Businessman holding a cardboard sign looking for a job
ନୂଆଦିଲ୍ଲୀ,୧୩।୫: ଆଉ କେଇଟା ଦିନ ପରେ ଦେଶରେ ଚାଲିଥିବା ସାଧାରଣ ନିର୍ବାଚନ ମହାକୁମ୍ଭ ଶେଷ ହୋଇଯିବ। ମେ ୨୩ରେ ଫଳାଫଳ ଘୋଷଣା ପରେ କେନ୍ଦ୍ରରେ ନୂଆ ସରକାର କ୍ଷମତାକୁ ଆସିବେ। କିନ୍ତୁ ଆର୍ଥିକ ଦୃଷ୍ଟିରୁ ଦେଖିଲେ ଅନେକ ଆର୍ଥିକ ଆହ୍ବାନ ରହିଛି, ଯାହାର ସାମ୍ନା ନୂଆ ସରକାରଙ୍କୁ କରିବାକୁ ହେବ। ତନ୍ମଧ୍ୟରେ ନିଯୁକ୍ତି ହ୍ରାସ ସଙ୍କଟ ଦୂର କରିବା ପ୍ରାଥମିକତା ହେବ। କାରଣ ସମସ୍ତ ସଙ୍କେତରୁ ଜଣାପଡୁଛି ଯେ, ଦେଶର ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏହି କାରଣରୁ ନିଯୁକ୍ତି ସ୍ଥିତି ବିଗିଡି ଚାଲିଛି।
ଦେଶର ଆର୍ଥିକ ସ୍ଥିତିର ଅନୁଧ୍ୟାନ ଔଦ୍ୟୋଗିକ ଉତ୍ପାଦନରୁ ବେଶ ସ୍ପଷ୍ଟ ହୁଏ। ମାର୍ଚ୍ଚରେ ଆଇଆଇପି ଅର୍ଥାତ୍ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ ୦.୧%କୁ ହ୍ରାସ ପାଇଛି। ଆର୍ଥିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଥିବା ଔଦ୍ୟୋଗିକ ଉତ୍ପାଦନର ଏହି ସ୍ତର ବିଗତ ୨୧ ମାସର ସର୍ବନିମ୍ନ କୁହାଯାଉଛି। ଫଳରେ ବିନିର୍ମାଣ(ମାନୁଫାକଚରିଂ) କ୍ଷେତ୍ର ହ୍ରାସ ପାଇବା ଚିନ୍ତାର ବିଷୟ ହୋଇଛି। ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ ଫାଇନାନ୍ସ ଆଣ୍ଡ ପଲିସି ପ୍ରଫେସର ଏନ୍.ଆର.ଭାନୁମୂର୍ତ୍ତି କହିଛନ୍ତି ଯେ, ଔଦ୍ୟୋଗିକ ଉତ୍ପାଦନ ହ୍ରାସ ପାଇବା ଯୋଗୁ ରୋଜଗାର ସୃଷ୍ଟିରେ ଏହାର ଗଭୀର ପ୍ରଭାବ ପଡ଼ିବ। ଆର୍ଥିକ ବର୍ଷ ୨୦୧୮-୧୯ରେ ଆର୍ଥିକ ଅଭିବୃଦ୍ଧି(ଜିଡିପି) ୭%ରୁ କମ୍ ରହିପାରେ। ଏହି କାରଣରୁ ନୂଆ ରୋଜଗାର ସୃଷ୍ଟି ଉପରେ ଏହାର ପ୍ରଭାବ ପଡ଼ିବା ନିଶ୍ଚିତ।