Lendl Simmons of West Indies plays a shot during the second T20I match between India and the West Indies held at the Greenfield Stadium, Thiruvananthapuram on the 8th December 2019. Photo by Vipin Pawar / Sportzpics for BCCI
ଥିରୁଭାନନ୍ତପୁରମ,୯।୧୨(ପି.ଟି.)- ବୋଲର ଓ ଓପନର ଲେଣ୍ଡେଲ ସିମନ୍ସଙ୍କ ଦମ୍ଦାର ପ୍ରଦର୍ଶନ ବଳରେ ଓ୍ବେଷ୍ଟଇଣ୍ଡିଜ ରବିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍ରେ ଭାରତକୁ ୯ ଟି ବଲ ବାକି ରଖି ୮ ଉଇକେଟରେ ପରାସ୍ତ କରିଛି। ସ୍ଥାନୀୟ ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଟସ୍ ଜିତି ଭ୍ରମଣକାରୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୭ ଉଇକେଟ ହରାଇ ୧୭୦ ରନ ସଂଗ୍ରହ କରିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ୍ ୧୮.୩ ଓଭରରେ ୨ ଉଇକେଟ ହରାଇ ୧୭୩ ରନ କରି ବିଜୟୀ ହୋଇଛି। ଏଥିସହିତ ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ ୧-୧ ସମାନ ସ୍ତରକୁ ଆସିଛି। ସିମନ୍ସ ମ୍ୟାନ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।
୧୭୧ ରନ ଟାର୍ଗେଟର ପିଛା କରି ଓ୍ବେଷ୍ଟଇଣ୍ଡିଜ ଭଲ ଆରମ୍ଭ କରିଥିଲା। ଦୁଇ ଓପନର ସିମନ୍ସ ଓ ଇଭିନ ଲୁଇସ୍ ୫୯ ବଲରୁ ୭୩ ରନ ସଂଗ୍ରହ କରିଥିଲେ। ଓ୍ବାଶିଂଟନ ସୁନ୍ଦର ଭାରତକୁ ବ୍ରେକ୍ ଥ୍ରୁ ଦେଇଥିଲେ। ୩ଟି ଲେଖାଏ ଚୌକା ଓ ଛକା ସହ ୩୫ ବଲରୁ ୪୦ ରନ କରିଥିବା ବେଳେ ଲୁଇସ୍ ସୁନ୍ଦରଙ୍କ ବଲ୍ରେ ଉଇକେଟକିପର ରିଷଭ ପନ୍ତଙ୍କ ଦ୍ୱାରା ଷ୍ଟମ୍ପ ଆଉଟ ହୋଇଥିଲେ। ଏହାପରେ ୩ ଛକା ସହ ୧୪ ବଲରୁ ୨୩ ରନ କରି ସିମରନ ହେଟମେର ରବୀନ୍ଦ୍ର ଜାଡେଜାଙ୍କ ବଲ୍ରେ ଲଙ୍ଗ୍ ଅନ୍ରେ ବିରାଟ କୋହଲିଙ୍କୁ କ୍ୟାଚ୍ ଦେଇଥିଲେ। ସିମନ୍ସ ୪୫ ବଲରୁ ୪ ଚୌକା ଓ ୪ ଛକା ସହ ୬୭ ଏବଂ ଉଇକେଟକିପର ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ୧୮ ବଲରୁ ୪ ଚୌକା ଓ ୨ ଛକା ସହ ୩୮ ରନ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ। ତୃତୀୟ ଉଇକେଟରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୨୯ ବଲରୁ ଦ୍ରୁତ ଅପରାଜିତ ୬୧ ରନ କରିଥିଲେ। ବୋଲିଂରେ ଭାରତ ପାଇଁ ସୁନ୍ଦର ଓ ଜାଡେଜା ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ପୂର୍ବରୁ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ଏକଦା ଭଲ ସ୍ଥିତିରେ ଥିଲା ଓ ୨୦୦ ପାଖାପାଖି ରନ ସଂଗ୍ରହ କରିବା ଆଶା କାରାଯାଉଥିଲା। ତେବେ ଡେଥ୍ ଓଭରରେ ମାପ୍ଚୁପ୍ ବୋଲିଂ କରି ଓ୍ବେଷ୍ଟଇଣ୍ଡିଜ ବୋଲରମାନେ ଘରୋଇ ବ୍ୟାଟ୍ସମ୍ୟାନଙ୍କୁ ଏହି ସୁଯୋଗ ଦେଇ ନ ଥିଲେ। ବ୍ୟାକ ଅଫ୍ ଲେନ୍ଥ ସ୍ଲୋ ଏବଂ ଶର୍ଟ ବୋଲିଂ କରି ବୋଲରମାନ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ। ଅନ୍ତିମ ୫ ଓଭରରେ ଭାରତ ମାତ୍ର ୩୮ ରନ ସଂଗ୍ରହ କରିଥିଲା। ଓ୍ବେଷ୍ଟଇଣ୍ଡିଜ ବୋଲର ୧୩ ଓ୍ବାଇଡ ଓ ୨ଟି ନୋ ବଲ ପକାଇଥିଲେ।
