ନବଜାତକଙ୍କୁ ସଂକ୍ରମଣରୁ ସୁରକ୍ଷା ପାଇଁ ବ୍ୟବହାର କରାଯାଉଛି କଲର କୋଡ ବେଡସିଟ୍‌

ନାସିକ,୧୯।୮: ମହାରାଷ୍ଟ୍ର ନାସିକର ସିଭିଲ ହସ୍ପିଟାଲରେ ନବଜନ୍ମିତ ଶିଶୁଙ୍କୁ ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ସ୍ପେଶାଲ ନିଉ ବର୍ଣ୍ଣ କେୟାର ୟୁନିଟ(ଏସ୍‌ଏନ୍‌ସିୟୁ)ରେ ସପ୍ତାହରେ ଭିନ୍ନ ଭିନ୍ନ ରଙ୍ଗର ବେଡ୍‌ସିଟ୍‌ ବ୍ୟବହାର କରାଯାଉଛି। ପ୍ରତିଦିନ ଏହାକୁ ସଫା କରାଯିବା ସହ ଷ୍ଟେରିଲାଇଜ୍‌ ମଧ୍ୟ କରାଯାଉଛି। କେବଳ ସେତିକି ନୁହେଁ ସବୁ ପିଲାଙ୍କ ପାଇଁ ଅଲଗା ଅଲଗା ବକେଟ୍‌ ମଧ୍ୟ ରଖାଯାଇଛି। ମହାରାଷ୍ଟ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଲକ୍ଷ୍ୟକୁ ପୂରଣ କରିବାକୁ ଏହା କରାଯାଇଛି। ଯେତେ ସମ୍ଭବ ନବଜାତକଙ୍କ ମୃତ୍ୟୁହାର କମାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ପୂର୍ବ ବର୍ଷ ତୁଳନାରେ ୨୦୧୭ରେ ଏଠାରେ ନବଜାତକଙ୍କ ମୃତ୍ୟୁହାର କମ୍‌ ହୋଇଥିବା କୁହାଯାଉଛି। ଏସ୍‌ଏନ୍‌ସିୟୁ ଦାୟିତ୍ୱରେ ଥିବା ପଙ୍କଜ ଗଜାରେ କହିଛନ୍ତି, ଏଠାରେ ସୋମବାର ଡାର୍କ ଗ୍ରୀନ୍‌, ମଙ୍ଗଳବାର ଡାର୍କ ବ୍ଲୁ, ବୁଧବାର ପିଙ୍କ୍‌, ଗୁରୁବାର ମେରୁନ୍‌, ଶୁକ୍ରବାର ସାଫରନ୍‌, ଶନିବାର ଲାଇଟ୍‌ ଗ୍ରୀନ୍‌ ଓ ରବିବାର ଲାଇଟ୍‌ ବ୍ଲୁ ରଙ୍ଗର ବେଡ୍‌ସିଟ୍‌ ବ୍ୟବହାର କରାଯାଉଛି।