ନିର୍ବାଚନ ଫଳାଫଳ ଉପରେ ନିବେଶକଙ୍କ ନଜର

ମୁମ୍ବାଇ,୨୦।୫: ଚଳିତ ମାସ ୨୩ରେ ସାଧାରଣ ନିର୍ବାଚନ ଫଳାଫଳ ଆସିବାକୁ ଥିବା ବେଳେ ଦେଶର ପୁଞ୍ଜି ବଜାର ନଜର ଏବେ ଏହା ଉପରେ ରହିଛି। ସେହିଭଳି ବଜାର ଉପରେ ଏକଜିଟ୍‌ ପୋଲ ପ୍ରଭାବ ମଧ୍ୟ ପରିଲକ୍ଷିତ ହେବ। ଅପରପକ୍ଷରେ କମ୍ପାନୀଗୁଡିକର ବିତ୍ତୀୟ ନିଷ୍ପତ୍ତି ବଜାର ଉପରେ କିପ୍ରଭାବ ପକାଇବ ତାହା ଦେଖିବାକୁ ବାକି ରହିଛି। ନିର୍ବାଚନ ସଂକ୍ରାନ୍ତ ବିଭିନ୍ନ ଘଟଣାର ପ୍ରଭାବ ବଜାର ଉପରେ ଦେଖାଯିବ। ଫଳରେ ଶେୟାର ବଜାରର ସୂଚକାଙ୍କରେ ହ୍ରାସ-ବୃଦ୍ଧି ପରିଲକ୍ଷିତ ହୋଇ ପାରେ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିିଛନ୍ତି। ନିର୍ବାଚନ ଫଳାଫଳ ଶେୟାର ବଜାରର ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ ବୋଲି ଏପିକ୍‌ ରିସର୍ଚ୍ଚର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମୁସ୍ତାଫା ନଦୀମ କହିଛନ୍ତି। ଏହି ରେଜଲ୍ଟ ଅର୍ଥ ବ୍ୟବସ୍ଥା ତଥା ନିବେଶକଙ୍କ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

ବର୍ଷର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସପ୍ତାହ
ଚଳିତ ସପ୍ତାହରେ ଶେୟାର ବଜାରରେ ବ୍ୟାପକ ହାରରେ ସୂଚକାଙ୍କ ହ୍ରାସ-ବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି। ମାତ୍ର ଏକଜିଟ୍‌ ପୋଲ୍‌ର ଫଳାଫଳକୁ ନେଇ ବଜାରର ଅବସ୍ଥା କିଭଳି ରହିବ ତାହା ଅନୁମାନ କରିବା ଅସମ୍ଭବ ହେଉଛି। ସେମକୋ ସିକ୍ୟୁରିଟିର ପ୍ରତିଷ୍ଠାତା ଜିମତ ମୋଦି କହିଛନ୍ତି ଯେ, ଚଳିତ ସପ୍ତାହ ବର୍ଷର ଶେୟାରବଜାର ଲାଗି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ଲୋକଙ୍କ ଉତ୍କଣ୍ଠା ବୃଦ୍ଧି ହେଉଥିବା ସେ କହିଛନ୍ତି।
ବଡ କମ୍ପାନୀଗୁଡିକର କାରବାର
ଶେୟାର ବଜାରରେ ସୂଚିଭୁକ୍ତ ଦେଶର ବଡ ବଡ କମ୍ପାନୀଗୁଡିକର କାରବାର ଉପରେ ମଧ୍ୟ ନଜର ରହିଛି। ଟାଟା ମୋଟର୍ସ, କାନାରା ବ୍ୟାଙ୍କ, ସିପ୍ଲା ଭଳି କମ୍ପାନୀଗୁଡିକର ଫରଫରମାନ୍ସ ନିକଟରେ ସାମ୍ନାକୁ ଆସିଛି। ସେହିଭଳି କମ୍ପାନୀଗୁଡିକର ତ୍ରୈମାସିକ ଫଳାଫଳ ବଜାରର ମୋଡକୁ ନିର୍ଦ୍ଧାରଣ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଅପରପକ୍ଷରେ ଅଶୋଧିତ ତୈଳ ଦର, ଆମେରିକା-ଚାଇନା ବାଣିଜ୍ୟ ଲଢେଇ, ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ହ୍ରାସ-ବୃଦ୍ଧି ଏବଂ ବିଦେଶୀ ମୁଦ୍ରା ଭଣ୍ଡାର ବଜାର ଉପରେ ପ୍ରଭାବ ପକାଇବ।

ଗତ ସପ୍ତାହରେ ବଢିଥିଲା ବଜାର
ଗତ ସପ୍ତାହରେ ଶେୟାର ବଜାର ସୂଚକାଙ୍କ ୪୬୭.୭୮ (୧.୨୪%) ବଢିଥିଲା। ଶୁକ୍ରବାର ସେନସେକ୍ସରେ ୫୩୭.୨୯ ପଏଣ୍ଟ ବା ୧.୪୪% ବୃଦ୍ଧି ଘଟି ୩୭.୯୩୦.୭୭ ସ୍ତରରେ ପହଞ୍ଚି ଯାଇଥିଲା। ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ବା ନିଫ୍ଟି ୧୫୦.୦୫ ପଏଣ୍ଟ ବୃଦ୍ଧି ଘଟି ୧୧,୪୦୭.୧୫ ସ୍ତରରେ ପହଞ୍ଚି ଥିଲା।