Close up of male hands in bracelets behind back
ଗୋପାଳପୁର,୨୪ା୧୦-ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଗୋଳନ୍ଥରା ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ଯୁବକ ଚକୋଲେଟ ଦେବା ବାହାନାରେ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ଘରକୁ ଡାକି ନେଇ ବଳାତ୍କାର କରିଛନ୍ତି। ବୁଧବାର ଏ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଦେବାନନ୍ଦ ଦାସ। ଅପରାହ୍ନରେ ବ୍ରହ୍ମପୁର ବଡ଼ ମେଡିକାଲରେ ପୀଡ଼ିତା ଛାତ୍ରୀ ଓ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଛି। ଗୁରୁବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଛାତ୍ରୀଙ୍କ ବୟାନ ରେକର୍ଡ କରାଯିବ। ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଛାତ୍ରୀଙ୍କ ବାପା ବାହାର ରାଜ୍ୟରେ ଶ୍ରମିକ ଭାବେ କାମ କରୁଛନ୍ତି। ମା’ ମଧ୍ୟ ଗାଁରେ କାମ କରିବାକୁ ଯାଇଥିଲେ। ଗତ ୧୮ ତାରିଖ ସନ୍ଧ୍ୟାରେ ଛାତ୍ରୀ ଜଣକ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ଦେବାନନ୍ଦ ତାଙ୍କୁ ଏକୁଟିଆ ଦେଖି ଚକୋଲେଟ ଦେବା ବାହାନାରେ ନିଜ ଘରକୁ ଡାକି ନେଇ ବଳାତ୍କାର କରିଥିଲେ। ଘଟଣା ସମ୍ପର୍କରେ କାହାରିକୁ ନ କହିବା ପାଇଁ ତାଙ୍କୁ ଧମକ ଦେଇଥିଲେ। ଛାତ୍ରୀ ଜଣକ କାନ୍ଦି କାନ୍ଦି ଘରକୁ ଯାଇ ଏ ସମ୍ପର୍କରେ ମା’ ଓ ଜେଜେ ମା’ଙ୍କୁ କହିଥିଲେ। ଛାତ୍ରୀଙ୍କ ପରିବାର ଦଳିତ ଶ୍ରେଣୀର ହୋଇଥିବାରୁ ଦେବାନନ୍ଦଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବାକୁ ସାହସ ଜୁଟାଇ ପାରି ନ ଥିଲେ। ପୂର୍ବରୁ ବିଭିନ୍ନ ସମୟରେ ଦେବାନନ୍ଦ କୌଣସି ନା କୌଣସି କାରଣକୁ ନେଇ ଗ୍ରାମବାସୀଙ୍କୁ ଗାଳିଗୁଲଜ କରିବା ସହ ଟେକାପଥର ମାଡ଼ କରୁଥିଲେ। ମଙ୍ଗଳବାର ସକାଳେ ସେ ଏପରି ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଇତିମଧ୍ୟରେ ଛାତ୍ରୀଙ୍କୁ ବଳାତ୍କାର ଘଟଣା ଗ୍ରାମରେ ପ୍ରଚାରିତ ହୋଇଯାଇଥିଲା। ଗ୍ରାମବାସୀ ଏ ନେଇ ଗୋଳନ୍ଥରା ଥାନାରେ ଜଣାଇଥିଲେ। ପୋଲିସ ବୁଧବାର ଅଭିଯୁକ୍ତ ଦେବାନନ୍ଦଙ୍କୁ କାବୁ କରି ପଚରାଉଚୁରା ଜାରି ରଖିଛି । ପୀଡ଼ିତା ଛାତ୍ରୀଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପ୍ରକାରେ ପୋଲିସ ନଂ. ୨୬୫/୧୯ରେ ଏକ ପୋକ୍ସୋ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।