Categories: ଅନୁଗୋଳ

ଧରାପୃଷ୍ଠରୁ ବିଦାୟ ନେଲେ ମା’ ଦଶଭୁଜା: ସିନ୍ଦୂର ଖେଳରେ ବିଭୋର ହେଲେ ମହିଳା

ଅନୁଗୋଳ ଅଫିସ, ୧୦।୧୦- ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ମା’ ଦୁର୍ଗା। ୫ ଦିନର ପୂଜାର୍ଚ୍ଚନା ପରେ ବୁଧବାର ଅଶ୍ରୁଭରା ନୟନରେ ମା’ଙ୍କୁ ବିଦାୟ ଦେଇଛନ୍ତି ଅନୁଗୋଳବାସୀ। ସକାଳୁ ସହରରେ ମା’ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନରେ ଅନେକ ପୂଜା ମଣ୍ଡପରେ ବଙ୍ଗୀୟ ପରମ୍ପରା ଅନୁସାରେ ସିନ୍ଦୂର ଖେଳ ହୋଇଥିଲା। ମହିଳାମାନେ ମା’ଙ୍କ ନିକଟରେ ସମବେତ ହୋଇ ସିନ୍ଦୂର ଖେଳିଥିଲେ। ଶିମିଳିପଡ଼ା ପୂଜା କମିଟି ଓ ଅମଲାପଡ଼ା ପୂଜା କମିଟି ପକ୍ଷରୁ ଏହି ଖେଳ ପାଇଁ ସ୍ବତନ୍ତ୍ର ଆୟୋଜନ ହୋଇଥିଲା। ପରେ ଶାନ୍ତିଶୃଙ୍ଖଳାର ସହିତ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା। ପାରମ୍ପରିକ ବାଦ୍ୟ, ବ୍ୟାଣ୍ଡ ବାଜାର ତାଳେ ତାଳେ ସାରା ସହର ପ୍ରକମ୍ପିତ ହୋଇ ଉଠିଥିଲା। ଏଥିସହିତ ପାଇକ ଆଖଡ଼ା, ଛତା ଯାତ୍ରା, ଘଣ୍ଟଘଣ୍ଟା, ଲଉଡ଼ିଖେଳ, ଦୁଲ୍‌ଦୁଲିର ତାଳେ ତାଳେ ପୂଜା କମିଟି କର୍ମକର୍ତ୍ତ ମା’ଙ୍କୁ ବିଦାୟ ଦେଇଥିଲେ। ଚଳିତ ବର୍ଷ ଡିଜେ ସାଉଣ୍ଡ ବର୍ଜନ କରାଯାଇଥିଲା। ୧୧ଟି ଯାକ ପୂଜା କମିଟି ନିଜ ନିଜ ଅଞ୍ଚଳରେ ଶୋଭାଯାତ୍ରା କରିବା ପରେ ବଜାର ମୁହଁା ହୋଇଥିଲେ। ବସ୍‌ଷ୍ଟାଣ୍ଡ, ହେମସୁରପଡ଼ା, ଅମଲାପଡ଼ା, ଶିମିଳିପଡ଼ା, ହୁଲୁରିସିଂହା, ଶୁଶୁଡ଼ା, ରାଣୀଗୋଡ଼ା, ଗାନ୍ଧିଛକ, ଦଶହରା ପଡ଼ିଆ, କାଲଟାକ୍ସ ଛକ ପୂଜା କମିଟି ପ୍ରମୁଖ ଅପରାହ୍ନରେ ଶୋଭାଯାତ୍ରା ଆରମ୍ଭ କରିଥିବାବେଳେ ଅଧିକାଂଶ ସନ୍ଧ୍ୟା ପୂର୍ବରୁ ମା’ଙ୍କୁ ମେଲାଣି ଦେଇ ସାରିଥିଲେ। ଭସାଣି ଦେଖିବା ପାଇଁ ସହରରେ ଭିଡ଼ ଲାଗି ରହିଥିବା ବେଳେ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।