ନୂଆ ଭାରତ ପାଇଁ ନୂଆ ସଂସଦ

ଅର୍ଜୁନ ରାମ ମେଘୱାଲ

ଜାନୁୟାରୀ ମାସ ଆରମ୍ଭ ହେବା ସହ ଏକବିଂଶ ଶତାବ୍ଦୀର ଏକୋଇଶତମ ବର୍ଷରେ ଆମେ ପ୍ରବେଶ କରିଛେ। ଏହା ଭାରତର ବିକାଶ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଯେ ଏହା ଏକବିଂଶ ଶତାବ୍ଦୀର ନେତୃତ୍ୱ ନେଇପାରିବ। ତେଣୁ ଏହାର ନାଗରିକମାନଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବା ନିମନ୍ତେ ରାଷ୍ଟ୍ର ଏବେ ଏକ ବ୍ୟାପକ ସଂସ୍କାର ପଥର ଯାତ୍ରୀ। ଗତ ଶତାବ୍ଦୀର ଏହି ଦଶନ୍ଧିରେ ଦେଶରେ ଅନେକ ଐତିହାସିକ ଘଟଣା ଘଟିଥିଲା ଏବଂ ବହୁ ଜାତୀୟ ଲକ୍ଷ୍ୟ ହାସଲ କରାଯାଇପାରିଥିଲା। ତେଣୁ ଏହି ନୂତନ ଦଶନ୍ଧିରେ ଭବିଷ୍ୟଧର୍ମୀ ଯୋଜନା ମାଧ୍ୟମରେ ଆମେ ଦେଶକୁ ବିକାଶ ପଥରେ ଅନେକ ଦୂର ପର୍ଯ୍ୟନ୍ତ ଆଗେଇ ନେଇପାରିବା। ନୂତନ ଭାବେ ଉଦ୍‌ଘାଟିତ ସଂସଦ ଭବନ ଏହାର ଏକ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ; ଯାହା କି ଦେଶର ବିକାଶ ଯାତ୍ରାର ପଥକୁ ପ୍ରଶସ୍ତ କରିବାରେ ସହାୟକ ହୋଇଛି।
ମଣ୍ଟେଗୁ – ଚେମ୍‌ସ୍‌ଫୋର୍ଡ ସଂସ୍କାର ଫଳରେ ଭାରତ ସରକାର ଆଇନ ୧୯୧୯ ପ୍ରଣୀତ ହୋଇଥିଲା ଏବଂ ଏହାର ପରିଣାମ ସ୍ବରୂପ ଭାରତୀୟମାନେ ଶାସନ ବ୍ୟବସ୍ଥାରେ ଅଂଶଗ୍ରହଣ କରିଥିଲେ। ଏହି ଆଇନ ଅନୁସାରେ ୧୯୨୧ ମସିହାରେ ପ୍ରଥମ ଥର ଲାଗି ଜନ ପ୍ରତିନିଧିମାନେ ନିର୍ବାଚିତ ହୋଇଥିଲେ। ସେମାନଙ୍କୁ ଉପଯୁକ୍ତ ଭାବେ ଶାସନ ବ୍ୟବସ୍ଥାରେ ସାମିଲ କରିବାର ଆବଶ୍ୟକତା ଅନୁଭୂତ ହୋଇଥିଲା ଏବଂ କେନ୍ଦ୍ରୀୟ ପ୍ରତିନିଧି ସଭା ବର୍ତ୍ତମାନର ଦିଲ୍ଲୀ ବିଧାନସଭା ପରିସରରେ କାର୍ଯ୍ୟ କରିବା ଆରମ୍ଭ କରିଥିଲା।
ଆଜକୁ ଶହେ ବର୍ଷ ପୂର୍ବେ, ଏଭଳି ସଂସ୍କାରର ପରିଣାମ ସ୍ବରୂପ ଦ୍ୱିସଦନ ବିଶିଷ୍ଟ ପ୍ରତିନିଧି ସଭା ସୃଷ୍ଟି ହୋଇଥିଲା। ଏଡୱିନ୍‌ ଲୁଟିଏନ ଏବଂ ହର୍ବଟ ବାକର ବର୍ତ୍ତମାନର ସଂସଦ ଭବନର ନିର୍ମାଣ ପ୍ଲାନ ପ୍ରସ୍ତୁତ କରିଥିଲେ; ଯେଉଁଥିରେ ସେତେବେଳର ଜନପ୍ରତିନିଧିମାନଙ୍କୁ ଉପଯୁକ୍ତ ଭାବେ କାର୍ଯ୍ୟ କରିବା ନିମନ୍ତେ ବ୍ୟବସ୍ଥା କରାଯାଇଥିଲା। ୧୯୨୧ ମସିହାଠାରୁ ଆରମ୍ଭ କରି ସମଗ୍ର ସଂସଦ ଭବନ ନିର୍ମିତ ହେବା ସକାଶେ ଛଅ ବର୍ଷ ସମୟ ଲାଗିଥିଲା। ପ୍ରଥମ ଲୋକ ସଭାରେ ୪୮୯ଟି ଆସନ ଥିଲା ଏବଂ ପ୍ରତ୍ୟେକ ସାଂସଦ ହାରାହାରି ୭ ଲକ୍ଷ ନାଗରିକଙ୍କୁ ପ୍ରତିନିଧିତ୍ୱ କରୁଥିଲେ। ସେତେବେଳେ ରାଜଧାନୀ ଦିଲ୍ଲୀର ଜନସଂଖ୍ୟା ମାତ୍ର ୧୩ରୁ ୧୪ ଲକ୍ଷ ମଧ୍ୟରେ ଥିଲା, ଯାହା ଆଜି ୨.୫ କୋଟିରୁ ଅଧିକ ହୋଇସାରିଛି। ୧୯୫୧ ମସିହାରେ ଦେଶର ମୋଟ ଜନସଂଖ୍ୟା ୩୬.୧ କୋଟିରୁ ବୃଦ୍ଧି ପାଇ ଏବେ ତାହା ୧୩୫ କୋଟିରୁ ଅଧିକ ହୋଇଛି। ସେହିଭଳି ସେମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ସାଂସଦମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏବେ ସାଂସଦମାନଙ୍କୁ ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରିବା ସହ ସେମାନଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରୁ ହିଁ ବିଭିନ୍ନ ପ୍ରକାର ବିକାଶମୂଳକ କାର୍ଯ୍ୟକ୍ରମ ଓ ଯୋଜନାର ମନିଟରିଂ କରୁଛନ୍ତି। ବିଭିନ୍ନ ବିଭାଗ ସହିତ ସେମାନଙ୍କର ଉପଯୁକ୍ତ ସହଯୋଗ ସ୍ଥାପନ ନିମନ୍ତେ ଏବଂ ଜାତୀୟ ରାଜଧାନୀରେ ଜନସେବା କାର୍ଯ୍ୟ ସୁଗମତା ସୁନିଶ୍ଚିତ କରିବା ଲାଗି ଆବଶ୍ୟକ ଆନୁଷ୍ଠାନିକ ତଥା ଭିିତ୍ତିଭୂମି ନିର୍ମାଣର ଆବଶ୍ୟକତା ଅନେକ ଦିନୁ ଅନୁଭୂତ ହୋଇ ଆସୁଥିଲା।
ସଂସଦ ଭବନ ନିମନ୍ତେ ଏକ ନୂତନ ସୌଧ ନିର୍ମାଣ ଚିନ୍ତାଧାରା ଆଜିକାର ନୁହେଁ; ଦୁଇଜଣ ପୂର୍ବତନ ବାଚସ୍ପତି ଏହାର ଆବଶ୍ୟକତା ସମ୍ପର୍କରେ ପୂର୍ବରୁ ଉଲ୍ଲେଖ କରିଥିଲେ। ୧୯୨୭ ମସିହାରେ ବର୍ତ୍ତମାନର ସଂସଦ ଭବନ ପୂର୍ଣ୍ଣ ରୂପରେ କାର୍ଯ୍ୟକାରୀ ହେବା ଦିନଠାରୁ ସଂସଦୀୟ ଅଧିକାରୀ ଓ କର୍ମଚାରୀ, ନିରାପତ୍ତା କର୍ମୀ, ଗଣମାଧ୍ୟମ ଭିଜିଟର ଏବଂ ସଂସଦୀୟ କାର୍ଯ୍ୟ ଅନେକ ଗୁଣରେ ବୃଦ୍ଧି ପାଇଛି। ସଂସଦୀୟ ଅଧିକାରୀ ଓ କର୍ମଚାରୀ, ନିରାପତ୍ତା