KL Rahul of India plays a shot during the 2nd T20 International match between India and Sri Lanka held at the Holkar Cricket Stadium, Indore on the 7th January 2020. Photo by Vipin Pawar / Sportzpics for BCCI
ଇନ୍ଦୋର, ୮।୧(ପି.ଟି.)- ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ପରେ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଉପଯୋଗୀ ବ୍ୟାଟିଂ ବଳରେ ଭାରତ ସ୍ଥାନୀୟ ହୋଲକାର ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଶ୍ରୀଲଙ୍କାକୁ ୭ ଉଇକେଟରେ ପରାସ୍ତ କରିଛି। ଶ୍ରୀଲଙ୍କା ପକ୍ଷରୁ ଧାର୍ଯ୍ୟ ୧୪୩ ରନ ବିଜୟ ଲକ୍ଷ୍ୟକୁ ଭାରତ ୧୭.୩ ଓଭରରେ ୩ ଉଇକେଟ ହରାଇ ହାସଲ କରିଛି। ଫଳରେ ଟିମ୍ ଇଣ୍ଡିଆ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି। ଗୁଆହାଟୀରେ ରବିବାର ଅନୁଷ୍ଠିତ ପ୍ରଥମ ଟି୨୦ ବର୍ଷା କାରଣରୁ ବାତିଲ ହୋଇଥିଲା।
ଲୋକେଶ ରାହୁଲ ଓ ଶିଖର ଧାଓ୍ବନ ଓପନିଂ ଯୋଡ଼ିରେ ୫୫ ବଲ୍ରୁ ୭୧ ରନ ସଂଗ୍ରହ କରି ଦଳର ବିଜୟ ପାଇଁ ପଥ ପରିଷ୍କାର କରିଥିଲେ। ଆକ୍ରମଣାତ୍ମକ ଖେଳି ୩୨ ବଲ୍ରୁ ୬ ଚୌକା ସହାୟତାରେ ୪୫ ରନ କରିଥିବାବେଳେ ରାହୁଲ ଓ୍ବାନିନ୍ଦୁ ହସରଙ୍ଗାଙ୍କ ବଲ୍ରେ ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ। ୨୯ ବଲ୍ରୁ ୨ ଚୌକା ସହ ୩୨ ରନ କରିଥିବା ଧାଓ୍ବନ ଓ୍ବାନିନ୍ଦୁଙ୍କ ଦ୍ୱିତୀୟ ଶିକାର ହେବାରୁ ୧୧.୨ ଓଭରରେ ଭାରତ ସ୍କୋର ୮୬/୨ ହୋଇଥିଲା। ଶ୍ରେୟାସ ଆୟାରଙ୍କ ସହ କ୍ରିଜ୍ରେ ଯୋଗଦେଇ ଅଧିନାୟକ ବିରାଟ କୋହଲି ଦ୍ରୁତ ହାରରେ ରନ ସଂଗ୍ରହ ସହ ଦଳର ବିଜୟକୁ ସହଜ କରି ଦେଇଥିଲେ। ଭାରତ ବିଜୟ ଲକ୍ଷ୍ୟଠାରୁ ୬ ରନ ଦୂରରେ ଥିବାବେଳେ ବଡ଼ ଶଟ୍ ଖେଳିବାକୁ ଯାଇ ଆୟାର ଲାହିରୁ କୁମାରଙ୍କ ବଲ୍ରେ ଆଉଟ ହୋଇଥିଲେ। ସେ ୨୬ଟି ବଲ୍ର ସମ୍ମୁଖୀନ ହୋଇ ୩ ଚୌକା ଓ ୧ ଛକା ସହାୟତାରେ ୩୪ ରନ କରିଥିଲେ। ଏହି ଓଭରରେ ରିଷଭ ପନ୍ତ ଏକ ସିଙ୍ଗଲ ନେଇଥିବାବେଳେ କୋହଲି ତୃତୀୟ ବଲ୍ରେ ଛକା ମାରି ମ୍ୟାଚର ରୋମାଞ୍ଚକ ପରିସମାପ୍ତି ଘଟାଇଥିଲେ। ୧୭ଟି ବଲ୍ ଖେଳିଥିବା ବିରାଟ ୧ ଚୌକା ଓ ୨ ଛକା ସହ ୩୦ ରନ କରି ଅପରାଜିତ ରହିଥିଲେ।
ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଶ୍ରୀଲଙ୍କା ଭଲ ଆରମ୍ଭ କରିଥିଲେ ମଧ୍ୟ ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇ ନ ପାରି ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଫଳରେ ଦଳ ବଡ଼ ସ୍କୋର ହାସଲ କରିପାରି ନ ଥିଲା। ଦଳ ତରଫରୁ ଉଇକେଟକିପର ବ୍ୟାଟ୍ସମ୍ୟାନ କୁଶଲ ପେରେରା ୨୮ଟି ବଲ୍ ଖେଳି ୩ଟି ଛକା ସହ ସର୍ବାଧିକ ୩୪ ରନ ସଂଗ୍ରହ କରିଥିଲେ। ଓପନର ଦନୁଷ୍କା ଗୁଣତିଲକା ୨୦, ଅଭିଷ୍କା ଫର୍ନାଣ୍ଡୋ ୨୨ ରନ ଥିଲେ। ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ସର୍ବାଧିକ ୩, ନବଦୀପ ସଇନୀ ଓ କୁଲଦୀପ ଯାଦବ ୨ଟି ଲେଖାଏ, ଯଶପ୍ରୀତ ବୁମ୍ରା ଓ ଓ୍ବାଶିଂଟନ ସୁନ୍ଦର ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ୨୦ ଓଭରରେ ୧୪୨/୯(ପେରେରା-୩୪, ଅଭିଷ୍କା-୨୨, ଶାର୍ଦ୍ଦୁଳ-୩/୨୩, ସଇନୀ-୨/୧୮, କୁଲଦୀପ-୨/୩୮, ବୁମ୍ରା-୧/୩୨, ସୁନ୍ଦର-୧/୨୯)। ଭାରତ ୧୭.୩ ଓଭରରେ ୧୪୪/୩(ଲୋକେଶ-୪୫, ଆୟାର-୩୪, ଧାଓ୍ବନ-୩୨, କୋହଲି-୩୦*, ଓ୍ବାନିନ୍ଦୁ ହସରଙ୍ଗା-୨/୩୦, ଲାହିରୁ କୁମାର-୧/୩୦)।