Paris Saint-Germain's Brazilian forward Neymar celebrates after scoring a goal during the French L1 football match between Paris Saint-Germain (PSG) and Racing Club de Strasbourg Alsace (RCS) on September 14, 2019 at the Parc des Princes stadium in Paris. (Photo by Martin BUREAU / AFP)MARTIN BUREAU/AFP/Getty Images
ପ୍ୟାରିସ୍,୧୫।୯(ଏଏଫ୍ପି)- ବ୍ରାଜିଲ ଫୁଟବଲ ସୁପରଷ୍ଟାର ନେମାର ଦୀର୍ଘ ଦିନ ପରେ ନିଜ କ୍ଲବ ପ୍ୟାରିସ ସେଣ୍ଟ ଜର୍ମାନ(ପିଏସ୍ଜି)କୁ ପ୍ରତ୍ୟାବର୍ତ୍ତନ କରି ଚମକ ଦେଖାଇଛନ୍ତି। ଶନିବାର ଫ୍ରେଞ୍ଚ୍ ଲିଗ୍-୧’ରେ ଅନୁଷ୍ଠିତ ମ୍ୟାଚ୍ରେ ଷ୍ଟ୍ରାସବର୍ଗ ବିପକ୍ଷରେ ବିଜୟ ସୂଚକ ଗୋଲ ସ୍କୋର କରି ପିଏସ୍ଜିକୁ ବିଜୟୀ କରାଇଛନ୍ତି। ଏହି ଗୋଲ ଓ ବିଜୟ ନେମାରଙ୍କ ପାଇଁ ବିଶେଷ ଭାବେ ମହତ୍ତ୍ୱ ରଖୁଛି। ୨୭ ବର୍ଷୀୟ ନେମାର ପିଏସ୍ଜି ପାଇଁ ସେସନର ପ୍ରଥମ ୪ଟି ମ୍ୟାଚ୍ ଖେଳିପାରି ନ ଥିଲେ। ଗତ ସେସନରେ ମଧ୍ୟ ତାଙ୍କ ପ୍ରଦର୍ଶନ ସେତେଟା ଭଲ ହୋଇ ନ ଥିଲା। ପାର୍କ ଡେସ୍ ପ୍ରିନ୍ସେସ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ୯୦ତମ ମିନିଟର ଜବରଦସ୍ତ ସଂଘର୍ଷ ପରେ ଇଞ୍ଜୁରୀ ଟାଇମ୍ରେ ସେ ଏକ ଚମତ୍କାର ଗୋଲ ଦେଇ ଦଳକୁ ଜିତାଇଥିଲେ।
ଅଫ୍ ସେସନରେ ନେମାର ତାଙ୍କ ପୂର୍ବତନ କ୍ଲବ ବାର୍ସିଲୋନାରେ ଯୋଗ ଦେବାକୁ ଖୋଲାଖୋଲି ଇଚ୍ଛା ପ୍ରକାଶ କରିଥିଲେ। ଫଳରେ ଷ୍ଟାଡିୟମରେ ପିଏସ୍ଜି ପ୍ରଶଂସକମାନେ ତାଙ୍କୁ ପରିହାସ କରିବା ସହ ଗାଳିଗୁଲଜ କରିଥିଲେ। ତାଙ୍କ ପ୍ରତି ଅପଶବ୍ଦ ମଧ୍ୟ ବ୍ୟବହାର କରିଥିଲେ। ତେବେ ଏ ସବୁକୁ ଖାତିର ନ କରି ନେମାର ତାଙ୍କ ସ୍ବାଭାବିକ ଖେଳ ପ୍ରଦର୍ଶନ କରି ଶେଷରେ ସମସ୍ତଙ୍କୁ ଚୁପ୍ କରାଇଥିଲେ। ଗତ ସପ୍ତାହରେ ନେମାର ବ୍ରାଜିଲ ତରଫରୁ ଖେଳି ଗୋଲ ସ୍କୋର କରିଥିଲେ। ସେଏହି ଲିଗ୍ର ୪ଟି ମ୍ୟାଚ୍ ଖେଳି ନ ଥିଲେ। ଏହି ବିଜୟ ସହ ପିଏସ୍ଜି ଫ୍ରେଞ୍ଚ୍ ଲିଗ୍ରେ ଅପରାଜେୟ ରହିଛି।
ଉଲ୍ଲେଖଥାଉକି, ବ୍ରାଜିଲ ଅଧିନାୟକ ନେମାର ୨୦୧୭ରେ ୨୨୨ ମିଲିୟନ ୟୁରୋ ବିନିମୟରେ ବାର୍ସିଲୋନା ଛାଡି ପିଏସ୍ଜିରେ ଯୋଗ ଦେଇ ବିଶ୍ୱ ଫୁଟବଲରେ ସବୁଠାରୁ ଦାମୀଖେଳାଳି ସାବ୍ୟସ୍ତ ହୋଇଥିଲେ। ୨୦୧୮ ମାର୍ଚ୍ଚରେ ଇଞ୍ଜୁରି କାରଣରୁ ତାଙ୍କ ଗୋଡ଼ରେ ଅସ୍ତ୍ରୋପଚାର କରାଯାଇଥିଲା। ଫଳରେ ସେ ସିଜନର ବାକି ମ୍ୟାଚ୍ଗୁଡିକ ଖେଳିପାରି ନ ଥିଲେ। ସେତେବେଳେ ସେ ପ୍ରଥମ ସେସନରେ ୩୦ଟି ମ୍ୟାଚ୍ ଖେଳି ୨୮ଟି ଗୋଲ ସ୍କୋର କରିଥିଲେ। ଏହାପରେ ୨୦୧୭-୧୮ ସିଜନରେ ପିଏସ୍ଜି ଫ୍ରେଞ୍ଚ୍-୧ ଲିଗ୍ ଟାଇଟଲ ହାସଲ କରିଥିଲା। ତେବେ ଇଞ୍ଜୁରି କାରଣରୁ ନେମାର ପୂରା ସେସନ ଖେଳିପାରି ନ ଥିଲେ ଓ ୧୮ଟି ମ୍ୟାଚ୍ରେ ଅଂଶଗ୍ରହଣ କରି ନ ଥିଲେ। ଫଳରେ ଚାମ୍ପିୟନ୍ସ ଲିଗ୍ରେ ପିଏସ୍ଜି ମାଞ୍ଚେଷ୍ଟର ୟୁନାଇଟେଡଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲା। ସେ ମଧ୍ୟ କୋପା ଆମେରିକାରେ ଖେଳିପାରି ନଥିଲେ। ଯଦିଓ ବ୍ରାଜିଲ ଏଥିରେ ଚାମ୍ପିୟନ ହୋଇଥିଲା।