କର୍ମୀ, ଗଣମାଧ୍ୟମ ପ୍ରତିନିଧି ଏବଂ ସଂସଦୀୟ କାର୍ଯ୍ୟ ୧୯୨୭ ମସିହାରେ ବର୍ତ୍ତମାନର ସଂସଦ ଭବନ କାର୍ଯ୍ୟ କରିବା ଦିନଠାରୁ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି। ସଂସଦର ମିଳିତ ଅଧିବେଶନ ବେଳେ, କେନ୍ଦ୍ରୀୟ ହଲ୍‌ ଅତି ମାତ୍ରାରେ ଜନାକୀର୍ଣ୍ଣ ହୋଇପଡ଼ିଥାଏ ଏବଂ କେତେକ ସଦସ୍ୟଙ୍କୁ ତ ବିଶେଷ ଭାବେ ପକାଯାଇଥିବା ଅତିରିକ୍ତ ଆସନରେ ହିଁ ବସିବାକୁ ପଡ଼ିଥାଏ। ପୁଣି ଏଥିରେ ଢାଞ୍ଚାଗତ ମରାମତି, ପରିବର୍ତ୍ତନ ଏବଂ ସଂସ୍କାର ଆଣିବାକୁ ଅନେକ ସମସ୍ୟା ଓ ସୀମା ରହିଛି। କାରଣ ଏହା ଏକ ଗ୍ରେଡ୍‌-ଏ ଶ୍ରେଣୀୟ ଐତିହ୍ୟ ସୌଧ। ସର୍ବୋପରି ବର୍ତ୍ତମାନର ସଂସଦ ଭବନରେ ଅନେକ ନିରାପତ୍ତା ଜନିତ ଦୁର୍ବଳତା ଯଥା- ଭୂକମ୍ପ ନିରୋଧୀ ବ୍ୟବସ୍ଥା, ଷ୍ଟାଣ୍ଡାର୍ଡ ଅଗ୍ନିନିରୋଧକ ବ୍ୟବସ୍ଥା ଏବଂ ସୀମିତ କାର୍ଯ୍ୟାଳୟ ପରିସର ଆଦି ରହିଛି। ୨୦୧୨ ମସିହାରେ, ତତ୍କାଳୀନ ଲୋକ ସଭା ବାଚସ୍ପତି ମୀରା କୁମାର ନୂତନ ସଂସଦ ଭବନ ପାଇଁ ଥିବା ପ୍ରସ୍ତାବକୁ ମଞ୍ଜୁର କରିଥିଲେ ଏବଂ ଏଥିପାଇଁ ସେ ଦର୍ଶାଇଥିଲେ ଯେ, ଏହି ପୁରୁଣା ସୌଧକୁ ମାତ୍ରାଧିକ ଭାବେ ଉପଯୋଗ କରାଯାଇସାରିଛି। ସେହିଭଳି ୨୦୧୬ ମସିହାରେ ସେତେବେଳର ବାଚସ୍ପତି ସୁମିତ୍ରା ମହାଜନ ପ୍ରସ୍ତାବ ଦେଇଥିଲେ ଯେ, ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ନୂତନ ସଂସଦ ଭବନ ନିର୍ମାଣ ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ଇତି ମଧ୍ୟରେ ରାଜ୍ୟ ସଭା ଉପାଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡ଼ୁ, ଲୋକ ସଭା ବାଚସ୍ପତି ଓମ୍‌ ବିରଲା ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ଅନେକ ସାଂସଦ ତଥା ସମ୍ପୃକ୍ତ ଅଂଶୀଦାରଙ୍କଠାରୁ ପ୍ରସ୍ତାବିତ ନୂତନ ସଂସଦ ଭବନ ଏବଂ ଏହି ମହତ୍ତ୍ୱାକାଂକ୍ଷୀ କେନ୍ଦ୍ରୀୟ ସୌଧ ପ୍ରକଳ୍ପ ନିମନ୍ତେ ସେମାନଙ୍କର ମତାମତ ସଂଗ୍ରହ କରିଛନ୍ତିି।
