Categories: Home Leftଖେଳ

ଧୋନୀ ନ ଖେଳିଲେ, ମୁଁ ଖେଳିବି ନାହିଁ

ଚେନ୍ନାଇ,୯।୭: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଆଗାମୀ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନୀ ନ ଖେଳିଲେ ମୁଁ ବି ଖେଳିବି ନାହିଁ। ଏଭଳି ବୟାନ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଭେଟେରାନ ସିଏସ୍‌କେ ବ୍ୟାଟ୍ସମ୍ୟାନ ସୁରେଶ ରାଇନା। ଚେନ୍ନାଇ ଫ୍ରାଞ୍ଚାଇଜ ପାଇଁ ଧୋନୀ ଓ ରାଇନା ପ୍ରମୁଖ ଖେଳାଳି। ଦୁହେଁ ୨୦୦୮ରୁ ସିଏସ୍‌କେ ପାଇଁ ଖେଳି ଆସୁଛନ୍ତି।

ଏକ ସାକ୍ଷାତ୍‌କାରରେ ରାଇନା କହିଛନ୍ତି, ଯଦି ସିଏସ୍‌କେ ଅଧିନାୟକ ଧୋନୀ ଆଗାମୀ ଆଇପିଏଲ ସିଜନରେ ନ ଖେଳନ୍ତି, ତେବେ ମୁଁ ମଧ୍ୟ ଖେଳିବି ନାହିଁ। ଚଳିତ ବର୍ଷ ସିଏସ୍‌କେ ଆଇପିଏଲ ଟ୍ରଫି ହାତେଇବାରେ ସଫଳ ହେଲେ ପରବର୍ତ୍ତୀ ସିଜନ ଖେଳିବା ପାଇଁ ମୁଁ ଧୋନୀଙ୍କୁ ବୁଝାଇବି। ଆଗାମୀ ସଂସ୍କରଣରେ ଆଇପିଏଲରେ ଦୁଇଟି ନୂଆ ଦଳ ସାମିଲ ହେବ। କିନ୍ତୁ ମୁଁ ସିଏସ୍‌କେ ପାଇଁ ଖେଳ ଜାରି ରଖିବାକୁ ଚାହେଁ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଅଗଷ୍ଟ ୧୫ ତାରିଖରେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବାର ଘଣ୍ଟାକ ପରେ ସନ୍ନ୍ୟାସ ନେଇଥିଲେ ରାଇନା। ପଡ଼ିଆରେ ଓ ବାହାରେ ଦୁହିଁଙ୍କ ବନ୍ଧୁତା ବେଶ୍‌ ନିବିଡ଼।