Categories: ମେଟ୍ରୋ

ନୂଆ ରୂପ ନେଲା ରୂପାଲି ହାଟ, ୨୨୦ ପିଣ୍ଡିକୁ ମିଳିଲା ସ୍ମାର୍ଟ ଲୁକ୍‌

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ବାତ୍ୟା ‘ଫନୀ’ରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିବା ଶହୀଦନଗର ରୂପାଲି ହାଟର ପୁନରୁଦ୍ଧାର ହୋଇଛି। ଇଟା, ସିମେଣ୍ଟରେ ସ୍ବତନ୍ତ୍ର ପିଣ୍ଡି ତିଆରି କରାଯିବା ସହ ଆଲୁମିନିୟମ ପାଇପ୍‌, ଲୁହା ଆଙ୍ଗେଲ ଓ ନୂଆ ଆଜ୍‌ବେଷ୍ଟସ୍‌ ଦ୍ୱାରା ଛପର କରାଯାଇଛି। ଏଥିସହ ବିଦ୍ୟୁତ୍‌ ଆଲୋକ ବ୍ୟବସ୍ଥା ହୋଇଛି। ଏବେ ଏହି ହାଟରେ ୨୨୦ ପିଣ୍ଡିକୁ ସ୍ମାର୍ଟ ଲୁକ୍‌ ମିଳିଛି। ସାମାଜିକ ଅନୁଷ୍ଠାନ ‘ଜୟ ଓଡ଼ିଶା’, ‘ହିଣ୍ଡାଲ୍‌କୋ’ କମ୍ପାନୀ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ରୂପାଲି ହାଟକୁ ପୁନରୁଦ୍ଧାର କରାଯାଇ ନୂଆ ରୂପ ଦିଆଯାଇଛି। ଶନିବାର ଏହାକୁ ଉଦ୍‌ଘାଟନ କରାଯିବା ପରେ ହାଟ ଆରମ୍ଭ ହୋଇଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ, ଡ. ଜଗନ୍ନାଥ ମହାପାତ୍ର, ଜୟ ଓଡ଼ିଶା ଅନୁଷ୍ଠାନର ସଭାପତି ରୁଦ୍ର ସାମନ୍ତରାୟ ଓ ହିଣ୍ଡାଲ୍‌କୋର ଅର୍ଦ୍ଧେନ୍ଦୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଥାଉ କି, ବାତ୍ୟାରେ ରାଜଧାନୀର ଅନ୍ୟତମ ପ୍ରମୁଖ ବ୍ୟବସାୟିକ କ୍ଷେତ୍ର ରୂପାଲି ହାଟ ସ୍ଥିତି ହରାଇଥିଲା। ଚାଳିଆ, ପିଣ୍ଡି, କ୍ୟାବିନ, ଆଜ୍‌ବେଷ୍ଟସ ଭାଙ୍ଗିଯିବାରୁ ବ୍ୟବସାୟୀମାନେ ବ୍ୟବସାୟ କରିପାରି ନ ଥିଲେ। ଗତ ମେ ୭ରେ ଜୟ ଓଡ଼ିଶା ଅନୁଷ୍ଠାନ ପକ୍ଷରୁ ପୁନରୁଦ୍ଧାର ପାଇଁ ହିଣ୍ଡାଲ୍‌କୋ କମ୍ପାନୀ ସହ ଯୋଗାଯୋଗ କରାଯାଇଥିଲା। ହିଣ୍ଡାଲ୍‌କୋ ସହମତି ପ୍ରକାଶ କରିବା ପରେ ଜୟ ଓଡ଼ିଶା ଅନୁଷ୍ଠାନ ବିଏମ୍‌ସି ସହ ଆଲୋଚନା କରିଥିଲା। ସମସ୍ତଙ୍କ ସହଯୋଗରେ ମେ ୧୫ରୁ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।