Paris: Spain's Rafael Nadal bites the trophy as he celebrates his record 12th French Open tennis tournament title after winning his men's final match against Austria's Dominic Thiem in four sets, 6-3, 5-7, 6-1, 6-1, at the Roland Garros stadium in Paris, Sunday,
ପ୍ୟାରିସ୍,୧୦।୬(ଏଏଫ୍ପି)- କ୍ଳେ କୋର୍ଟର ରାଜା ସ୍ପେନ୍ ତାରକା ରାଫାଲ ନାଡାଲ ଇତିହାସ ସୃଷ୍ଟି କରିଛନ୍ତି। ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍ ଓପନ୍ରେ ଏଥର ସେ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍ରେ ନାଡ଼ାଲ ୬-୩, ୫-୭, ୬-୧, ୬-୧ ସେଟରେ ଅଷ୍ଟ୍ରିଆର ଡୋମିନିକ୍ ଥିମ୍ଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି। ଏଥିସହିତ ସେ ରେକର୍ଡ ୧୨ଥର ପାଇଁ ପ୍ରେଞ୍ଚ୍ ଓପନ୍ ଚାମ୍ପିୟନ ହେବା ସହ ଐତିହାସିକ ସଫଳତା ପାଇଛନ୍ତି। ଏହି କ୍ରମରେ ସେ କ୍ୟାରିୟରର ୧୮ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାର ଗୌରବ ଅର୍ଜନ କରିଛନ୍ତି।
୩୩ ବର୍ଷୀୟ ନାଡ଼ାଲ ପ୍ରଥମ ପୁରୁଷ କିମ୍ବା ମହିଳା ଖେଳାଳିଭାବେ ଗୋଟିଏ ସମାନ ଗ୍ରାଣ୍ଡସ୍ଲାମ ୧୨ଥର ପାଇଁ ଜିତି ବିରଳ ସଫଳତା ପାଇଛନ୍ତି। ଆଉ ଦୁଇଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ ହାସଲ କଲେ ନାଡ଼ାଲ ସର୍ବିୟାର ନୋଭାକ ଜୋକୋଭିଚ୍ଙ୍କ ୨୦ଟି ମେଜର ଟାଇଟଲ ହାସଲ ରେକର୍ଡର ସମକକ୍ଷ ହେବେ। ଜୋକୋଭିଚ୍ଙ୍କୁ ଏଥର ଥିମ୍ ସେମିଫାଇନାଲରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ।
ପୁଣି ନାଡ଼ାଲ ଫ୍ରେଞ୍ଚ୍ ଓପନ୍ରେ ରେକର୍ଡ ୯୩ଟି ମ୍ୟାଚ୍ରେ ବିଜୟୀ ହୋଇଥିବା ବେଳେ ମାତ୍ର ୨ଟି ମ୍ୟାଚ୍ରେ ପରାସ୍ତ ହୋଇଛନ୍ତି। ପୂର୍ବରୁ ନାଡ଼ାଲ ୨୦୦୫ରୁ ୨୦୦୮ , ୨୦୧୦ରୁ ୨୦୧୪, ୨୦୧୭ ଓ ୨୦୧୮ରେ ଫ୍ରେଞ୍ଚ୍ ଓପନ ଟାଇଟଲ ହାସଲ କରିଥିଲେ। ନିଜ ପ୍ରଦର୍ଶନରେ ନାଡ଼ାଲ ଖୁସି ଜାହିର କରିଛନ୍ତି। ତେବେ ସାହସିକ ପ୍ରଦର୍ଶନ ପାଇଁ ସେ ଥିମ୍ଙ୍କୁ ବେଶ୍ ପ୍ରଶଂସା କରିଛନ୍ତି। ୨୦୦୫ରେ ପ୍ରଥମଥର ପାଇଁ ପ୍ରେଞ୍ଚ୍ ଓପନ୍ ଖେଳିଥିଲି। ସେତେବେଳେ ଭାବି ନ ଥିଲି ଯେ, ମୁଁ ୨୦୧୯ରେ ଏହି ଟୁର୍ନାମେଣ୍ଟ ଖେଳିବି। ଏହି ବିଜୟ ମୋ ପାଇଁ ସ୍ବତନ୍ତ୍ର ବୋଲି ନାଡ଼ାଲ କହିଛନ୍ତି। ଏଥିସହିତ ନାଡ଼ାଲ କ୍ୟାରିୟରରେ ମୋଟ ୮୨ତମ ଟାଇଟଲ ହାସଲ କରିଛନ୍ତି ଓ ୯୫୦ତମ ମ୍ୟାଚ୍ ଜିତିଛନ୍ତି। ୧୯୯୫ ପରେ ଦ୍ୱିତୀୟ ଅଷ୍ଟ୍ରିଆ ଖେଳାଳିଭାବେ ଥିମ୍ ଫ୍ରେଞ୍ଚ୍ ଓପନ୍ ଟାଇଟଲ ଜିତିଥାନ୍ତେ। ତେବେ ଶେଷରେ ତାଙ୍କ ଆଶା ଧୂଳିସାତ୍ ହୋଇଛି। ଗତବର୍ଷ ମଧ୍ୟ ନାଡ଼ାଲ ଫାଇନାଲରେ ଥିମ୍ଙ୍କୁ ହରାଇ ଫ୍ରେଞ୍ଚ୍ ଓପନ୍ ଟାଇଟଲ ହାସଲ କରିଥିଲେ।