ଥାନା ପରିସରରେ ମଦବିରୋଧୀ ମହିଳାଙ୍କ ଧାରଣା

ଆନନ୍ଦପୁର,୨୫।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଦଧିବାମନପୁରରେ ମଦବିରୋଧୀ ଆନ୍ଦୋଳନକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଲାଗିରହିଛି। ଆନନ୍ଦପୁର ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ ଥିବାରୁ ଏହା ଏବେ ଚରମସୀମାରେ ପହଞ୍ଚିିଛି। ଗୁରୁବାର ଶତାଧିକ ମହିଳା ଆନନ୍ଦପୁର ଥାନା ପରିସରରେ ମଦ ବ୍ୟବସାୟୀଙ୍କ ଗିରଫ ଦାବି କରି ଧାରଣାରେ ବସିଛନ୍ତି। ଧାରଣାରେ ବସିବା ପୂର୍ବରୁ ପ୍ରଥମେ ମଦ ବିରୋଧୀ ମହିଳା ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ମହିଳାମାନଙ୍କୁ ପୋଲିସ ଥାନା ପରିସରରୁ ବାହାରିଯିବାକୁ କହିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଶେଷରେ ମହିଳାମାନେ ମଦ ବ୍ୟବସାୟୀଙ୍କୁ ଗିରଫ ନ କରିବା ଯାଏ ଧାରଣାରେ ବସିବାକୁ ଜିଦ୍‌ ଧରି ଥାନା ପରିସରରେ ବସିଥିଲେ। ସୂଚନାଯୋଗ୍ୟ ଯେ, ଚଳିତ ମାସ ୧୩ ତାରିଖରେ ଆନନ୍ଦପୁର ଥାନା ଦଧିବାମନପୁର ଗ୍ରାମରେ କେତେକ ବ୍ୟକ୍ତି ମଦ ବ୍ୟବସାୟ କରୁଥିବା ସମ୍ପର୍କରେ ଖବର ପାଇ ମଦବିରୋଧୀ ମହିଳା ସଂଘର ସଭାନେତ୍ରୀ ଜାନକୀ ଜେନା ଓ ସମ୍ପାଦକ ଲୀଳାବତୀ ପରିଡ଼ାଙ୍କ ନେତୃତ୍ୱରେ ଶତାଧିକ ମହିଳା ମଦ ବିକ୍ରିକୁ ବିରୋଧ କରିଥିଲେ। ଏହି ଘଟଣାରେ ମଦ ବ୍ୟବସାୟୀ ଜଣଙ୍କ ମଦ ବିରୋଧୀ ମହିଳାଙ୍କୁ ମାଡ଼ ମାରିବା, ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଭଳି ଘଟଣା ଘଟିଥିଲା। ଏପରିକି ମହିଳାମାନଙ୍କ ସ୍ବାମୀଙ୍କୁ ଗାଡ଼ି ଚଢ଼ାଇ ମାରିଦେବାକୁ ଧମକ ଦିଆଯାଇଥିଲା। ଯାହାକୁ ନେଇ ମହିଳାମାନେ ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବ୍ୟବସାୟୀମାନେ ମଧ୍ୟ ମହିଳାଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ। ଏହି ଦୁଇଟି ଘଟଣାର ଆନନ୍ଦପୁର ପୋଲିସ ତଦନ୍ତ କରିବା ପରିବର୍ତ୍ତେ ଚୁପ୍‌ ହୋଇ ବସିଥିବା ଅଭିଯୋଗ କରିଥିଲେ ମହିଳା। ସଂଘର ସମ୍ପାଦକ ଲୀଳାବତୀ ପରିଡ଼ାଙ୍କ କହିବା ଅନୁଯାୟୀ, ସଂପୃକ୍ତ ମଦ ବ୍ୟବସାୟୀ ଗ୍ରାମରେ ଆଶାନ୍ତିକର ବାତାବରଣ ସୃଷ୍ଟି କରିବା ସହିତ ବିଭିନ୍ନ ସମୟରେ ମହିଳାଙ୍କ ପରିବାରକୁ ଧମକ ଚମକ ଦେଉଥିବାରୁ ସେମାନେ ଏକ ଅସ୍ବାଭାବିକ ପରିସ୍ଥିତି ଦେଇ ଗତିକରୁଛନ୍ତି। ଯାହାର ପରିଣାମ ସ୍ବରୂପ ଗୁରୁବାର ଶତାଧିକ ମହିଳା କାର୍ଯ୍ୟାନୁଷ୍ଠାନ ନ ହେବା ଯାଏ ଥାନା ପରିସରରେ ଧାରଣାରେ ବସିଛନ୍ତି।

Share