ଭାରତ ସମ୍ବିଧାନର ଧାରା ୮୧ ଅନୁସାରେ ସଂସଦୀୟ କ୍ଷେତ୍ରଗୁଡ଼ିକର ପୁନର୍ଗଠନ ନିମନ୍ତେ ପ୍ରାବଧାନ ରହିଛି। ଶେଷ ଥର ପାଇଁ ସଂସଦୀୟ କ୍ଷେତ୍ରଗୁଡ଼ିକର ପୁନର୍ଗଠନ ୧୯୭୧ ମସିହାର ଜନଗଣନା ରିପୋର୍ଟ ଆଧାରରେ କରାଯାଇଥିଲା ଏବଂ ତଦନୁସାରେ ରାଜ୍ୟୱାରି ଯେଉଁ ଆସନ ଆବଣ୍ଟନ କରାଯାଇଥିଲା ୧୯୨୬ ମସିହାରେ ତାହା ବୃଦ୍ଧି ପାଇବା ସୁନିଶ୍ଚିତ। ପରିଣାମତଃ ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇବା ମଧ୍ୟ ସ୍ବାଭାବିକ, ଯାହା କି ଜନ ପ୍ରତିନିଧିମାନଙ୍କୁ ସଂସଦରେ ଉପଯୁକ୍ତ ଭାବେ ସ୍ଥାନ ପ୍ରଦାନ କରିବା ନିମନ୍ତେ ଥିବା ଆବଶ୍ୟକତାକୁ ବୃଦ୍ଧି କରିବ ଏବଂ ଏହା ପୂରଣ କରିବାର ଜରୁରୀ ଆବଶ୍ୟକତା ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ଏହା ଯେ ଦେଶ ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ହିଁ ନୂତନ ସଂସଦ ଭବନ ରାଷ୍ଟ୍ରକୁ ସମର୍ପିତ କରାଯିବ। ଏହା ରାଷ୍ଟ୍ରର ଆମତ୍ନିର୍ଭର ଭାରତ ମହତ୍ତ୍ୱାକାଂକ୍ଷାକୁ ମଧ୍ୟ ସାକାର କରିବ। ଏହି କେନ୍ଦ୍ରୀୟ ପରିସର ପ୍ରକଳ୍ପ ଅଧୀନରେ ନୂତନ ସଂସଦ ଭବନର ନିଜସ୍ବ ସୌଧ ଏଭଳି ଭାବେ ନିର୍ମିତ ହେବ, ଯାହା ଦେଶର ସାଂସ୍କୃତିକ ବିବିଧତାକୁ ଦୃଢ଼ତାର ସହିତ ପ୍ରତିପାଦିତ କରିବା ସହିତ ଏକ ଭାରତ ଶ୍ରେଷ୍ଠ ଭାରତର ମନୋଭାବକୁ ମଧ୍ୟ ପ୍ରମାଣିତ କରିବ। ରାଜସ୍ଥାନର ଲାଲ ଧୋଲପୁର ପ୍ରସ୍ତର ନବ ଭାରତର ଗଣତନ୍ତ୍ରର ଏହି ସର୍ବୋଚ୍ଚ ମନ୍ଦିର ନିର୍ମାଣ ପାଇଁ ସାଧନ ତଥା ସୌନ୍ଦର୍ଯ୍ୟ ଯୋଗାଇବ। ଏହି ବ୍ୟାପକ ସ୍ଥାନ, ଶକ୍ତି ସମୃଦ୍ଧ, ସବୁଜିମାଭରା, ସୁଗମ୍ୟ ଓ ପ୍ରଯୁକ୍ତି ଅନୁକୂଳ ସୌଧରେ ୧୨୨୪ ଜଣ ସାଂସଦଙ୍କ ପାଇଁ ଆସନ ବ୍ୟବସ୍ଥା କରାଯିବ। ଏହି ସୌଧଟିରେ ସଂସଦ ସହିତ ବିଭିନ୍ନ ସରକାରୀ ବିଭାଗର ନିକଟତା ଯୋଗୁ ସରକାର ପ୍ରତିବର୍ଷ ପ୍ରାୟ ୧୦୦୦ କୋଟି ଟଙ୍କାର ରାଜସ୍ବ ସଞ୍ଚୟ କରିପାରିବେ।
ଭାରତ ସଦାବେଳେ ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ୱାସ ରଖିଆସିଛି ଏବଂ ଆମର ସାଂସ୍କୃତିକ ଭାବନାରେ ଗଣତାନ୍ତ୍ରିକ ପ୍ରକ୍ରିୟାର ବେଶ୍‌ ଉନ୍ନତ ଅନୁଭବ ରହିଛି। ଏହା ୧୨ଶ ଶତାବ୍ଦୀର ଭଗବାନ ବିଶ୍ୱେଶ୍ୱରଙ୍କ ଅନୁଭବ ମଣ୍ଡପ ହୋଇଥାଉ ଅଥବା ଷଷ୍ଠ ଶତାବ୍ଦୀର ବୌଦ୍ଧଧର୍ମ, ଯାହା କି ଗଣତାନ୍ତ୍ରିକ ମୂଲ୍ୟବୋଧର ମୂଳ ଧାରାରେ ସହାବସ୍ଥାନ ନିମନ୍ତେ ସମସ୍ତଙ୍କୁ ଉଦ୍‌ବୁଦ୍ଧ କରିଥିଲା, ତାହା ହୋଇଥାଉ, ସଦାବେଳେ ଆମେ ସ୍ବାଧୀନତା, ସମାନତା ଏବଂ ଭ୍ରାତୃତ୍ୱର ଭାବନା ସମଗ୍ର ବିଶ୍ୱକୁ ପ୍ରଦର୍ଶନ କରିଆସିଛୁ। ଡକ୍ଟର ଭୀମରାଓ ଆମ୍ବେଦକର ଏହି କଥାକୁ ଅତି ସୁନ୍ଦର ଓ ସରଳ ଭାବେ ସମ୍ବିଧାନ ସଭାରେ ଆଲୋଚନା ବେଳେ ବ୍ୟକ୍ତ କରିଛନ୍ତି। ସ୍ବାଧୀନତା ପ୍ରାପ୍ତିର ୨୫ ବର୍ଷ ମଧ୍ୟରେ ଆମେରିକାର ବର୍ତ୍ତମାନର ସଂସଦୀୟ ସୌଧ ନିର୍ମାଣ କରାଯାଇଥିଲା। ଅଷ୍ଟ୍ରେଲିଆ ଓ ବ୍ରାଜିଲ ଉପନିବେଶବାଦୀ ଶାସନ ବ୍ୟବସ୍ଥାର ଅବସାନ ପରେ ସେମାନଙ୍କର ନୂତନ ସଂସଦ ଭବନକୁ ଦେଶବାସୀଙ୍କୁ ଉତ୍ସର୍ଗ କରିଥିଲେ। ତେଣୁ ଆମେ ମଧ୍ୟ ଏହିଭଳି ଏକ ଐତିହାସିକ ଦାୟିତ୍ୱକୁ ବହନ କରି ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରର ମନ୍ଦିର ଭାବେ ଆମର ସ୍ବାଧୀନୋତ୍ତର ଏବଂ ଜନତାଙ୍କ ସଂସଦକୁ ଦେଶବାସୀଙ୍କୁ ଉପହାର ଦେଇପାରିବା। ଏହି ଗୌରବୋଜ୍ଜ୍ୱଳ ପ୍ରକଳ୍ପ ରାଷ୍ଟ୍ରର ଗଣତାନ୍ତ୍ରିକ ପରମ୍ପରାର ଜୟଯାତ୍ରାକୁ ପ୍ରଦର୍ଶିତ କରିବା ସହ ଭାରତକୁ ବାସ୍ତବରେ ଗଣତନ୍ତ୍ରର ଜନନୀ ରୂପେ ଉପସ୍ଥାପନ କରିବ।
ଏକବିଂଶ ଶତାବ୍ଦୀର ଆହ୍ବାନଗୁଡିକ ବିଂଶ ଅଥବା ଊନବିଂଶ ଶତାବ୍ଦୀର ଶାସନ ବ୍ୟବସ୍ଥା ଦ୍ୱାରା ଅଧିକ ମାତ୍ରାରେ ପ୍ରଭାବିତ ହେଉଛି। ଏଥିରେ ସକାରାତ୍ମକ ସଂଶୋଧନର ପର୍ଯ୍ୟାପ୍ତ ଆବଶ୍ୟକତା ରହିଛି। ସେଥିପାଇଁ ସକଳ ପ୍ରକାର ସୁଚିନ୍ତିତ ପଦ୍ଧତିକୁ ଆପଣାଇବାର ଅବସର ମଧ୍ୟ ରହିଛି। ରାଷ୍ଟ୍ର ଏବେ ଜ୍ଞାନ ଓ ଅର୍ଥନୈତିକ ମହାଶକ୍ତିରେ ପରିଣତ ହେବାକୁ ନିର୍ଣ୍ଣାୟକ ଭୂମିକା ଗ୍ରହଣ ଦିଗରେ ଆଗକୁ ଅଗ୍ରସର