ନୀରବଙ୍କ ପରିବାରର ସିଙ୍ଗାପୁର ବ୍ୟାଙ୍କ ଆକାଉଣ୍ଟ ଜବତ

ସିଙ୍ଗାପୁର,୩-୭: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତି ମାମଲାରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପରିବାରର ସିଙ୍ଗାପୁରସ୍ଥିତ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିବା ଲାଗି ସ୍ଥାନୀୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନୀରବଙ୍କ ଭଉଣୀ ପୂର୍ବି ମୋଦି ଓ ଭିଣୋଇ ମୟଙ୍କ ମେହଟାଙ୍କ ବ୍ରିଟିଶ ଭର୍ଜିନ ଆଇଲାଣ୍ଡରେ ପଞ୍ଜିକୃତ ପାଭେଲିୟନ ପଏଣ୍ଟ କର୍ପ କମ୍ପାନୀର ଆକାଉଣ୍ଟକୁ ଜବତ କରିବାକୁ ସିଙ୍ଗାପୁର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆକାଉଣ୍ଟରେ ୪୪.୪୧ କୋଟି ଟଙ୍କା ମହଜୁଦ ରହିଛି। ନୀରବଙ୍କ ବିରୋଧରେ ଭାରତରେ ମନିଲଣ୍ଡରିଂ ମାମଲା ଚାଲୁଥିବା ବେଳେ ପିଏନ୍‌ବି ଠକେଇରୁ ପ୍ରାପ୍ତ ଅର୍ଥକୁ ମୟଙ୍କ ଓ ପୂର୍ବିଙ୍କ ଆକାଉଣ୍ଟରେ ରଖାଯାଇଛି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଯୁକ୍ତି ଦର୍ଶାଯିବା ପରେ ହାଇକୋର୍ଟ ଉକ୍ତ ନିର୍ଦ୍ଦେଶ ଦେଇଛନ୍ତି। ମନି ଲଣ୍ଡରିଂ ନିଷେଧ ଆଇନ(ପିଏମ୍‌ଏଲ୍‌ଏ) ଅଧୀନରେ ଏବଂ ଅଦାଲତଙ୍‌କ ନିର୍ଦ୍ଦେଶକ୍ରମେ ସିଙ୍ଗାପୁରସ୍ଥିତ ଏହି ଆକାଉଣ୍ଟକୁ ଇଡି ଅସ୍ଥାୟୀ ଭାବେ ଅଚଳ କରିଥିଲା। ଏଥିପୂର୍ବରୁ ସୁଇଜରଲାଣ୍ଡ ସରକାର ଗତ ୨୭ରେ ନୀରବ ଓ ଭଉଣୀ ପୂର୍ବିଙ୍କ ୪ ସୁଇସ୍‌ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିଥିଲେ। ଏହି ଆକାଉଣ୍ଟରେ ୨୮୩.୧୬ କୋଟି ଟଙ୍କା ରହିଛି। ପିଏନ୍‌ବି ଠକେଇ ମାମଲାରେ ନୀରବଙ୍କ ସହ ପୂର୍ବିଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ସୂଚନାଥାଉ କି, ନୀରବ ଏବେ ଲଣ୍ଡନ ଜେଲ୍‌ରେ ବନ୍ଦୀ ଥିବା ବେଳେ ତାଙ୍କର ପ୍ରତ୍ୟର୍ପଣ ନେଇ ଏବେ ମାମଲା ଜାରି ରହିଛି।