Virat Kohli (captain) of India bats during the 2nd T20I match between India and South Africa held at the Punjab Cricket Association IS Bindra Stadium in Mohali on the 18th September 2019 Photo by Deepak Malik / SPORTZPICS for BCCI
ମୋହାଲି, ୧୯।୯(ପି.ଟି.)- ସ୍ଥାନୀୟ ପଞ୍ଜାବ କ୍ରିକେଟ ଆସୋସିଏଶନ (ପିସିଏ) ଆଇଏସ୍ ବିନ୍ଦ୍ରା ଗ୍ରାଉଣ୍ଡରେ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍ରେ ଭାରତ ୭ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଫଳରେ ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି। ଟସ୍ ଜିତି ଭାରତ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୪୯ ରନ କରିଥିଲା। ଜବାବରେ ଭାରତ ୧୯ ଓଭରରେ ୩ ଉଇକେଟ ହରାଇ ୧୫୧ ରନ ସଂଗ୍ରହ କରି ନେଇଥିଲା। ଅଧିନାୟକ ବିରାଟ କୋହଲି ୫୨ଟି ବଲର ସମ୍ମୁଖୀନ ହୋଇ ୪ ଚୌକା ଓ ୩ ଛକା ସହ ୭୨ ରନରେ ଅପରାଜିତ ରହି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।
୧୫୦ରନ ବିଜୟ ଲକ୍ଷ୍ୟର ପିଛା କରି ଭାରତ ତାରକା ଓପନର ରୋହିତ ଶର୍ମାଙ୍କୁ ପ୍ରଥମେ ହରାଇଥିଲା। ରୋହିତ ୧୨ ବଲରୁ ୨ ଛକା ସହ ୧୨ ରନ କରି ଆଣ୍ଡିଲ ଫେଲୁକ୍ୱାୟୋଙ୍କ ଦ୍ୱାରା ଏଲ୍ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଅଭିଜ୍ଞ ଓପନର ଶିଖର ଧାଓ୍ବନ ୩୧ଟି ବଲ ଖେଳି ୪ ଚୌକା ଓ ୧ ଛକା ସହ ଦ୍ରୁତ ୪୦ ରନ କରି ତାବରେଜ୍ ଶାମସିଙ୍କ ବଲ୍ରେ ଲଙ୍ଗ ଅନ୍ରେ ଡେଭିଡ ମିଲରଙ୍କୁ କ୍ୟାଚ୍ ଦେଇ ଆଉଟ ହୋଇଥିଲେ। ମିଲର ଗୋଟିଏ ହାତରେ ଏକ ଚମତ୍କାର କ୍ୟାଚ ନେଇଥିଲେ। ବେପରୁଆ ଖେଳ ପାଇଁ ବେଶ୍ ସମାଲୋଚିତ ହୋଇଥିବା ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ପାଳି ପଡିଥିଲା। ସେ ମାତ୍ର ୪ ରନ କରି ବିଜର୍ନ ଫର୍ଚ୍ୟୁନଙ୍କ ବଲ୍କୁ ଲେଗ୍ ସାଇଡ୍କୁ ଖେଳିବାକୁ ପ୍ରୟାସ କରିଥିଲେ। ତେବେ ଶର୍ଟ ଫାଇନ ଲେଗ୍ରେ ଶାମସି ତାଙ୍କ କ୍ୟାଚ୍ ନେଇଥିଲେ। ଫଳରେ ପନ୍ତଙ୍କୁ ନିରାଶ ହେବାକୁ ପଡିଥିଲା। ଆୟାର ୧୪ ବଲରୁ ୨ ଚୌକା ସହ ୧୬ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ତରଫରୁ ଫେଲୁକ୍ୱାୟୋ, ଶାମସି ଓ ଫର୍ଚ୍ୟୁନ୍ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା ତରଫରୁ ନବନିଯୁକ୍ତ ଅଧିନାୟକ କ୍ୱିଣ୍ଟନ ଡିକକ ଓ ପଦାର୍ପଣ କରିଥିବା ଟେମ୍ବା ବଭୁମା ଦମ୍ଦାର ପ୍ରଦର୍ଶନ କରିଥିଲେ। ତେବେ ଭାରତୀୟ ବୋଲର ନିୟମିତ ବ୍ୟବଧାନରେ ଉଇକେଟ ନେବା ସହ ଅଧିକ ରନ ବ୍ୟୟ କରି ନଥିଲେ। ଅନ୍ତିମ ୪ ଓଭରରେ ଭାରତୀୟ ବୋଲରମାନେ ମାତ୍ର ୨୪ ରନ ଦେଇଥିଲେ। ତେବେ ୨୦ତମ ଓଭରରେ ସଇନି ୨୦ ରନ ବ୍ୟୟ କରିଥିଲେ। ଭଲ ଆରମ୍ଭ ପାଇଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ବଡ଼ ସ୍କୋର ହାସଲ କରିପାରି ନଥିଲା। ଓପନର ରିଜା ହେଣ୍ଡ୍ରିକ୍ସ ମାତ୍ର ୬ ରନ କରିଥିବା ବେଳେ ଦୀପକ ଚହରଙ୍କ ବଲ୍ରେ ମିଡଅନ୍ରେ ଓ୍ବାଶିଂଟନ ସୁନ୍ଦରଙ୍କୁ କ୍ୟାଚ୍ ଦେଇ ଆଉଟ ହୋଇଥିଲେ। ଏହାପରେ ଦ୍ୱିତୀୟ ଉଇକେଟ ଯୋଡିରେ ଡିକକ୍ ଓ ବଭୁମା ୪୫ଟି ବଲରୁ ୫୭ ରନ ସଂଗ୍ରହ କରିଥିଲେ। ଡିକକ୍ ୩୭ ବଲରୁ ୮ ଚୌକା ସହ ୫୨ ରନ ସଂଗ୍ରହ କରି ନବଦୀପ ସଇନିଙ୍କ ବଲ୍ରେ ବିରାଟ କୋହଲିଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିୟନ ଫେରିଥିଲେ। କୋହଲି ମିଡ୍ଅନ୍ରୁ ବାମପଟକୁ ଦୌଡି ଏହି ସୁନ୍ଦର କ୍ୟାଚ୍ ନେଇଥିଲେ। ଏହାପରେ ବଭୁମା ୪୩ଟି ବଲରୁ ୩ ଚୌକା ଓ ୧ ଛକା ସହ ୪୯ ରନ କରି ଆଉଟ ହେବା ସହ ଅର୍ଦ୍ଧଶତକ ହାସଲରୁ ବଞ୍ଚିତ ହୋଇଥିଲେ। ଅଫ୍ ଷ୍ଟମ୍ପ ବାହାରେ ଚହରଙ୍କ ଗୁଡ୍ ଲେନ୍ଥ ବଲ୍କୁ ଖେଳିବାକୁ ଯାଇ ବଭୁମା ମିଡ୍ଅନ୍ରେ ରବୀନ୍ଦ୍ର ଜାଡେଜଙ୍କୁ କ୍ୟାଚ୍ ଦେଇଥିଲେ। ଅନ୍ୟ କୌଣସି ବ୍ୟାଟ୍ସମମ୍ୟାନ ବଡ଼ ସ୍କୋର ହାସଲ କରିପାରି ନଥିଲେ। ରାସି ଭାନ୍ ଡେର ଡୁସେନ ମାତ୍ର ୧ ରନ କରିଥିବାବେଳେ ଜାଡେଜାଙ୍କ ଦ୍ୱାରା କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ। ଡେଭିଡ ମିଲର ୧୫ ବଲରୁ ୧ ଛକା ସହ ୧୮ ରନକରି ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ବଲ୍ରେ କ୍ଲ୍ିନ୍ ବୋଲ୍ଡ ହୋଇଥିଲେ। ଡ୍ବେନ ପ୍ରିଟୋରିୟସ ୧୦ ଓ ଆଣ୍ଡିଲ ଫେଲୁକ୍ୱାୟୋ ୮ ରନକରି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ପକ୍ଷରୁ ଦୀପକ ଚହର ୨, ନବଦୀପ ସଇନି, ରବୀନ୍ଦ୍ର ଜାଡେଜା ଓ ହାର୍ଦ୍ଧିକ ପାଣ୍ଡ୍ୟା ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକା ତରଫରୁ ୩ଜଣ ଖେଳାଳି ପଦାର୍ପଣ କରିଥିଲେ। ଅନରିଚ୍ ନୋର୍ଜ, ବିଜର୍ନ ଫର୍ଚ୍ୟୁନ ଓ ବଭୁମା ଟି୨୦ରେ ଡେବ୍ୟୁ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୧୪୯/୫
(ଡିକକ୍- ୫୨, ବଭୁମା- ୪୯, ମିଲର- ୧୮, ଚହର- ୨/୨୨, ସଇନି- ୧/୩୪, ଜାଡେଜା- ୧/୩୧, ପାଣ୍ଡ୍ୟା- ୧/୩୧)।
ଭାରତ ୧୯ ଓଭରରେ ୧୫୧/୩
(କୋହଲି- ୭୨*, ଧାଓ୍ବନ- ୪୦, ଫେଲୁକ୍ୱାୟୋ- ୧/ ୨୦, ଶାମସି- ୧/ ୧୯, ଫର୍ଚ୍ୟୁନ- ୧/ ୩୨)।