ଦୁର୍ବୃତ୍ତ ମାରଣାସ୍ତ୍ରରେ ଗୋଡ଼ାଇ ହାଣିଲେ: ଜଣେ ଯୁବକ ଗୁରୁତର

ବୋଲଗଡ଼,୨୩ା୭(ଡି.ଏନ.ଏ.)-ବୋଲଗଡ଼ ଥାନା ବାଙ୍କୋଇ ଫାଣ୍ଡି ଅନ୍ତର୍ଗତ ସାନକୁମାରୀସ୍ଥିତ ମା’ମଙ୍ଗଳା ମନ୍ଦିର ନିକଟରେ ରବିବାର ରାତିରେ କେହି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଛନ୍ତି। ଗୁରୁତର ଯୁବକ ହେଉଛନ୍ତି ସାନକୁମାରୀ ଗ୍ରାମର ଗଣେଶ ଖଣ୍ଡାଇ(୨୫)। ତାଙ୍କୁ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିବା ନେଇ ଫାଣ୍ଡି ପୋଲିସ ସୂତ୍ରରୁ ଜଣାପଡ଼ିଛି। ଗଣେଶ ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏ ପର୍ଯ୍ୟନ୍ତ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇ ନ ଥିଲେ ମଧ୍ୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।
ବିଳମ୍ବିତ ରାତିରେ ମଙ୍ଗଳା ମନ୍ଦିରଠାରେ କେହି ଦୁବୃର୍ତ୍ତ ତାଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ମୁଖଶାଳା ଓ ଅନ୍ୟ ସ୍ଥାନରେ ପଡ଼ିଥିବା ପ୍ରଚୁର ରକ୍ତସ୍ରାବରୁ ଜଣାପଡ଼େ ଯେ, ଆକ୍ରମଣବେଳେ ନିଜ ଜୀବନ ବଞ୍ଚାଇବାକୁ ସେ ମନ୍ଦିର ଭିତରକୁ ପଶି ଆସିଥିଲେ। ଗଣେଶଙ୍କ ମୁହଁ, ଛାତି ଓ ହାତରେ ଗଭୀର ଆଘାତ ଲାଗିଛି । ଗୁରୁତର ଭାବେ ଚିକିତ୍ସାଧୀନ ଥିବାରୁ ସେ କଥାବାର୍ତ୍ତା କରିବାରେ ସକ୍ଷମ ନ ଥିବାରୁ ଆକ୍ରମଣକାରୀ ଓ ଘଟଣା ସମ୍ପର୍କରେ ତାଙ୍କଠାରୁ ବିଶେଷ ତଥ୍ୟ ମିଳିପାରିନାହିଁ। ଖବର ଲେଖା ହେବା ପର୍ଯ୍ୟନ୍ତ ପରିବାର ଲୋକେ ଡାକ୍ତରଖାନାରେ ଥିବା ଓ ଥାନାରେ ଏ ନେଇ କୌଣସି ଅଭିଯୋଗ କରି ନ ଥିବା ଜଣାପଡ଼ିଛିି । ତେବେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବାଙ୍କୋଇ ଫାଣ୍ଡି ଅଧିକାରୀ ଶ୍ରୀକାନ୍ତ ପଣ୍ଡା ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ରକ୍ତ ନମୂନା ସଂଗ୍ରହ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।