Arrested man in handcuffs with hands behind back
ବାରିପଦା ଅଫିସ,୧୪।୮: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ଗାଧୁଆ ସମୟର ଦୃଶ୍ୟ ମୋବାଇଲରେ ରେକର୍ଡିଂ କରି ଜଣେ ଯୁବକ ଗିରଫ ହୋଇଛନ୍ତି। ପୋଲିସ ତାଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ବାଙ୍ଗିରିପୋଷି ଥାନା କୁମ୍ଭାର ମୁଣ୍ଡାକଟା ଗ୍ରାମର ସୋନୁ ପାତ୍ର (୨୦)। ଟାଉନ ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସଦର ଏସ୍ଡିପିଓ କେ.ପି ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।
ପୋଲିସ କହିବା ଅନୁଯାୟୀ, ବାରିପଦା ସହରର ଜଣେ ବ୍ୟକ୍ତିଙ୍କ ଘରେ ସୋନୁ ଭଡ଼ାରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ସୋମବାର ରାତି ପ୍ରାୟ ୮ଟା ବେଳେ ଉକ୍ତ ଓ୍ବାର୍ଡର ଜଣେ ନାବାଳିକା ତାଙ୍କ ଗାଧୁଆ ଘରେ ଗାଧୋଉଥିଲେ। ଏହି ସମୟରେ ସୋନୁ ଗାଧୁଆ ଘରର ଆଜବେଷ୍ଟ ଛାତକୁ ଚଢି ସେଠାରେ ଥିବା କଣାରେ ନାବାଳିକା ଗାଧୋଇବା ସମୟର ଦୃଶ୍ୟ ନିଜ ମୋବାଇଲରେ ରେକର୍ଡିଂ କରୁଥିଲେ। ନାବାଳିକା ଏହା ଜାଣିପାରି ପାଟି କରିଥିଲେ। ପରିବାର ଓ ପଡ଼ୋଶୀ ଲୋକେ ଧାଇଁ ଆସି ସୋନୁଙ୍କୁ କାବୁକରି ବାରିପଦା ଟାଉନ ପୋଲିସ ଜିମା ଦେଇଥିଲେ। ତଦନ୍ତ ବେଳେ ସୋନୁଙ୍କ ମୋବାଇଲରେ ଏକାଧିକ ମହିଳା ଓ ଯୁବତୀମାନଙ୍କ ଗାଧୋଇବା ତଥା ଆପତ୍ତିଜନକ ଦୃଶ୍ୟ ରେକର୍ଡିଂ ହୋଇଥିବା ଜଣାପଡ଼ିବାରୁ ପୋଲିସ ଏହାକୁ ଜବତ କରିଛି। ଉକ୍ତ ମୋବାଇଲକୁ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯିବ ବୋଲି ଏସଡିପିଓ ପଟ୍ଟନାୟକ କହିଛନ୍ତି। ନାବାଳିକାଙ୍କ ବାପାଙ୍କ ଅଭିଯୋଗ ମୁତାବକ ପୋଲିସ ଏକ ମାମଲା (ନଂ.୧୭୫/୧୯) ରୁଜୁ କରିଛି। ପୋଲିସ ପକ୍ଷରୁ ଆୟୋଜିତ ଏହି ଖବରଦାତା ସମ୍ମିଳନୀରେ ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ ଉପସ୍ଥିତ ଥିଲେ।