ନୟାପଲ୍ଲୀ ବୋମାମାଡ଼ ଘଟଣା: ୨ ଭାଇ ଗିରଫ

ଭୁବନେଶ୍ୱର,୩ା୬(ବ୍ୟୁରୋ):ନୟାପଲ୍ଲୀ ଥାନା ଅନ୍ତର୍ଗତ ସୁନାମି କ୍ଲବରେ ଗଣ୍ଡଗୋଳକୁ ନେଇ ଗଉଡ଼ପଡିଆ ନିକଟରେ ହୋଇଥିବା ବୋମାମାଡ ଘଟଣାରେ ପୋଲିସ ରବିବାର ଅଭିଯୁକ୍ତ ଦୁଇଭାଇଙ୍କୁ ଗିରଫ କରିଛି। ସେମାନେ ହେଲେ ସାଲିଆ ସାହି ବସ୍ତି ବିକାଶ ପରିଷଦ ଅଞ୍ଚଳର ସନ୍ତୋଷ ରେଡ୍ଡୀ ଓ ବିକ୍ରମ ରେଡ୍ଡୀ। ଏହି ଘଟଣାରେ ଫେରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି। ସୂଚନା ଅନୁଯାୟୀ, ସୁନାମି କ୍ଲବର କେତେଜଣ ସଦସ୍ୟଙ୍କ ଭିତରେ ଏକ ଭୁଲ୍‌ ବୁଝାମଣାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଗଣ୍ଡଗୋଳର ରୂପ ନେଇଥିଲା। ରିଙ୍କୁ ସ୍ବାଇଁଙ୍କ ସହ ଅନ୍ୟ କେତେଜଣଙ୍କର ଶତ୍ରୁତା ବଢ଼ିଥିଲା। ଗତ ୨୯ ତାରିଖ ବିଳମ୍ବିତ ରାତିରେ ରିଙ୍କୁ ବାଇକରେ ଘରକୁ ଫେରୁଥିବାବେଳେ ଅଭିଯୁକ୍ତମାନେ ତାଙ୍କ ଉପରକୁ ବୋମାମାଡ଼ କରି ଫେରାର ହୋଇଯାଇଥିଲେ। ପୋଲିସ ପହଞ୍ଚତ୍ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ରିଙ୍କୁଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା। ପରେ ଏନେଇ ରିଙ୍କୁଙ୍କ ପିତା କୃଷ୍ଣଚନ୍ଦ୍ର ସ୍ବାଇଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨୫୯/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ରବିବାର ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ପଚରା ଉଚରାପରେ କୋର୍ଟ ଚାଲାଣ କରାଯାଇଛି। ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।