PERTH, AUSTRALIA - DECEMBER 14: Joe Burns of Australia celebrates after reaching his half century during day three of the First Test match in the series between Australia and New Zealand at Optus Stadium on December 14, 2019 in Perth, Australia. (Photo by Cameron Spencer/Getty Images)
ପର୍ଥ,୧୫।୧୨(ଏଏଫ୍ପି)- ସ୍ଥାନୀୟ ପର୍ଥ ଷ୍ଟାଡିୟମରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିବାରାତ୍ର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଘରୋଇ ଅଷ୍ଟ୍ରେଲିଆ ତା’ର ସ୍ଥିତି ଆହୁରି ମଜଭୁତ୍ କରିଛି। ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୪୬.୨ ଓଭରରେ ୪୧୬ ରନକରି ଅଲଆଉଟ ହୋଇଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ନ୍ୟୁଜିଲାଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୫୫.୨ ଓଭରରେ ମାତ୍ର ୧୬୬ ରନ କରି ଅଲଆଉଟ ହୋଇଥିଲା। ଫଳରେ ଅଷ୍ଟ୍ରେଲିଆ ୨୫୦ ରନର ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଅଷ୍ଟ୍ରେଲିଆ ଶନିବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୫୭ ଓଭରରେ ୬ ଉଇକେଟ ହରାଇ ୧୬୭ ରନ ସଂଗ୍ରହ କରିଛି। ଫଳରେ ମୋଟ ଉପରେ ଅଷ୍ଟ୍ରେଲିଆ ଏବେ ୪୧୭ ରନର ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ମାଥ୍ୟୁ ଓ୍ବେଡ ୮ ଓ ପ୍ୟାଟ କୁମିନ୍ସ ୧ ରନ କରି ଅପରାଜିତ ରହିଛନ୍ତି। ଦ୍ୱିତୀୟ ଇନିଂସରେ ଅବଶ୍ୟ ଅଷ୍ଟ୍ରେଲିଆ ଆଶାନୁରୂପ ବ୍ୟାଟିଂ କରିପାରି ନ ଥିଲା। ଦଳ ତରଫରୁ ଓପନର ଜୋ ବନର୍ସ ୫୩ ଓ ମାର୍ନସ ଲାବୁସେନ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ଏହି କ୍ରମରେ ଅଭିଜ୍ଞ ଓପନର ଡେଭିଡ ଓ୍ବାର୍ନର ୧୯, ଷ୍ଟିଭ୍ ସ୍ମିଥ୍ ୧୬, ଟ୍ରାଭିସ ହେଡ ୫ ରନକରି ଆଉଟ ହୋଇଥିବା ବେଳେ ଅଧିନାୟକ ଟିମ୍ ପେନ୍ ଖାତା ଖୋଲିପାରି ନ ଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଅଭିଜ୍ଞ ଦ୍ରୁତ ବୋଲର ଟିମ୍ ସୌଦି ସର୍ବାଧିକ ୪ ଓ ନିଲ ଓ୍ବାଗନର ୨ଟି ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୦୯/୫ରୁ ଖେଳ ଆରମ୍ଭ କରି ନ୍ୟୁଜିଲାଣ୍ଡ ଶନିବାର ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ରସ ଟେଲର ୬୬ରୁ ଖେଳ ଆରମ୍ଭ କରି ୮୦ ରନ ଓ ବିଜେ ଓ୍ବାଟଲିଂ ଶୂନରୁ ଖେଳ ଆରମ୍ଭ କରି ୮ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ କଲିନ ଡି ଗ୍ରାଣ୍ଡହୋମ ୨୩, ମିଚେଲ ସାଣ୍ଟନର ୨, ସୌଦି ୮ ରନ କରି ଆଉଟ ହୋଇଥିବାବେଳେ ଲୋକି ଫର୍ଗସନ ବିନା ସ୍କୋରରେ ଅପରାଜିତ ରହିଥିଲେ। ବୋଲିଂରେ ଅଷ୍ଟେଲିଆ ତରଫରୁ ମିଚେଲ ଷ୍ଟାର୍କ ସର୍ବାଧିକ ୫, ସ୍ପିନର ନାଥନ ଲିୟନ ୨, ଜୋସ୍ ହାଜେଲଉଡ, ପ୍ୟାଟ କୁମିନ୍ସ ଓ ମାର୍ନସ ଲାବୁସେନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୧୪୬.୨ ଓଭରରେ ୪୧୬ ରନରେ ଅଲଆଉଟ।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୫୫.୨ ଓଭରରେ ୧୬୬ ଅଲଆଉଟ
(ରସ୍ ଟେଲର- ୮୦, କେନ୍ ଓ୍ବିଲିୟମସନ- ୩୪, କଲିନ ଡି ଗ୍ରାଣ୍ଡହୋମ- ୨୩, ମିଚେଲ ଷ୍ଟାର୍କ- ୫/୩୨, ନାଥନ ଲିୟନ- ୨/୪୮)।
ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ- ୫୭ ଓଭରରେ ୧୬୭/୬
(ଜୋ ବନର୍ସ- ୫୩, ମାର୍ନସ ଲାବୁସେନ- ୫୦, ଟିମ ସୌଦି-୪/୬୩, ନିଲ ଓ୍ବାଗନର- ୨/୪୦)