ଧାଓ୍ବନଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ-ଏ ପରାସ୍ତ

ଥିରୁଭାନନ୍ତପୁରମ, ୫।୯ (ପି.ଟି.)- ଏଠାରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ୪ର୍ଥ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌ରେ ବରିଷ୍ଠ ଓପନର୍‌ ଶିଖର ଧାଓ୍ବନଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ-ଏ ଦଳ ଭିଜେଡି ପଦ୍ଧତି ୪ ରନରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା-ଏ ନିକଟରୁ ପରାସ୍ତ ହୋଇଛି। ସିରିଜରେ ଘରୋଇ ଭାରତ-ଏ’ର ଏହା ପ୍ରଥମ ପରାଜୟ ଥିଲା। ଏହି ପରାଜୟ ସତ୍ତ୍ୱେ ଭାରତ-ଏ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୩-୧ରେ ଅଗ୍ରଣୀ ରହିଛି। ସିରିଜର ଅନ୍ତିମ ତଥା ୫ମ ମ୍ୟାଚ୍‌ ଶୁକ୍ରବାର ଖେଳାଯିବ।
ସ୍ଥାନୀୟ ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଏହି ମ୍ୟାଚ୍‌ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା-ଏ ଦଳ ୨୨ ଓଭରରେ ଗୋଟିଏ ଉଇକେଟ୍‌ ହରାଇ ୧୨୨ ରନ କରିଥିଲା। ଏହି ସମୟରେ ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହେବାରୁ ଏହାକୁ ୨୫ ଓଭରକୁ କମାଇ ଦିଆଯାଇଥିଲା। ବର୍ଷା ଛାଡ଼ିବା ପରେ ଦକ୍ଷିଣ ଆଫ୍ରିକା-ଏ ୨୫ ଓଭରରେ ଗୋଟିଏ ଉଇକେଟ୍‌ ହରାଇ ୧୩୭ ରନ କରିଥିଲା। ଏହାପରେ ଭିଜେଡି ପଦ୍ଧିତିରେ ଭାରତ-ଏ ସମ୍ମୁଖରେ ୨୫ ଓଭରରେ ୧୯୩ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଭାରତ-ଏ ୭.୪ ଓଭରରେ ଗୋଟିଏ ଉଇକେଟ୍‌ ହରାଇ ୫୬ ରନ କରିଥିବାବେଳେ ପୁଣିଥରେ ବର୍ଷା ହେବାରୁ ଏହାକୁ ରିଜର୍ଭ ଦିବସ ଅର୍ଥାତ୍‌ ଗୁରୁବାରକୁ ଘୁଞ୍ଚାଇ ଦିଆଯାଇଥିଲା। ଗୁରୁବାର ଏହି ଅସମାପ୍ତ ଇନିଂସରୁ ବ୍ୟାଟିଂ ଆରମ୍ଭ କରି ଭାରତ-ଏ ନିର୍ଦ୍ଧାରିତ ୨୫ ଓଭରରେ ୯ ଉଇକେଟ୍‌ ହରାଇ ୧୮୮ ରନ କରିବା ସହ ୪ ରନରେ ପରାସ୍ତ ହୋଇଥିଲା। ଦଳ ପକ୍ଷରୁ ଅଭିଜ୍ଞ ଓପନର୍‌ ଧାଓ୍ବନ ୪୩ ବଲରୁ ୮ ଚୌକା ସହାୟତାରେ ସର୍ବାଧିକ ୫୨ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିଭମ ଦୁବେ ୩୧, ଅଧିନାୟକ ଶ୍ରେୟାସ ଆୟାର ୨୬ ଓ ପ୍ରଶାନ୍ତ ଚୋପ୍ରା ୨୬ ରନ କରିଥିଲେ। ବିଜୟୀ ଦଳ ପକ୍ଷରୁ ଏନ୍‌ରିଚ୍‌ ନର୍ଟେଜ ଓ ମାର୍କୋ ଜନସନ ୩ଟି ଲେଖାଏ ଉଇକେଟ୍‌ ନେଇଥିଲେ। ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡକ୍‌ଓ୍ବର୍ଥ ଲୁଇସ୍‌ ପଦ୍ଧତି ଭଳି ଭାରତର ଘରୋଇ କ୍ରିକେଟ୍‌ରେ ଭିଜେଡି ପଦ୍ଧତି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ବ୍ୟବହାର କରାଯାଇଥିଲା। ଭାରତୀୟ ଇଞ୍ଜିନିୟର ଭି. ଜୟଦେବନ ଏହାକୁ ଆବିଷ୍କାର କରିଥିଲେ।