ନାଳ, ଚୁଆ ପାଣି ପିଉଛନ୍ତି ଅଙ୍ଗନୱାଡି ଶିଶୁ

ଫିରିଙ୍ଗିଆ,୯ା୧୨-ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗଁ। ପଞ୍ଚାୟତର ଗୁଖୋଲ ଗ୍ରାମ ଅଙ୍ଗନବାଡି କେନ୍ଦ୍ରରେ ପାନୀୟ ଜଳ ବ୍ୟବସ୍ଥା ନାହିଁ। ଫଳରେ ନିକଟସ୍ଥ ନାଳ ଓ ଚୂଆ ଉପରେ ନିର୍ଭର କରିବାକୁ ପଡୁଛି। ରୋଷେଇ ପାଇଁ ମଧ୍ୟ ଏହି ପାଣି ବ୍ୟବହାର କରାଯାଉଛି। ଶିଶୁମାନେ ଦୂଷିତ ପାଣି ପିଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ଏହି ଅଙ୍ଗନୱାଡି କେନ୍ଦ୍ରକୁ ୭ ଜଣ ଶିଶୁ ଆସୁଛନ୍ତି। ଆରମ୍ଭରୁ ୩ ବର୍ଷ ପର୍ଯନ୍ତ ଗ୍ରାମ ମଣ୍ଡପରେ ଏହି କେନ୍ଦ୍ର ଚାଲିଥିଲା। ୨୦୧୬ରେ କେନ୍ଦ୍ର ନିର୍ମାଣ ହୋଇ ପିଲାଙ୍କୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ପାଣି ବ୍ୟବସ୍ଥା ହୋଇନାହିଁ। ତେଣୁ ନିକଟସ୍ଥ ଚୂଆ ଓ ନାଳ ଉପରେ ନିର୍ଭର କରିବାକୁ ପଡୁଛି ବୋଲି କେନ୍ଦ୍ରରେ କର୍ମୀ ବୈନେତ୍ରୀ କହଁର କହିଛନ୍ତି। ସେହିପରି ଫିରିଙ୍ଗିଆ ସିଡିପିଓ ମଞ୍ଜୁଳା ପ୍ରଧାନ କୁହନ୍ତି, କେନ୍ଦ୍ରକୁ ପାଣି ବ୍ୟବସ୍ଥା କରିବାକୁ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗକୁ ଅନୁରୋଧ କରାଯାଇଛି। କିନ୍ତୁ ବିଭାଗ ପକ୍ଷରୁ ଏପଯର୍‌ୟନ୍ତ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଡିଣ୍ଡିରାଗାଁ ସରପଞ୍ଚ କହ୍ନେଇ କହଁରଙ୍କୁ ପଚାରିବାରୁ, ଗତ ବର୍ଷ ଏହି ସ୍ଥାନରେ ଏକ ନଳକୂପ ଖୋଲାଯିବାକୁ ଉଦ୍ୟମ କରାଯାଇଥିଲା, କିନ୍ତୁ ପାଣି ବାହାରିଲା ନାହିଁ। ତେଣୁ ବିକଳ୍ପ ବ୍ୟବସ୍ଥା ଭାବେ ଏକ କୂଅ ଖୋଳାଯିବାକୁ ଯୋଜନା ରହିଛି। ତୁରନ୍ତ ପିଇବା ପାଣି ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।