ଦୁଇ ତାରକା ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ। ଫଳରେ ଭାରତର ଆରମ୍ଭ ଭଲ ହୋଇ ନ ଥିଲା। ପ୍ରଥମ ମ୍ୟାଚ୍ରେ ୬୨ ରନର ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳିଥିବା ରାହୁଲ ୧୧ ରନ କରି ଖରି ପିଏରଙ୍କ ବଲ୍ରେ ଡିପ୍ ସ୍କୋୟାର ଲେଗ୍ରେ ସିମରନ ହେଟମେରଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିୟନ ଫେରିଥିଲେ। ସେହିପରି ୧୫ ରନ କରି ଇନିଂସକୁ ଆଗେଇ ନେଉଥିବା ବେଳେ ରୋହିତ ଲାଇନ୍ ମିସ୍ କରି ଜାସନ ହୋଲ୍ଡରଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ୩ ନମ୍ବରରେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ମୁମ୍ବାଇ ଅଲରାଉଣ୍ଡର ଶିବମ୍ ଦୁବେ ଏହାର ଭରପୂର ଉପଯୋଗ କରିଥିଲେ। ସେ ପଡିଆର ସବୁଆଡକୁ ଶଟ୍ମାନ ଖେଳି ୩୦ଟି ବଲ୍ର ସମ୍ମୁଖୀନ ହୋଇ ୩ ଚୌକା ଓ ୪ ଛକା ସହ ୫୪ ରନର ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ଇନିଂସକୁ ଆଗେଇ ନେଉଥିବା ବେଳେ ହେଡେନ ଓ୍ବାଲ୍ସଙ୍କ ବଲ୍ରେ ଶଟ୍ ଖେଳିବାକୁ ଯାଇ କଭରରେ ହେଟମେରଙ୍କୁ କ୍ୟାଚ୍ ଦେଇଥିଲେ। ସେ ଏଥିସହ କ୍ୟାରିୟରର ପ୍ରଥମ ଟି୨୦ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ପ୍ରଥମ ମ୍ୟାଚ୍ରେ ୯୪ରନର ଦ୍ରୁତ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ଅଧିନାୟକ କୋହଲି ଫେଲ୍ ମାରିଥିଲେ। ୨ ଚୌକା ସହ ୧୭ ବଲରୁ ୧୯ ରନ କରିଥିବା ବେଳେ ସେ କେସରିକ ଓ୍ବିଲିୟମ୍ସଙ୍କ ବଲ୍କୁ କଟ୍ କରିବାକୁ ଯାଇଥିଲେ। ତେବେ ତାଙ୍କ ଟାଇମିଂ ଠିକ୍ ନ ଥିଲା। ଫଳରେ ଶଟ୍ ଥାର୍ଡମ୍ୟାନରେ ଲେଣ୍ଡେଲ ସିମନ୍ସଙ୍କୁ କ୍ୟାଚ୍ ଦେଇ କୋହଲି ପ୍ୟାଭିଲିୟନ ଫେରିଥିଲେ। ତୃତୀୟ ଉଇକେଟରେ କୋହଲି ଓ ଶିବମ୍ ୪୧ ରନ କରିଥିଲେ। ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୨୨ ବଲରୁ ୩ ଚୌକା ଓ ଗୋଟିଏ ଛକା ସହ ୩୩ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ତେବେ ଅନ୍ୟମାନେ ବିଫଳ ହୋଇଥିଲେ। ଏହି କ୍ରମରେ ଶ୍ରେୟାସ ଆୟାର ୧୦, ଜାଡେଜା ୯ ରନ କରି ଆଉଟ ହୋଇଥିବା ବେଳେ ଓ୍ବାଶିଂଟନ ସୁନ୍ଦର ଖାତା ଖୋଲିପାରି ନ ଥିଲେ। ଦୀପକ ଚହର ୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ଓ୍ବାଲ୍ସ ଓ ଓ୍ବିଲିୟମ୍ସ ୨ଟି ଲେଖାଏ, ଶେଲଡନ କଟ୍ରେଲ, ପିଏର ଓ ହୋଲ୍ଡର ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ୨୦ ଓଭରରେ ୧୭୦/୭
(ଶିବମ ଦୁବେ- ୫୪, ରିଷଭ ପନ୍ତ- ୩୩*, ବିରାଟ କୋହଲି- ୧୯, ରୋହିତ ଶର୍ମା- ୧୫, ହେଡନ ଓ୍ବାଲ୍ସ- ୨/୨୮, କେସରିକ ଓ୍ବିଲିୟମ୍ସ- ୨/୩୦)।
ଓ୍ବେଷ୍ଟଇଣ୍ଡିଜ ୧୮.୩ ଓଭରରେ ୧୭୩/୨
(ଲେଣ୍ଡେଲ ସିମନ୍ସ- ୬୭*, ଇଭିନ ଲୁଇସ୍- ୪୦, ନିକୋଲାସ ପୁରାନ- ୩୮*, ଓ୍ବାଶିଂଟନ ସୁନ୍ଦର- ୧/୨୬, ରବୀନ୍ଦ୍ର ଜାଡେଜା- ୧/୨୨)।