ଦଣ୍ଡନାଚ ପ୍ରସାଦ ସେବନ ବେଳେ ମାରପିଟ: ବାପ-ପୁଅ ଗୁରୁତର

ଧରାକୋଟ,୧୪ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ବ୍ଲକ ମାଣିକପୁର ପଞ୍ଚାୟତ ତଥା ବଡଗଡ ଥାନା ଅନ୍ତର୍ଗତ ଢ଼ଉପଦା ଗ୍ରାମରେ ଦଣ୍ଡନାଚ ପ୍ରସାଦ ସେବନ ସମୟରେ ସାମାନ୍ୟ ବଚସାକୁ ନେଇ ଗଣ୍ଡଗୋଳ ହୋଇଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ପ୍ରତାପ ପାଣିଗ୍ରାହୀ ଓ ତାଙ୍କ ପୁଅ ଆଶିଷ ପାଣିଗ୍ରାହୀ।

ପ୍ରକାଶ ଯେ, ଢଉପଦା ଗ୍ରାମରେ ତିତିଖଣ୍ଡି ଗ୍ରାମର ଦଣ୍ଡନାଚ ହୋଇଥିଲା । ରାତିରେ ପ୍ରସାଦ ସେବନ ସମୟରେ ପ୍ରତାପ ଓ ତାଙ୍କ ପୁଅ ଆଶିଷଙ୍କ ସହ ନିକଟସ୍ଥ ମହୁଲି ଗାଁର ଦଳିତ ସାହିର କେତେଜଣ ଯୁବକଙ୍କ ସହ ସାମାନ୍ୟ କଥାକୁ ନେଇ ବଚସା ହୋଇଥିଲା । ଏହାପରେ ମହୁଲି ଦଳିତ ସାହିର କେତେଜଣ ପ୍ରତାପଙ୍କ ଘର ସାମନାକୁ ଆସି ଗାଳିଗୁଲଜ କରିଥିଲେ। ପ୍ରତାପ ଓ ତାଙ୍କ ପୁଅ ଏହାର ପ୍ରତିବାଦ କରିବାରୁ ସେମାନେ ବିଭିନ୍ନ ମାରଣାସ୍ତ୍ର ଓ ଠେଙ୍ଗାରେ ଉଭୟଙ୍କୁ ଆକ୍ରମଣ କରିଥିଲେ। ପରେ ଆହତ ବାପପୁଅଙ୍କୁ ଢଉପଦା ଗାଁ ଲୋକେ ଆମ୍ବୁଲାନ୍ସରେ ଶେରଗଡ଼ ମେଡିକାଲକୁ ନେଇଥିଲେ । ସେଠାରୁ ଅଧିକ ଚିକିତ୍ସା ପାଇଁ ଡାକ୍ତର ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରଛନ୍ତି। ଘଟଣା ସମ୍ପର୍କରେ ପ୍ରତାପଙ୍କ ସ୍ତ୍ରୀ ସବିତା ପାଣିଗ୍ରାହୀ ବଡଗଡ ଥାନାରେ ଏତଲା ଦେଇଛନ୍ତି। ପୋଲିସ ନଂ.୧୯୨/୨୫ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା କହିଛନ୍ତି।