‘ନ୍ୟାୟିକ ପଦବୀ ପୂରଣଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ’

ନୂଆଦିଲ୍ଲୀ,୩୧ା୭(ପି.ଟି.) : ସାରା ଦେଶର ନ୍ୟାୟିକ ବ୍ୟବସ୍ଥାରେ ବହୁସଂଖ୍ୟକ ବିଚାରପତି ପଦବୀ ଖାଲି ପଡ଼ିଛି। ସେହି ପଦବୀଗୁଡ଼ିକ ପୂରଣ କରିବାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଦେଶରେ କିଛି ଥାଇ ନ ପାରେ। ୨୪ ହାଇକୋର୍ଟ ଏବଂ ୩୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ସୁପ୍ରିମକୋର୍ଟ ମଙ୍ଗଳବାର ଏହି ଟିପ୍ପଣୀ ଦେଇଛନ୍ତି।
ଅଦାଲତ ଗତବର୍ଷ ଅକ୍ଟୋବର ୨୨ରେ କହିଥିଲେ, ହାଇକୋର୍ଟ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ନିମ୍ନ ଅଦାଲତଗୁଡ଼ିକରେ ୫,୦୦୦ରୁ ଊର୍ଦ୍ଧ୍ୱ ନ୍ୟାୟିକ ଅଧିକାରୀ ପଦବୀ ଖାଲିପଡ଼ିଛି। ଜୁନ୍‌ ୩୦ ସୁଦ୍ଧା କେତେ ପଦବୀ ଖାଲି ଅଛି ବୋଲି ଏହା ପୂର୍ବରୁ ସୁପ୍ରିମକୋର୍ଟ ରିପୋର୍ଟ ମାଗିଥିଲେ। ଏଥିପାଇଁ ୨୯ ରାଜ୍ୟ ଓ ୭ କେନ୍ଦ୍ରଶାସିତ ଅଞ୍ଚଳର ଆଇନ ସଚିବ ଏବଂ ରେଜିଷ୍ଟ୍ରାର୍‌ ଜେନେରାଲମାନେ ମଙ୍ଗଳବାର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ କୋର୍ଟରୁମ୍‌ରେ ହାଜର ହୋଇଥିଲେ। ଖଣ୍ଡପୀଠରେ ସାମିଲ ଥିବା ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷ କହିଥିଲେ, ଦେଶରେ ବିଚାରପତି ନିଯୁକ୍ତିଠାରୁ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆବଶ୍ୟକ ହେଲେ ଆମେ ସାରା ଦିନ ମାମଲାଗୁଡ଼ିକର ଶୁଣାଣି କରିବୁ। ସେହିପରି ନିର୍ଦ୍ଧାରିତ ସମୟ ପୂର୍ବରୁ କାର୍ଯ୍ୟ ଶେଷ କରିବା ପାଇଁ ପ୍ରଧାନ ବିଚାରପତି କେତେକ ରାଜ୍ୟକୁ କହିଥିଲେ।