ନିଜ ଦରମା ଟଙ୍କା ବି ଦାନ କରିଦେଉଥିଲେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ ତଥ୍ୟ

ସମାଜ ପାଇଁ ଗୁରୁଙ୍କ ଅବଦାନ ଅତୁଳନୀୟ। ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିବସ ସେପ୍ଟେମ୍ବର ୫କୁ ୧୯୬୨ ମସିହାରୁ ଗୁରୁଦିବସ ଭାବେ ପାଳନ ହୋଇଆସୁଛି। ଡକ୍ଟର ରାଧାକ୍ରିଷ୍ଣନ ଏକାଧାରରେ ଜଣେ ଶିକ୍ଷାବିତ୍‌, ଦାର୍ଶନିକ ଓ କୁଟନୀତିଜ୍ଞ ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ।

୧୮୮୮ ସେପ୍ଟେମ୍ବର ୫ ତାରିଖରେ ତାମିଲନାଡୁର ତିରୁଟ୍ଟନୀଠାରେ ଜନ୍ମଗ୍ରହଣ କରିଥିଲେ ଏହି ମହାନ ବ୍ୟକ୍ତିତ୍ୱ। ରାଧାକ୍ରିଷ୍ଣନଙ୍କ ଶୈଶବ ତିରୁଟ୍ଟନୀ ଓ ତିରୁପତିରେ କଟିଥିଲା ଏବଂ ତାଙ୍କର ପାଠପଢା ଆରମ୍ଭ ହୋଇଥିଲା ଖ୍ରୀଷ୍ଟିଆନ ମିସନାରି ସ୍କୁଲରେ।

ଉଚ୍ଚ ଶିକ୍ଷା ପରେ, ୧୯୦୯ରେ ରାଧାକ୍ରିଷ୍ଣନଙ୍କୁ ମାଡ୍ରାସ ପ୍ରେସିଡେନ୍ସି କଲେଜରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି ମିଳିଥିଲା। ଏହାପରଠାରୁ ରାଧାକ୍ରିଷ୍ଣନ ମୁଖ୍ୟତଃ ଭାରତୀୟ ଦର୍ଶନ ଶାସ୍ତ୍ର ଏବଂ ଧର୍ମଶାସ୍ତ୍ର ଅଧ୍ୟୟନରେ ନିଜକୁ ନିୟୋଜିତ ରଖିଥିଲେ।

୧୯୧୮ରେ ରାଧାକ୍ରିଷ୍ଣନ ମୈସୂର ବିଶ୍ୱବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ। ତା’ପରେ କଲିକତା ବିଶ୍ୱବିଦ୍ୟାଳୟ, ଲଣ୍ଡନର ହାର୍ଭାଡ ବିଶ୍ୱବିଦ୍ୟାଳୟ, ମାଂଚେଷ୍ଟର ବିଶ୍ୱବିଦ୍ୟାଳୟ ଓ ଶେଷରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ।

ରାଧାକ୍ରିଷ୍ଣନ ମାତ୍ର ୧୬ ବର୍ଷ ବୟସରେ ବିବାହ କରିଥିଲେ। ତାଙ୍କର ୫ଟି ଝିଅ ଏବଂ ଜଣେ ପୁଅ ଅଛନ୍ତି।

ପିଲାଦିନେ ରାଧାକ୍ରିଷ୍ଣନଙ୍କ ପିତା ଚାହୁଁ ନ ଥିଲେ ତାଙ୍କ ପୁଅ ଇଂରାଜୀ ଶୁଖୁ। ସେ ଚାହୁଁଥିଲେ ପୁଅ ପଳଜାରୀ କାମ କରୁ। କିନ୍ତୁ ଇଂରାଜୀ ବେଶ୍‌ ପାରଦର୍ଶିତା ହାସଲ କରିଥିଲେ ରାଧାକ୍ରିଷ୍ଣନ। ‘ଶ୍ରୀମଦଭଗବତଗୀତା’କୁ ଇଂରାଜୀରେ ଅନୁବାଦ କରିଥିଲେ ଡ. ରାଧାକ୍ରିଷ୍ଣନ। ବେଦ ଓ ଉପନିଷଦକୁ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରୁଥିଲେ ସେ।

ରାଧାକ୍ରିଷ୍ଣନ ଅତ୍ୟନ୍ତ ଦୟାଳୁ ସ୍ବଭାବର ଥିଲେ। ଭାରତର ରାଷ୍ଟପତି ହେବା ପରେ ମଧ୍ୟ ନିଜ ଦରମାରୁ ମାତ୍ର ଅଢେଇ ହଜାର ଟଙ୍କା ରଖି ବାକି ସବୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରିଦେଉଥିଲେ।