ପଗଡ଼ି କାଟି ମାସ୍କ ପ୍ରସ୍ତୁତ କରି ଗରିବଙ୍କୁ ବାଣ୍ଟିଲେ ଶିଖ୍‌ ବ୍ୟକ୍ତି

ଲକ୍‌ଡାଉନ୍‌ରେ ଲୋକେ ଗରିବଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଆଗେଇ ଆସୁଛନ୍ତି। ଏହି ସମୟରେ ଜଣେ ଶିଖ୍‌ ବ୍ୟକ୍ତି ନିଜର ୧୧ଟି ନୂଆ ପଗଡି କାଟି ମାସ୍କ ପ୍ରସ୍ତୁତ କରି ଗରିବଙ୍କୁ ବାଣ୍ଟିଛନ୍ତି। ହିମାଚଳ ପ୍ରଦେଶର ମଣ୍ଡି ଜିଲା ସୁନ୍ଦରନଗର ଅନ୍ତର୍ଗତ କନୌଡ ଗ୍ରାମରେ ସରଦାର ଅମରଜିତ୍‌ ସିଂହ ନାମକ ଜଣେ ବ୍ୟକ୍ତି ଲକ୍‌ଡାଉନରେ ଗରିବଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି। ଏହି ସମୟରେ କୌଣସି କପଡା ଦୋକାନ ଖୋଲା ନ ଥିବାରୁ ସେ ଘରେ ଥିବା ନୂଆ ୧୧ଟି ପଗଡିକୁ କାଟି ୧୦୦୦ଟି ମାସ୍କ ପ୍ରସ୍ତୁତ କରିଥିଲେ। ଏହାକୁ ଗରିବ ଶ୍ରେଣୀର ଲୋକ ଏବଂ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ବାଣ୍ଟିଥିଲେ। ଏହାସହ ହମିରପୁରରେ ଜଣେ ବ୍ୟକ୍ତିଙ୍କ କରୋନା ଯୋଗୁ ମୃତ୍ୟୁ ଘଟିଥିଲା। ତାଙ୍କ ଅନ୍ତିମ ସଂସ୍କାର ପାଇଁ ଅମରଜିତ୍‌ ଆଗେଇ ଆସିଥିଲେ।