ନିଶାଦିଆ ଲୁଟେରାଙ୍କୁ ଧରିବାରେ ପୋଲିସ ନିଷ୍କ୍ରିୟ: ପୁଣି ଶିକାର ହେଲେ ୩ ଯାତ୍ରୀ

ଭୁବନେଶ୍ୱର,୧୯ା୫(ବ୍ୟୁରୋ)-ବାରମ୍ବାର ଥାନାରେ ଅଭିଯୋଗ ହେଲେ ମଧ୍ୟ ପୋଲିସ ନିଶାଦିଆ ଲୁଟେରାଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ଫଳରେ ଦିନକୁ ଦିନ ରାଜଧାନୀର ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌, ରେଲ୍‌ଓ୍ବେ ଷ୍ଟେଶନରେ ଲୁଟପାଟ୍‌ ବଢ଼ିଚାଲିଛି। ଶନିବାର ପୁଣି ୩ଜଣ ଯାତ୍ରୀଙ୍କୁ ନିଶା ଦେଇ ହଜାର ହଜାର ଟଙ୍କା ଲୁଟି ନେଇଛି ଲୁଟେରା ଗ୍ୟାଙ୍ଗ୍‌। ଲୁଟର ଶିକାର ହୋଇଥିବା ଯାତ୍ରୀମାନେ ହେଲେ କନ୍ଧମାଳ ଜିଲା ନୂଆଗଁା ଅଞ୍ଚଳର ବସନ୍ତ ମଲିକ, କେନ୍ଦ୍ରାପଡା ରାଜନଗରର ନିତେଇ ଗଉନ୍‌ ଓ ସୁନ୍ଦରଗଡ଼ର ଅଶୋକ କୁମାର ଖିଲାର। ଲୁଟ୍‌ ପରେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ଫିଙ୍ଗି ଦିଆଯାଇଥିଲା। ପୋଲିସ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି।

ସୂଚନା ଅନୁଯାୟୀ, ବସନ୍ତ ବାଙ୍ଗାଲୋରରେ କାମ କରୁଥିବାବେଳେ ଶୁକ୍ରବାର ପ୍ରଶାନ୍ତି ଏକ୍ସପ୍ରେକ୍ସରେ ଆସି ଭୁବନେଶ୍ୱରରେ ଓହ୍ଲାଇଥିଲେ। ମାଷ୍ଟରକ୍ୟାଣ୍ଟିନରେ ଜଣେ ବ୍ୟକ୍ତି ତାଙ୍କ ଗ୍ରାମର ବୋଲି କହି ସମ୍ପର୍କ ବଢ଼ାଇ ବିଶ୍ୱାସ ଜନ୍ମାଇବା ପରେ ଚା’ପିଇବାକୁ ଡାକିଥିଲେ। ଚା’ପିଇବା ପରେ ବସନ୍ତ ଚେତାଶୂନ୍ୟ ହୋଇଯାଇଥିଲେ। ଲୁଟେରା ଜଣକ ପୂର୍ବ ଯୋଜନା ଅନୁଯାୟୀ ତାଙ୍କୁ ଏକ ଅଟୋରେ ବସାଇ ୧୦ ହଜାର ଟଙ୍କା ଓ ମୋବାଇଲ୍‌ ଫୋନ୍‌ ଲୁଟି ନେଇଥିଲେ। ପରେ ୟୁନିଟ୍‌-୮ ଅଞ୍ଚଳରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ସକାଳୁ ବସନ୍ତ ପଡିଥିବା ବେଳେ ପିସିଆର ପୋଲିସ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରିଥିଲା।

ସେହିଭଳି ନିତେଇ ସୁରଟରେ କାମ କରନ୍ତି। ସେ ଟ୍ରେନ୍‌ରେ ଗାଁକୁ ଆସୁଥିଲେ। ଶୁକ୍ରବାର ଭୁବନେଶ୍ୱର ରେଳ ଷ୍ଟେଶନରେ ଓହ୍ଲାଇବା ପରେ ଜଣେ ଅଜଣାବ୍ୟକ୍ତି ତାଙ୍କ ସହ ସମ୍ପର୍କ ଯୋଡ଼ି ଚା’ ପିଇବାକୁ ଦେଇଥିଲେ। ସେ ନିସ୍ତେଜ ହୋଇପଡୁଥିବା ଦେଖି ଏକ ଅଟୋରେ ବସାଇ ୫ ହଜାର ଟଙ୍କା ଲୁଟି ନେବା ପରେ ବମିଖାଲ ଓଭରବ୍ରିଜ୍‌ ନିକଟରେ ଫିଙ୍ଗି ଦେଇଥିଲେ।

ସେହିପରି ଲୁଟର ଶିକାର ହୋଇଥିବା ଅଶୋକ କୁମାରଙ୍କ ଘର ସୁନ୍ଦରଗଡ ହୋଇଥିବା ବେଳେ ସେ ଖୋର୍ଦ୍ଧାରେ ଥିବା ଏକ ଘରୋଇ ଇଂଞ୍ଜିନିୟରିଂ କଲେଜରେ ପାଠ ପଢନ୍ତି। ଶନିବାର ସକାଳେ ସେ ଘରକୁ ଯିବା ପାଇଁ ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ବସ୍‌କୁ ଅପେକ୍ଷା କରିଥିବାବେଳେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ପରିଚିତ ହୋଇଥିଲା। ଉକ୍ତ ବ୍ୟକ୍ତି ଜଣକ ତାଙ୍କୁ ଚା ପିଇବାକୁ ଦେଇଥିଲେ। ଅଶୋକ ଚେତାଶୂନ୍ୟ ହେବା ପରେ ତାଙ୍କଠାରୁ ୪ ହଜାର ଟଙ୍କା, ମୋବାଇଲ୍‌ ଫୋନ୍‌ ଆଦି ଲୁଟିନେଇ ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ ନିକଟରେ ଫିଙ୍ଗି ଦେଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ ପହଞ୍ଚତ୍ ହସ୍ପିଟାଲରେ ଭର୍ତ୍ତି କରିଥିଲା।