Categories: ଅନୁଗୋଳ

ନିୟମ ମାନୁନାହାନ୍ତି ବହିରାଗତ

ଅନୁଗୋଳ ଅଫିସ, ୨୩।୫- ମହାମାରୀ କରୋନା ରୋକିବାକୁ ଅନୁଗୋଳ ଜିଲା ପ୍ରଶାସନ ଉଦ୍ୟମ ଜାରି ରଖିଥିବା ବେଳେ ଅନେକ ବହିରାଗତ ନିୟମ ପାଳନ କରୁ ନ ଥିବା ଚିନ୍ତାର ବିଷୟ ହୋଇଛି। ବାହାରୁ ଆସୁଥିବା ଲୋକଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ କେତେଜଣ ଏଥିରେ ପ୍ରଶାସନକୁ ସହଯୋଗ କରୁ ନ ଥିବା ଦେଖାଯାଉଛି। ୧୦ ଦିନ ତଳେ ଜାମସେଦ୍‌ପୁରରୁ ଆସି ସହରରେ ଲୁଚିଥିବା ଜଣେ ଯୁବକଙ୍କୁ ଶନିବାର ପୌର ପ୍ରଶାସନ ପକ୍ଷରୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବା ବେଳେ ହୋମ୍‌ କ୍ୱାରାଣ୍ଟାଇନ୍‌ ନିୟମ ମାନୁ ନ ଥିବା ଜଣେ ଛାତ୍ରଙ୍କୁ ତାଗିଦ୍‌ କରାଯାଇଥିବା ସୂଚନା ମିଳିଛି।
ଅନୁଗୋଳ ଜିଲାକୁ ଦୈନିକ ପ୍ରବାସୀ ଫେରୁଛନ୍ତି। ଏମାନଙ୍କୁ ନେଇ ଜିଲାବାସୀ ଚିନ୍ତାରେ ପଡ଼ିଥିବା ବେଳେ କେତେଜଣ ବାହାର ରାଜ୍ୟ ଫେରନ୍ତା କରୋନା କଟକଣାର ଗୁରୁତ୍ୱ ଉପଲବ୍ଧି କରି ନ ପାରିବା ପ୍ରଶାସନର ସମସ୍ୟାକୁ ଆହୁରି ବଢ଼ାଇ ଦେବାର ଆଶଙ୍କା ସୃଷ୍ଟି ହୋଇଛି। ଏପରି ଏକ ଘଟଣା ସହରର ତାମ୍ରିତ୍‌ କଲୋନୀ ଅଞ୍ଚଳରେ ଦେଖିବାକୁ ମିଳିଛି। ଗତ ୧୫ ତାରିଖରୁ ଜାମସେଦ୍‌ପୁରରୁ ଆସିଥିବା ଜଣେ ଯୁବକ ପ୍ରଶାସନ ଅଗୋଚରରେ କାଳୀ ମନ୍ଦିର ସମ୍ମୁଖରେ ରହିବା ସହ ଖୋଲାଖୋଲି ବୁଲାବୁଲି କରୁଥିଲେ। ଏ ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ପ୍ରଥମେ ପ୍ରଶାସନ ଏହାକୁ ଖାମଖିଆଲି ଭାବେ ନେଇଥିଲା। କିନ୍ତୁ ପରେ ସମ୍ପୃକ୍ତ ଯୁବକଙ୍କ କଣ୍ଟାକ୍ଟ ହିଷ୍ଟ୍ରି ପ୍ରଶାସନକୁ ଚିନ୍ତାରେ ପକାଇଥିଲା। ଯୁବକ ଜଣଙ୍କ କରୋନା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିବା ପରେ ଶନିବାର ଅଧିକାରୀମାନେ ଯୁବକଙ୍କ ଘରକୁ ଯାଇ ତଥ୍ୟ ସଂଗ୍ରହ କରିଥିଲେ। ପରେ ତାଙ୍କୁ ଟାଉନ ହାଇସ୍କୁଲ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ରଖାଯିବା ସହ କୋଭିଡ୍‌ ପରୀକ୍ଷା ପାଇଁ ନମୁନା ପଠାଇଥିବା ସୂଚନା ମିଳିଛି। ସେହିପରି ଅନୁଗୋଳ ବଣିଆବାହାଳର ଜଣେ ଯୁକ୍ତ ୨ ଛାତ୍ର ବାଙ୍ଗାଲୋରୁ ଆସିଥିଲେ। ତାଙ୍କୁ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରଖାଯାଇଥିଲା। କିନ୍ତୁ ସେ ବାହାରେ ବୁଲାବୁଲି କରିବା ଅଭିଯୋଗ ହେବା ପରେ ଅନୁଗୋଳ ପୋଲିସ ଓ ପୌରପ୍ରଶାସନ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ତାଗିଦ୍‌ କରାଯାଇଥିବା ଜଣାପଡ଼ିଛି।