LONDON, ENGLAND - AUGUST 12: Josh Hazlewood and James Pattinson of Australia look on during the Australia Nets Session at Lord's Cricket Ground on August 12, 2019 in London, England. (Photo by Ryan Pierse/Getty Images)
ଲଣ୍ଡନ,୧୪।୮(ଏଏଫ୍ପି)- ବିଶ୍ୱ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ହାଇପ୍ରୋଫାଇଲ ଆଶେସ ସିରିଜ ଦ୍ୱିତୀୟ ଟେଷ୍ଟରେ ବୁଧବାରଠାରୁ ପରସ୍ପରକୁ ଭେଟିବେ। ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯିବ। କିଛିଦିନ ତଳେ ଦିନିକିଆ ବିଶ୍ୱକପ୍ ଟାଇଟଲ ହାସଲ କରିଥିବା ଇଂଲଣ୍ଡ କିନ୍ତୁ ଏଜ୍ବାଷ୍ଟନରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟରେ ୨୫୧ ରନର ବୃହତ୍ ବ୍ୟବଧାନରେ ପରାସ୍ତ ହୋଇଥିଲା ଓ ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ୧-୦ରେ ପଛରେ ପଡିଥିଲା। ଫଳରେ ଦ୍ୱିତୀୟ ମ୍ୟାଚ୍ ଜିତି ଘରୋଇ ଇଂଲଣ୍ଡ ସିରିଜ୍କୁ ୧-୧ ସମାନସ୍ତରକୁ ଆଣିବାକୁ ପ୍ରୟାସ କରିବ। ଗତ ଆଶେସରେ ଅଷ୍ଟ୍ରେଲିଆ ବାଜି ମାରିଥିଲେ ମଧ୍ୟ ଇଂଲଣ୍ଡ ମାଟିରେ ଗତ ୧୮ ବର୍ଷ ହେବ ସିରିଜ ବିଜୟ ହାସଲ କରିବାରେ ବିଫଳ ହୋଇଛି। ଏଥର କିନ୍ତୁ ଅଷ୍ଟ୍ରେଲିଆ ଆଶେସ୍ ଜିତି ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି।
ପ୍ରଥମ ମ୍ୟାଚ୍ର ପରାଜୟ ପରେ ଇଂଲଣ୍ଡ ବୋଲିଂ ବିଭାଗରେ ସୁଧାର ଆଣିବା ଲକ୍ଷ୍ୟରେ ରହିଛି। ଅଭିଜ୍ଞ ଷ୍ଟିଭ୍ ସ୍ମିଥ୍ ଦମ୍ଦାର ପ୍ରଦର୍ଶନ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ପ୍ରଥମ ଇନିଂସରେ ୧୪୪ ଓ ଦ୍ୱିତୀୟ ଇନିଂସରେ ୧୪୨ ରନର ଶତକୀୟ ପାଳି ଖେଳି ସ୍ମିଥ୍ ଇଂଲଣ୍ଡ ବୋଲରଙ୍କୁ ନିରାଶ କରିଥିଲେ। ବଲ୍ ଟ୍ୟାମ୍ପରିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଗୋଟିଏ ବାସନ୍ଦ ହେବାପରେ ସ୍ମିଥ୍ ଟେଷ୍ଟକୁ ପ୍ରତ୍ୟାବର୍ତ୍ତନ କରି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ତେଣୁ ସ୍ମିଥ୍ଙ୍କୁ ଶୀଘ୍ର ଆଉଟ୍ କରିବା ପାଇଁ ଇଂଲଣ୍ଡ ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ଦଳକୁ ଆଣି ରଣନୀତି ପ୍ରସ୍ତୁତ କରିବା ଆଶା କରାଯାଉଛି।
ପ୍ରଥମ ମ୍ୟାଚ୍ ହାରିବା ପରେ ଇଂଲଣ୍ଡ ମାତ୍ର ୨ଥର ଆଶେସ୍ ଜିତିଛି। ୧୯୮୧ରେ ଅଲରାଉଣ୍ଡର ଇଆନ ବୋଥାମ ଦମ୍ଦାର ପ୍ରଦର୍ଶନ କରି ଇଂଲଣ୍ଡକୁ ଜିତାଇଥିଲେ। ସେହିପରି ୨୦୦୫ରେ ଇଂଲଣ୍ଡ ପ୍ରଥମ ମୁକାବିଲାରେ ପରାସ୍ତ ହୋଇଥିଲେ ମଧ୍ୟ ଶେଷରେ ୨-୧ରେ ସିରିଜ ହାତେଇଥିଲା। ପ୍ରଥମ ମ୍ୟାଚ୍ରେ ଅଭିଜ୍ଞ ଦ୍ରୁତ ବୋଲର ୩୭ ବର୍ଷୀୟ ଜେମ୍ସ ଆଣ୍ଡରସନ ଇଞ୍ଜୁରି କାରଣରୁ ମାତ୍ର ୪ ଓଭର ବୋଲିଂ କରିପାରିଥିଲେ। ଏହା ଇଂଲଣ୍ଡ ପାଇଁ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଦ୍ୱିତୀୟ ମ୍ୟାଚ୍ରୁ ଆଣ୍ଡରସନଙ୍କୁ ବାଦ୍ ଦିଆଯାଇଛି। ଆଣ୍ଡରସନ ଖେଳୁ ନ ଥିବାରୁ ଆମେ ଅବଶ୍ୟ ସୁବିଧାଜନକ ସ୍ଥିତିରେ ରହିବୁ ବୋଲି ଅଷ୍ଟ୍ରେଲୀୟ କୋଚ୍ ଜଷ୍ଟିନ ଲାଙ୍ଗର କହିଛନ୍ତି। ଲଡର୍ସରେ ପରିବେଶ ଓ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ତେଣୁ ମ୍ୟାଚ୍ ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ। ଆଣ୍ଡରସନଙ୍କ ଅନୁପସ୍ଥିତିରେ ବିଶ୍ୱକପ୍ରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଟେଷ୍ଟ ପଦାର୍ପଣ କରିବେ ଓ ନିଜର ଦକ୍ଷତା ପ୍ରତିପାଦନ କରିବାର ସୁଯୋଗ ହାସଲ କରିବେ। ସେହିପରି ଇଂଲଣ୍ଡ ବାମହାତୀ ସ୍ପିନର ଜ୍ୟାକ ଲିଚ୍ଙ୍କୁ ଦଳରେ ସାମିଲ କରିବା ଆଶା କରାଯାଉଛି। ଲଡର୍ସରେ କିଛିଦିନ ତଳେ ଖେଳାଯାଇଥିବା ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟରେ ସେ କ୍ୟାରିୟର ଶ୍ରେଷ୍ଠ ୯୨ ରନ ସଂଗ୍ରହ କରିଥିଲେ ଓ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ପ୍ରଥମ ଟେଷ୍ଟରେ ସ୍ପିନର ମୋଇନ ଅଲି ଚମକ ଦେଖାଇବାରେ ବିଫଳ ହୋଇଥିବାରୁ ଲିଚ୍ଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି। ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ତା’ର ବୋଲିଂ ଆଟାକ୍କୁ ରୋଟେଟ୍ କରିବ। ମିଚେଲ ଜନସନ ଓ ଜୋଶ ହାଜେଲଉଡ୍ ଇଂଲଣ୍ଡ ଟପ୍ ଅର୍ଡର ବିପକ୍ଷରେ ଚ୍ୟାଲେଞ୍ଜ୍ର ସମ୍ମୁଖୀନ ହେବେ। ଲଡର୍ସରେ ଶୁଖିଲା କିମ୍ବା ସବୁଜ ପିଚ ମିଳିଲେ ଆମ ପାଇଁ ବିଭିନ୍ନ ବିକଳ୍ପ ରହିଛି ବୋଲି ଲାଙ୍ଗର କହିଛନ୍ତି। ଆମ ପାଖରେ ୬ଜଣ ଉଚ୍ଚକୋଟୀର ଦ୍ରୁତ ବୋଲର ରହିଛନ୍ତି। ତେଣୁ ପରିସ୍ଥିତି ଦେଖି ଅନ୍ତିମ ଦଳ ଚୟନ କରିବୁ। ୧-୦ରେ ପିଛେଇଥିବାରୁ ଇଂଲଣ୍ଡ ଅବଶ୍ୟ ଅଧିକ ଚାପରେ ରହିବ। ଏହି ମ୍ୟାଚ୍ରେ ସ୍ମିଥ୍ ସମସ୍ତଙ୍କ ନଜରରେ ରହିବେ।
ଇଂଲଣ୍ଡ ଦଳ: ଜୋ ରୁଟ୍ (ଅଧିନାୟକ), ମୋଇନ ଅଲି, ଜେମ୍ସ ଆଣ୍ଡରସନ, ଜୋଫ୍ରା ଆର୍ଚର, ଜନି ବେୟାରଷ୍ଟୋ, ଷ୍ଟୁଆର୍ଟ ବ୍ରଡ, ରୋରି ବନର୍ସ, ଜୋସ ବଟଲର, ସାମ କୁରାନ, ଜୋ ଡେନଲି, ଜାସନ ରଏ, ବେନ୍ ଷ୍ଟୋକ୍ସ, ଓଲି ଷ୍ଟୋନ୍ସ ଓ କ୍ରିସ୍ ଓ୍ବକ୍ସ।
ଅଷ୍ଟ୍ରେଲିଆ ଦଳ: ଟିମ୍ ପେନ୍ (ଅଧିନାୟକ), କାମେରନ ବ୍ୟାଙ୍କ୍ରଫ୍ଟ, ପ୍ୟାଟ୍ କୁମିନ୍ସ, ମାର୍କସ ହାରିସ୍, ଜୋଶ ହାଜେଲଉଡ, ଟ୍ରାଭିସ୍ ହେଡ, ଉସ୍ମାନ ଖ୍ବାଜା, ମର୍ନସ ଲାବୁସେନ, ନାଥନ ଲିୟନ, ମିଚେଲ ମାର୍ଶ, ଜେମ୍ସ ପାଟିନସନ, ପିଟରକ ସିଡଲ, ଷ୍ଟିଭେନ୍ ସ୍ମିଥ୍, ମିଚେଲ ଷ୍ଟାର୍କ, ମାଥ୍ୟୁସ ଓ୍ବେଡ୍, ଡେଡିଡ ଓ୍ବାର୍ନର।