South Africa's Quinton de Kock (R) and South Africa's Hashim Amla run between the wickets during the 2019 Cricket World Cup group stage match between South Africa and Afghanistan at Sophia Gardens stadium in Cardiff, south Wales, on June 15, 2019. (Photo by Saeed KHAN / AFP) / RESTRICTED TO EDITORIAL USE (Photo credit should read SAEED KHAN/AFP/Getty Images)
କାର୍ଡିଫ୍,୧୬।୬(ଏଏଫ୍ପି)- ଚଳିତ ବିଶ୍ୱକପ୍ରେ ୫ଟି ମ୍ୟାଚ୍ ଖେଳିବା ପରେ ଦକ୍ଷିଣ ଆଫ୍ରିକା ପ୍ରଥମଥର ପାଇଁ ବିଜୟର ସ୍ବାଦ ଚାଖିଛି। ସ୍ଥାନୀୟ ସୋଫିଆ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ତଥା ଦିବାରାତ୍ର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଡକ୍ଓ୍ବର୍ଥ ଲୁଇସ୍ ନିୟମରେ ୧୧୬ଟି ବଲ ବାକି ରଖି ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହେବା ଫଳରେ ମ୍ୟାଚକୁ ୪୮ ଓଭରରେ ସୀମିତ ରଖାଯାଇଥିଲା। ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଆଫଗାନିସ୍ତାନ ୩୪.୧ ଓଭରରେ ୧୨୫ ରନ କରି ଅଲଆଉଟ ହୋଇଥିଲା। ଦଳ ତରଫରୁ ରସିଦ ଖାଁ ସର୍ବାଧିକ ୩୫, ନୁର ଅଲି ଜଡ୍ରାନ ୩୨ ଓ ହଜରତୁଲ୍ଲା ଜାଜାଇ ୨୨ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁପାରି ନ ଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ତରଫରୁ ଇମ୍ରାନ ତାହିର ସର୍ବାଧିକ ୪, କ୍ରିସ ମୋରିସ ୩, ଆଣ୍ଡିଲ ଫେଲୁକ୍ୱାୟୋ ୨, କାଗିସୋ ରାବାଡ଼ା ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଜବାବରେ ଦକ୍ଷିଣ ଆଫ୍ରିକା ୨୮.୪ ଓଭରରେ ଗୋଟିଏ ଉଇକେଟ ହରାଇ ୧୩୧ ରନ କରି ବିଜୟୀ ହୋଇଛି। କ୍ୱିଣ୍ଟନ ଡିକକ୍ ୬୮ ରନ କରି ଆଉଟ ହୋଇଥିବା ବେଳେ ହାସିମ ଅମଲା ୪୧ ଓ ଆଣ୍ଡିଲ ଫେଲୁକ୍ୱାୟୋ ୧୭ ରନ କରି ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ଗୁଲବଦିନ ନାଇବ ଡିକକ୍ଙ୍କୁ ଆଉଟ କରିଥିଲେ। ୪ ଉଇକେଟ ଅକ୍ତିଆର କରିଥିବା ଅଭିଜ୍ଞ ସ୍ପିନର ତାହିର ମ୍ୟାନ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏଥିସହ ଦକ୍ଷିଣ ଆଫ୍ରିକା ୫ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ, ୩ଟି ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୩ ପଏଣ୍ଟ ହାସଲ କରି ସପ୍ତମ ସ୍ଥାନରେ ରହିଛି। ଅନ୍ୟପଟେ ଆଫଗାନିସ୍ତାନ ୪ଟି ମ୍ୟାଚ୍ ଖେଳି ୪ଟି ପରାଜୟ ସହ ଖାତା ଖୋଲି ନ ପାରି ଅନ୍ତିମ ତଥା ଦଶମ ସ୍ଥାନରେ ରହିଛି।
ସଂକ୍ଷିପ୍ତ ସ୍କୋର:
ଆଫଗାନିସ୍ତାନ ୩୪.୧ ଓଭରରେ ୧୨୫ ଅଲଆଉଟ
(ରସିଦ- ୩୫, ଜଡ୍ରାନ- ୩୨, ଜାଜାଇ- ୨୨, ତାହିର- ୪/୨୯, ମୋରିସ- ୩/୧୩, ଫେଲୁକ୍ୱାୟୋ-୨/୧୮)।
ଦକ୍ଷିଣ ଆଫ୍ରିକା ୨୮.୪ ଓଭରରେ ୧୩୧/୧
(ଡିକକ- ୬୮, ଅମଲା-୪୧*, ଫେଲୁକ୍ୱାୟୋ- ୧୭*, ନାଇବ-୧/୨୯ )।