନ୍ତି।