ହୋଇଚାଲିଛି। ସେଥିରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ନିମନ୍ତେ ସଂସ୍କାର, କାର୍ଯ୍ୟାନ୍ବୟନ ଏବଂ ପରିବର୍ତ୍ତନର ଆବଶ୍ୟକତା ରହିଛି। ଏହି କେନ୍ଦ୍ରୀୟ ସୌଧ ପ୍ରକଳ୍ପ ନିମନ୍ତେ ମାନ୍ୟବର ସୁପ୍ରିମ କୋର୍ଟ ସରକାରଙ୍କୁ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି, ଯାହା କି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ଗ୍ରହଣ କରାଯାଇପାରେ। ସରକାର ଏକଥା ସ୍ପଷ୍ଟ କରିଛନ୍ତି ଯେ ଏହି ନୂତନ ସଂସଦ ଭବନ ନିର୍ମାଣ ପ୍ରକ୍ରିୟାରେ ସରକାର ସର୍ବୋଚ୍ଚ ମାନଦଣ୍ଡ ବଳବତ୍ତର ରଖିବା ସହ ପରିବେଶ ସୁରକ୍ଷାଜନିତ ସକଳ ପ୍ରକାର ଉଦ୍‌ବେଗ ପ୍ରତି ଯନତ୍ଶୀଳ ରହିବେ।
ଆଜି ଏହି ପ୍ରକଳ୍ପର ସମସ୍ତ ଅଂଶୀଦାର ନିଜ ନିଜ ଅଧିକାର ଓ କର୍ତ୍ତବ୍ୟର ପୁନଃସମୀକ୍ଷା କରିବା ଆବଶ୍ୟକ। ବ୍ୟକ୍ତିଗତ ଚିନ୍ତାଧାରାକୁ ସମୂହ କଲ୍ୟାଣ ନିମନ୍ତେ ସମନ୍ବିତ କରନ୍ତୁ। ଏହି ସମନ୍ବିତ ତଥା ଜାତୀୟତାର ଲକ୍ଷ୍ୟ ହାସଲ ପ୍ରୟାସକୁ ସୁଦୃଢ଼ କରିବା ଦ୍ୱାରା ଆମର ଗଣତାନ୍ତ୍ରିକ ଗରିମା ଅଧିକ ମଜଭୁତ ହୋଇପାରିବ। ନୂତନ ସଂସଦ ଭବନ ନିର୍ମିତ ହେଲେ ତାହା ଆମତ୍ନିର୍ଭର ଭାରତର ସଙ୍କେତ ଭାବେ କାର୍ଯ୍ୟ କରିବ ଏବଂ ତାହା ହେବ ଦେଶ ସ୍ବାଧୀନତା ପ୍ରାପ୍ତିର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ଗଣତନ୍ତ୍ର ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି। ଏହା ଆମମାନଙ୍କୁ ରାଷ୍ଟ୍ରୀୟ ହିତକୁ ମନରେ ସର୍ବାଧିକ ମାନ୍ୟତା ପ୍ରଦାନର ଭାବନା ନିମନ୍ତେ ପ୍ରେରିତ କରିବ। ଭାରତର ସାମଗ୍ରିକ ସମୃଦ୍ଧି ନିମନ୍ତେ ଦେଶର ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ସହଯୋଗର ଆବଶ୍ୟକତା ରହିଛି, ଯାହା ଗଣତନ୍ତ୍ରର ଏହି ସର୍ବୋଚ୍ଚ ମନ୍ଦିରରେ ପ୍ରତିଫଳିତ ହେବ।
କେନ୍ଦ୍ର ସଂସଦୀୟ ବ୍ୟାପାର ଏବଂ ଭାରୀ ଶିଳ୍ପ ଓ ସରକାରୀ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